ଓଡ଼ିଆରେ ଇଗ୍ନୋ ପାଠପଢ଼ା
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ପତ୍ର ଅନୁଯାୟୀ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଳୋମା, ଡିପ୍ଳୋମା ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍ନାଲ୍ ଷ୍ଟଡ଼ିଜ), ଟ୍ରାଭେଲ ଓ ଟୁରିଜିମ୍ ମ୍ୟାନେଜମେଣ୍ଟ, ବିବିଏ, ଏମବିଏ ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ ।
ଆଜିର ଏହି ବୁଝାମଣା ପତ୍ର ସ୍ୱାକ୍ଷର ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ କହିଥିଲେଯେ, ଆଜିର ଏହି ବୁଝାମଣା ପତ୍ର ସ୍ୱାକ୍ଷର ମାଧ୍ୟମରେ ଆମ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଲାଭ କରିପାରିବେ । ଏହା ଏକ ଐତିହାସିକ ପଦକ୍ଷେପ । ଉଚ୍ଚଶିକ୍ଷା ଲାଭ କରିବାରେ ପାଠ୍ୟକ୍ରମର ଭାଷା ବା ମାଧ୍ୟମ ଆଉ ବାଧକ ସାଜିବ ନାହିଁ ।
ଆଜିର ଏହି କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ରମାକାନ୍ତ ନାୟକ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଉମା କାଞ୍ଜିଲାଲ, ରେଜିଷ୍ଟାର ଡ. ଆଲୋକ ଚୌବେ ପ୍ରମୁଖ ଉପସ୍ଥିତ ଥିଲେ ।...