କେନାଲ ସଫେଇ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍ ! 

 ସାଲେପୁର :  ବର୍ଷା ଋତୁ ଆସିଲେ କେନାଲ ସଫେଇ କଥା ମନେ ପଡେ ଜଳସେଚନ ବିଭାଗର । କେନାଲ ସଫେଇ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କେନାଲ ସଫେଇ ନାମରେ କେନାଲରୁ ଖାଲି ଘାସ ସଫା କରାଯାଇ ବ୍ୟାପକ ଅର୍ଥ ଆତ୍ମସାତ୍ କରାଯାଉଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ୬ନଂ କେନାଲ ଜଳସେଚନ ବିଭାଗ ଓ ଠିକାଦାରଙ୍କ ପାଇଁ ଲେଉଟିଆ କିଆରିରେ ପରିଣତ ହୋଇଛି । 
ପ୍ରକାଶ ଯେ, କୃଷି ଓ କୃଷକର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉକ୍ତ ଟଙ୍କା ଠିକ୍ ରୂପେ ବିନିଯୋଗ ହେଉନଥିବାରୁ କେନାଲ ଗୁଡିକ ପୋତି ହେବାକୁ ବସିଲାଣି । ପ୍ରତିବର୍ଷ କେନାଲ ସଫେଇ କରାଯାଉଥିବା ଦର୍ଶାଯାଉଥିବାବେଳେ କେନାଲର ଉଭୟ ପାଶ୍ୱର୍ରୁ କେବଳ ଘାସ ସଫା କରାଯାଉଥିବା ଅଭିଯୋଗ ହେଉଛି । ଫଳରେ କେନାଲର ବିଭିନ୍ନ ସ୍ଥାନରେ ପୋତି ହୋଇଥିବା ସ୍ଥାନକୁ ଖୋଳା ନ ଯିବାରୁ ଜଳସେଚନ ଠିକ୍ ରୂପେ ହୋଇପାରୁନାହିଁ । ପ୍ରତିବର୍ଷ କେନାଲ ସଫେଇ ନାମରେ ଆସୁଥିବା ଅର୍ଥକୁ କେନାଲକୁ ଠିକ୍ ଭାବେ ସଫା କରାନଯାଇ କେନାଲର ଉଭୟ ପାଶ୍ୱର୍ରେ ଥିବା ଘାସଲତାକୁ ଜେସିବି ସାହାଯ୍ୟରେ ରାତିଅଧିଆ ସଫା କରାଯାଇ ସରକାରୀ ଅର୍ଥ ଆତ୍ମସାତ୍ କରାଯାଉଛି । ୬ନଂ କେନାଲର ବାରିଗୋଳ ଗ୍ରାମ ନିକଟରେ କେନାଲକୁ ସଫେଇ ନାମରେ ରାତି ଅଧିଆ ଘାସ କଟା ଯାଇଥିବାବେଳେ କେନାଲକୁ ସୁଚାରୁ ରୂପେ ସଫେଇ କରାଯାଇନଥିବାରୁ ଏହି ଅଞ୍ଚଳର ବହୁ ଚାଷୀ ଅଭିଯୋଗ କରିଛନ୍ତି । ସେହିପରି କେନ୍ଦ୍ରାପଡ଼ା କେନାଲରୁ ବାହାରିଥିବା ବିଭିନ୍ନ ଶାଖା କେନାଲ ଗୁଡିକ ଠିକ୍ ଭାବେ ସଫେଇ କରାଯାଉନଥିବାରୁ ଜମିର ଶେଷ ମୁଣ୍ଡରେ କେନାଲ ପାଣି ପହଞ୍ଚôପାରୁନାହିଁ । ଫଳରେ ଚାଷ କାର୍ଯ୍ୟ  ବାଧାପ୍ରାପ୍ତ ହେଉଛି । ସେହିପରି ଚାଷୀମାନେ ବର୍ଷା ଉପରେ ନିର୍ଭର କରି ଚାଷ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ସେହିପରି ବର୍ଷା ହେଲା ପରେ ୬ନଂ କେନାଲର ଉଭୟ ପାଶ୍ୱର୍ରୁ ମାଟି ଖସି କେନାଲ ମଧ୍ୟରେ ପଡି କେନାଲ ପୋତି ହେଉଥିଲେ ମଧ୍ୟ ଉକ୍ତ ମାଟିକୁ ସଫା କରାଯାଉ ନାହିଁ । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।