ସ୍ୱାଭାବିକ ହେଲା ବସ୍ ଚଳାଚଳ 

 ପୁରୀ: ଡ଼୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନେ୍ଦାଳନ ବିଭିନ୍ନ ସ୍ଥାନରେ ଜାରି ରହିଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ସ୍ୱଭାବିକ ହେବ ନାହିଁ ବୋଲି ମହାସଂଘ ଅଡ଼ି ବସିଛି । ମାତ୍ର କଂଗ୍ରେସର ସମ୍ବିଧାନ ବଞ୍ଚାଅ ସମାବେଶ ପ୍ରତି କୋହଳ ମନଭାବ ଡ଼୍ରାଇଭର ମହାସଂଘକୁ ମହଙ୍ଗା ପଡ଼ିଛି । ଅପର ପକ୍ଷରେ ଘରୋଇ ବସ୍ ମାଲିକଙ୍କୁ ଅସ୍ତ୍ର କରି ସରକାର ଆନେ୍ଦାଳନକୁ ଭଣ୍ଡୁର କରିବାକୁ ଯୋଜନା କରୁଛନ୍ତି ବୋଲି ଡ଼୍ରାଇଭର ମହାସଂଘ ଅଭିଯୋଗ କରିଛି । ଏହି ପରିପ୍ରେକ୍ଷୀରେ ଶନିବାର ଠାରୁ ସ୍ୱାଭାବିକ ହୋଇଛି ବସ୍ ଚଳାଚଳ । ସରକାର ସେମାନଙ୍କୁ ସୁରକ୍ଷା ଯୋଗାଇଦେବା ଆବଶ୍ୟକ ବୋଲି ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଚାରି ଦିନ ଧରି ପ୍ରାୟ ୧୨୦୦୦ ବସ୍ ସମେତ ପୁରୀର ୨୫୦ଟି ବସ୍ ଚଳାଚଳ ଅଚଳ ହୋଇଥିଲା । ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ଶୁକ୍ରବାର ଦିନ ପୁରୀରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ତଦନୁଯାୟୀ ଶନିବାର ସମସ୍ତ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି ।