ସମ୍ବିଧାନ ବଞ୍ଚାଅ ସମାବେଶ ପାଇଁ ପ୍ରସ୍ତୁତି ବୈଠକ

 ଜଗତସିଂହପୁର  : ଜଗତସିଂହପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଂଯୋଜକ ନଟବର ବାରିକଙ୍କ ସଭାପତିତ୍ୱରେ ଆସନ୍ତା ୧୧ ତାରିଖରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଥିବା "ସମ୍ବିଧାନ ବଞ୍ଚାଅ ସମାବେଶ" ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଯାଇଅଛି । ବର୍ଷିୟାନ କଂଗ୍ରେସ ନେତା, ପୂର୍ବତନ ସରପଞ୍ଚ ମୁରଲୀଧର ରଥଙ୍କ ବିୟୋଗରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଅଜୟ ଲଲ୍ଲୁ ଯୋଗଦେଇ ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାରେ ରାଜ୍ୟ ସରକାରଙ୍କ ବିଫଳତା ଆଦି ପ୍ରତିବାଦରେ ଆସନ୍ତା ଜୁଲାଇ ମାସ ୧୧ ତାରିଖ ଦିନ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରର ବରମୁଣ୍ଡା ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ସମ୍ବିଧାନ ବଞ୍ଚାଅ ସମାବେଶରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସମ୍ପାଦକ କେ ସି ବେନୁଗୋପାଳ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମକୁ ସଫଳ କରିବାକୁ ଉପସ୍ଥିତ ନେତୃମଣ୍ଡଳୀଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ. ନଳିନୀ ସ୍ୱାଇଁ, ପାରାଦ୍ୱୀପ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ନିରଞ୍ଜନ ନାୟକ, ଜଗତସିଂହପୁର ନିର୍ବାଚନମଣ୍ଡଳୀର କଂଗ୍ରେସ ନେତ୍ରୀ ପ୍ରତିମା ମଲ୍ଲିକ, ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ଏହି ସମାବେଶକୁ କିପରି ସଫଳ କରାଯିବ ସେନେଇ ଆଲୋଚନା କରିଥିଲେ  । ସରୋଜ ମହାପାତ୍ର, ଅମରେନ୍ଦ୍ର ମହାନ୍ତି, ସୌମ୍ୟରଞ୍ଜନ ମହାଳି, ପଙ୍କଜ ପଣ୍ଡା, ଇଶ୍ୱର ସ୍ୱାଇଁ, ରାଜେନ୍ଦ୍ର ସ୍ୱାଇଁ, ଉମେଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସମ୍ବିଧାନ ବଞ୍ଚାଅ ସମାବେଶକୁ ସଫଳ କରିବାକୁ ମତ ପ୍ରଦାନ କରିଥିଲେ ।