ବେଗୁନିଆରେ ବିଜେପି ନେତାଙ୍କ କଳି : ପୁଲିସ ଓ ପ୍ରଶାସନ ସ୍ୱାଣ୍ଡୱିଚ୍
ାା ସ୍ୱତନ୍ତ୍ର ପ୍ରତିନିଧି, ଗୋବିନ୍ଦ ଚନ୍ଦ୍ର ପଣ୍ଡା ।ା
ବେଗୁନିଆ ରାଜନୀତିକୁ ନେଇ ସୂର୍ଯ୍ୟପ୍ରଭା ଯାହା ଆକଳନ କରିଥିଲା ତାହା ସତ ସାବ୍ୟସ୍ତ ହୋଇଛି । ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହେବ ଓ ଉଭୟ ମୁଁହାମୁଁହି ପରିସ୍ଥିତି ସୃଷ୍ଟି ହେବେ ବୋଲି ଆମେ ପୂର୍ବାନୁମାନ କରିଥିଲୁ । ସତକୁ ସତ ଗୋଟିଏ ପଟେ ପ୍ରଶାନ୍ତ ଜଗଦେବ ଓ ଅନ୍ୟପଟେ ପ୍ରକାଶ ବିଜୁଳୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ବିବାଦ କେବଳ ଦଳୀୟ ଅଳିନ୍ଦରେ ନୁଁହ ବରଂ ଥାନାରେ ପହଁଚିଛି । ସୂଚନା ଅନୁଯାୟୀ ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି ଓ ବେଗୁନିଆ ବିଡ଼ିଓ ସନ୍ତୋଷ ଜେନାଙ୍କ ବାର୍ତାଳାପର ଅଡିଓ ସାମାଜିକ ଗଣମାଧ୍ୟ୍ୟମରେ କିଛିଦିନ ତଳେ ଭାଇରାଲ ହେବାପରେ ଘଟଣା ନୂଆ ମୋଡ଼ ନେଇଛି । ଘଟଣାରେ ପ୍ରକାଶ ବିଜୁଳି ଏହି ଅଡିଓର କୌଣସି ସତ୍ୟତା ନଥିବା ଏବଂ ଏହି ଅଡିଓରେ ମୋର କଥାକୁ ଏଡିଟିଂ କରାଯାଇଛି ଯାହାଦ୍ୱାରା ମୋର ସମ୍ମାନ ହାନି ହେଉଛି ଏବଂ ମୋତେ ବଦନାମ କରିବା ପାଇଁ ଅପଚେଷ୍ଟା କରିଥିବା ଗତକାଲି ଶୁକ୍ରବାର ଅପରାହ୍ନରେ ତାଙ୍କ ସମର୍ଥକ ମାନେ ପୁଲିସ ଡିଜିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ବୋଲଗଡ଼ ଥାନାରେ ପ୍ରଦାନ କରିଥିଲେ । ଅନୁରୂପ ଭାବେ ଗତକାଲି ଶୁକ୍ରବାର ରାତିରେ ଖୋର୍ଦ୍ଧା ବିଧାୟକଙ୍କ ସମର୍ଥକ ମାନେ ପ୍ରକାଶ ବିଜୁଳିଙ୍କ ନାମରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାଇ ପ୍ରକାଶ ବିଜୁଳି ଖୋର୍ଦ୍ଧା ବିଧାୟକ ଏବଂ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେବା ସହ ଗାଳିଗୁଲଜ କରିବା ସହିତ ବିଶୃଙ୍ଖଳା ସୃଷ୍ଟି କରିଥିବା ଭଳି ଅଭିଯୋଗ ହୋଇଥିଲା ତେବେ ଘଟଣାକୁ ବେଗୁନିଆ ପୋଲିସ ଗୁରୁତର ସହ ନେଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ (ବିଏନଏସ୍ଏସ୍)ର ଧାରା ୧୭୩(୩)ଧାରାରେ ମାମଲା ରୁଜୁ କରି ଏହାର ତଦନ୍ତ ଚଳାଇଛି । ବିଜେପି ନେତାଙ୍କ ଭିତରେ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ଏହା ଦଳ ପାଇଁ ଶୁଭଙ୍କର ହେଉନଥିବା ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି । ତେବେ ଖୁବଶୀଘ୍ର ପ୍ରକାଶ ବିଜୁଳିଙ୍କ ବିରୁଦ୍ଧରେ କିଛି ନିଷ୍ପତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।