ବର୍ଷାଋତୁ ଓ ଶିଶୁସ୍ୱାସ୍ଥ୍ୟ

"ନବମାସ ଧୃତଂଗର୍ଭ ଭାସ୍କରସ୍ୟ ଗଭସ୍ତିଭି, ପିତ୍ୱାରସ ସମୁଦ୍ରାଣାଂ ଦୟୈ ପ୍ରସୁତ ରସାୟନମ୍' ନମାସ ଧରି ଆକାଶ ସମୁଦ୍ରର ଜଳକୁ ସୂର୍ଯ୍ୟ ରଶ୍ମି ଦ୍ୱାରା ଗ୍ରହଣ କରି ଏବେ ତରଳି ଶିଶୁକୁ ଜନ୍ମ ଦେଉଛି  । ଯାହାକି ଜୀବନର ଅମୃତ ସଦୃଶ  । ବର୍ଷାଋତୁର ବର୍ଣ୍ଣନା ଓ ଏହାର ସୌନ୍ଦର୍ଯ୍ୟ ଛଳ ଓ ଲାଳିତ୍ୟରେ କବି ବିଭୋର ହୋଇ ଅନେକ କାବ୍ୟ କବିତା ରଚନା କରିଛନ୍ତି  । କିନ୍ତୁ ଶିଶୁମାନଙ୍କ ପାଇଁ ଏହା ସ୍ୱାସ୍ଥ୍ୟପ୍ରଦ ଋତୁ ହୋଇନଥାଏ  । ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗ, ଡାକ୍ତର ସ୍ୱାସ୍ଥ୍ୟ କର୍ମୀ ସମସ୍ତେ ଯେ କୌଣସି ଆକସ୍ମିକ ରୋଗ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସଜାଗ ହୋଇରହିଥାନ୍ତି  । ରୋଗ ଔଷଧ ବିକ୍ରି ଓ ରୋଗ ସମ୍ବନ୍ଧୀୟ ସମସ୍ତ ବ୍ୟବସାୟର ଆଶାତୀତ ବୃଦ୍ଧି ଦେଖାଯାଏ  । ଏସବୁର କାରଣ ଅନ୍ୟାନ୍ୟ ଅପେକ୍ଷା ବର୍ଷା ଋତୁରେ ରୋଗ ଓ ରୋଗୀ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥାଏ  । ଋତୁର ପରିବର୍ତ୍ତନ ହେତୁ ପରିବେଶରେ ନିମ୍ନଲିଖିତ ପରିବର୍ତ୍ତନ ଦେଖାଦିଏ  ।
ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଏ, ଉତ୍ତାପ ଅଧିକ ଥାଏ  । ଏହାଫଳରେ ଶରୀର ମଧ୍ୟରୁ ନିଷ୍କାସିତ ହେଉଥିବା ଝାଳ ବାୟୁମଣ୍ଡଳକୁ ପ୍ରବେଶ କରି ପାରେନାହିଁ  । ଏହା ବାଷ୍ପୀଭୂତ ନହେବା ଫଳରେ ଶରୀରର ଶୀତଳ ହୁଏନାହିଁ ଓ ଅଧିକ ଗରମ ଅନୁଭୂତ ହୁଏ ଏହାକୁ ଗୁଳୁଗୁୁଳି କୁହାଯାଏ  । ଏହାଫଳରେ ଅନେକ ଚର୍ମରୋଗ ଦେଖାଯାଏ  ।
ଭୂତାଣୁ, ଜୀବାଣୁ, କୀଟାଣୁ, ପାରାସାଇଟ କୀଟ, ପତଙ୍ଗ ସମସ୍ତଙ୍କର ବଂଶ ବୃଦ୍ଧି ଆଶାତୀତ ବୃଦ୍ଧି ପାଏ, ଏହା ପ୍ରଜନନ ଋତୁ  । ତେଣୁ ରୋଗ ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଇଥାଏ  ।ବର୍ଷାଜଳ, ନଦୀ, ପୁଷ୍କରିଣୀ, ନାଳ, ନର୍ଦ୍ଦମା ସବୁକୁ ଏକାକାର କରିଦିଏ  । ଏପରିକି ପ୍ରଥମ ହେଉଥିବା ବର୍ଷାଜଳ ଅମ୍ଳଯୁକ୍ତ ହୋଇ ଦୂଷିତ ଜଳ ବର୍ଷା ହୋଇଥାଏ  । ସାପ, ବିଛା, ବିଷାକ୍ତ କୀଟ ଏମାନଙ୍କର ବିଲରେ ଜଳ ପ୍ରବେଶ ଫଳରେ ସେମାନେ ଗୃହ ମଧ୍ୟରେ ପ୍ରବେଶ କରନ୍ତି  । ଓ ସର୍ପ ଦଂଶନ, କୀଟ ଦଂଶନ ଇତ୍ୟାଦିର ପ୍ରକୋପ ଦେଖାଦିଏ  ।
ବର୍ଷା ହେତୁ ଭୂସ୍ଖଳନ, ବାଦଲଫଟା ବର୍ଷା ହେତୁ ଆକସ୍ମିକ ବନ୍ୟା  । ଦୁର୍ବଳ ଗୃହ ଭୁଶୁଡ଼ି ପଡ଼ିବା, ଜଳରେ ସଲିଳ ସମାଧି ନେବା, ଅନେକ ଦୁର୍ଦ୍ଦଶା ଦେଖାଯାଏ  । ବର୍ଷା ଋତୁର ଶିଶୁମାନଙ୍କ ପ୍ରଧାନ ରୋଗ ମାନଙ୍କ ମଧ୍ୟରୁ ଥଣ୍ଡା ବା ସର୍ଦ୍ଦି ରୋଗ ପ୍ରଧାନ  । ଏହାପ୍ରାୟ ଦୁଇଶହ ପ୍ରକାରର ଭୂତାଣୁ ହେତୁ ହୋଇଥାଏ  । ସେମାନଙ୍କ ମଧ୍ୟରୁ ରାଇନୋଭାଇରସ୍ ପ୍ରଧାନ  । ଇନ୍ଫ୍ଲୁଏଞ୍ଜା ଭାଇରସ୍ ମଧ୍ୟ ଏହି ସମୟରେ ଦେଖାଯାଇଥାଏ  । ଏହି ଭୂତାଣୁ ନିଶ୍ୱାସ ପ୍ରଶ୍ୱାସ, ଛିଙ୍କ, କାଶ ଓ ସ୍ପର୍ଶ ଦ୍ୱାରା ବ୍ୟାପିଥାଏ  । ଗେହ୍ଲା କରିବା ଫଳରେ, ଏକା ରୁମାଲରେ ମୁହଁ ପୋଛିବା ଫଳରେ, ଗୋଟିଏ କୋଠରିରେ ରହିବା ଫଳରେ ଏହା ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ଡେଇଁଥାଏ  । ଶରୀରରେ ରୋଗ ପ୍ରତିରୋଧ ଶକ୍ତି ନଥିବାରୁ ଶିଶୁମାନଙ୍କୁ ରୋଗ ଅଧିକ ଦିନ ରହିବା ସହିତ ଅନ୍ୟାନ୍ୟ ଉପସର୍ଗ ଦେଖାଦିଏ  । ଥଣ୍ଡା ପରେ ଶ୍ୱାସ, କାନପଚା, ନିଉମୋନିଆ ଇତ୍ୟାଦି ବୃଦ୍ଧି ପାଇଥାଏ  । ପ୍ରଥମେ ଥଣ୍ଡାରୋଗରେ ନାକରୁ ପାଣିବାହାରେ, କାଶ, ତଣ୍ଟିଘା, ଦେହ ହାତ ବ୍ୟଥା ଓ ଭୋକ ହୋଇନଥାଏ ଜ୍ୱର ମଧ୍ୟ ଶିଶୁମାନଙ୍କ ଠାରେ ଦେଖାଯାଇଥାଏ  । ରୋଗ ସଂକ୍ରମଣର ୧୬ଘଣ୍ଟା ପରେ ଦେହ ହାତ ବିନ୍ଧା ହୋଇଥାଏ  । ଦୁଇଦିନ ପରେ ନାକରୁ ପାଣି ବାହାରି ଛିଙ୍କ କାଶ ହୋଇଥାଏ  । ସାତରୁ ଦଶ ଦିନ ମଧ୍ୟରେ ମନକୁ ମନ ରୋଗ ଭଲ ହୋଇଯାଏ  । ସମୟ ସମୟରେ କାଶ ୨୧ରୁ ୨୫ ଦିନ ପର୍ଯ୍ୟନ୍ତ ରହିଥାଏ  । ଯେହେତୁ ଥଣ୍ଡା ରୋଗଟି ଭୂତାଣୁ ଜନିତ କୌଣସି ଔଷଧ ଆବିଷ୍କୃତ ହୋଇନାହିଁ  । ଜ୍ୱର, ଦେହ ବ୍ୟଥା ପାଇଁ, ଔଷଧ ଦେବା ଉଚିତ  । ଭିଟାମିନ ସି ର ବିଶେଷ ଭାବରେ ଉପକାରୀ  । ଆଣ୍ଟିବାଓଟିକ୍ର ବ୍ୟବହାର ଫଳରେ କୌଣସି ଉପକାର ମିଳିନଥାଏ  । ଇନ୍ଫ୍ଲୁଏଞ୍ଜା ରୋଗ ଫଳରେ ଅଧିକ ଜ୍ୱର ଓ ଶ୍ୱାସକଷ୍ଟ ଦୁର୍ବଳତା ଅନୁଭୂତ ହୋଇଥାଏ  । ଯାହାକି ଜୀବନପ୍ରତି ବିପଦ ସୃଷ୍ଟି କରିଥାଏ  ।  ଥଣ୍ଡା ଓ ଇନ୍ଫ୍ଲୁଏଞ୍ଜାରୁ ରକ୍ଷା ପାଇବା ପାଇଁ ଶିଶୁକୁ ଥଣ୍ଡା ରୋଗୀ ଠାରୁ ଦୂରେଇ ରଖନ୍ତୁ  । ତାର ମୁଖରେ ଚୁମା ଦେବା, ଓ ତାର ମୁଖ, ଗାଲ ଇତ୍ୟାଦି ଛୁଇଁବା ଅନୁଚିତ, ମା’ଙ୍କୁ ଥଣ୍ଡା ହୋଇଥିଲେ ମା' ମାସ୍କ ବ୍ୟବହାର କରିବା ଉଚିତ  । ଅବଶ୍ୟ ମାର କ୍ଷୀର ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ  । ବର୍ଷାଋତୁରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗର ପ୍ରକୋପ ବୃଦ୍ଧି ହୋଇଥାଏ  । ଔଷଧ ଛଡ଼ା ମଶାରୀର ବ୍ୟବହାର, ରକ୍ତ ପରୀକ୍ଷା ଓ ଠିକ୍ ସମୟରେ ଔଷଧ ବ୍ୟବହାର ମ୍ୟାଲେରିଆରୁ ରକ୍ଷା କରିଥାଏ  । ମଶା ଧୂପ, ଓ ଲିକୁ୍ୟଏଡଟର ମଶାକ୍ରିମ ଓ ତେଲ ମଧ୍ୟ ବ୍ୟବହାର କରାଯାଇପାରେ  । ଶିଶୁର ଅସୁସ୍ଥତା ପାଇଁ ଦୂଷିତ ଜଳ ଅନେକ ପରିମାଣରେ ଦାୟୀ  । ଏହାଫଳରେ ତରଳ ଝାଡ଼ା, ଜଣ୍ଡିସ୍, କୃମି ରୋଗ, ଟାଇଫଏଡ଼୍, ଲେପ୍ଟେସ୍ପାଇରୋସିସ୍ ଇତ୍ୟାଦି ରୋଗ ଦେଖାଦେଇଥାଏ  । ବର୍ଷା ଋତୁରେ ଶିଶୁମାନଙ୍କ ରୋଗରୁ ରକ୍ଷା ପାଇବା ପାଇଁ ପରିଷ୍କାର ପରିଚ୍ଛନ୍ନତା ଅତି ଦରକାର  ।  ବର୍ଷାରେ ଓଦା ହେବା ପରେ କିମ୍ବା ବାହାର ନର୍ଦ୍ଦମା ପାଣି ମଧ୍ୟରେ ଓଦା ହୋଇ ଆସିବାପରେ, ସଫା ହୋଇ ଗାଧୋଇବା ସଫାସୁତୁରା ରହିବା ଦରକାର, ଖାଇବାକୁ ଦେବା ପୂର୍ବରୁ ଗରମ ପାଣିରେ ବାସନ ଧୋଇବା ଉଚିତ  । ମାଛି ପ୍ରତି ସତର୍କତା ଗ୍ରହଣ କରିବା ଉଚିତ  । ମଶାରୀ ବ୍ୟବହାର, ଫୁଟା ପାଣି ବ୍ୟବହାର କରିବା ଜରୁରି  । 
ଡା.ଜ୍ୟୋତିରଞ୍ଜନ ଚମ୍ପତିରାୟ
ମୋ : ୯୪୩୭୧୨୪୦୭୪