ସିସିଟିଭିକୁ ନେଇ ବିଜେଡି କଲା ଖୁଲାସା
ଭୁବନେଶ୍ୱର: ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ ବିଏଡ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ଘେରିବା ସହ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ବିଜେଡି ବଡ଼ ଦାବି କରିଛି। ପ୍ରେସମିଟ୍ କରି ବିଜେଡି ଭାଜପା ଉପରେ ବର୍ଷିଛି। ବିଜେଡି କହିଛି, ଗତକାଲି ଯେତେବେଳେ ସୌମ୍ୟାଶ୍ରୀ ମୃତ୍ୟୁ ବୋଲି ଘୋଷଣା କରାଗଲା ତା’ପରେ ଟୁଇଟରରେ ଶ୍ରଦ୍ଧାଞ୍ଜଳି ଦିଆଯାଉଛି। ଯେତେବେଳେ ସୌମ୍ୟାଶ୍ରୀ ଏମାନଙ୍କୁ ଟୁଇଟ କରିଥିଲେ, ନ୍ୟାୟ ଭିକ୍ଷା କରିଥିଲେ, ସେତେବେଳେ ସବୁ ଭଦ୍ରଲୋକ କେଉଁଠି ଥିଲେ।
ବିଜେଡି ନେତ୍ରୀଙ୍କ କହିବାନୁସାରେ, କଲେଜ କ୍ୟାମ୍ପସ୍ରେ ଯେଉଁଠି ପେଟ୍ରୋଲ ପକାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ସେଇଠି ୩ଟି ସିସିଟିଭି ଥିଲା। ହେଲେ ଗୋଟିଏ ସିସିଟିଭି ଫୁଟେଜ୍ ଭାଇରାଲ ହେଉଥିବା ବେଳେ ଅନ୍ୟ ୨ଟି କୁଆଡେ ଗଲା। ସେଇ ୨ଟି ସିସିଟିଭି ଫୁଟେଜ୍ ଲୁଚାଯାଇ କାହାକୁ ବଞ୍ଚାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତ୍ରୀ।ଏହା ସହିତ ମୃତ ଶରୀରକୁ ସାମ୍ନା ଗେଟ୍ରେ ନ ନିଆଯାଉ ପଛ ଗେଟ୍ରେ କାହିଁକି ନିଆଯାଉଥିଲା ବୋଲି ପ୍ରଶ୍ନ କରିଛି ବିଜେଡି। ବ୍ୟବଚ୍ଛେଦ ପାଇଁ ମଧ୍ୟ ରାଜି ନଥିଲେ ଆମେ କହିବାରୁ ବ୍ୟବଚ୍ଛେଦ ହୋଇଥିଲା । ଅନ୍ୟପଟେ, ସାରା ଓଡ଼ିଶାରେ ଆଜିଠୁ ବ୍ୟାପକ ଛାତ୍ର ଆନ୍ଦୋଳନ ହେବ, ବ୍ୟାପକ ଭାବେ ଯୁବ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବିଜେଡି କହିଛି। ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଯେଉଁ ପର୍ଯ୍ୟନ୍ତ ଇସ୍ତଫା ଦେଇନାହାନ୍ତି ଯେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି କହିଛି।