ସାଧବ ବୋହୂର ସଂରକ୍ଷଣ


ଡିÿଆ ଢଗ ଢମାଳିରେ ଗୋଟିଏ କଥା ଅଛି  । ନାଲି ଟୁକୁଟୁକୁ ସାଧବ ବୋହୂ , ମେଘ ବରଷାରେ କୁଆଡ଼େ ଯାଉ  । ବର୍ଷାର ପ୍ରଥମ ଅସରା ଯେତେବେଳେ ଧରାପୃଷ୍ଠକୁ ସ୍ପର୍ଶ କରେ ସେତେବେଳେ ନିଜର ସୁନ୍ଦର ରୂପରେ ସମସ୍ତଙ୍କ ମନ ମୋହି ନିଅନ୍ତି ସାଧବ ବୋହୂ  । ନାଲି ରଙ୍ଗ ଆବରଣରେ ସବୁଜ ଧରଣୀକୁ ଅଧିକ ଆକର୍ଷଣୀୟ କରନ୍ତି ଏମାନେ  । ପ୍ରକୃତିରେ ଅନେକ ସୁନ୍ଦର ସୃଷ୍ଟି ମଧ୍ୟରୁ ଅନ୍ୟତମ ହେଉଛି ସାଧବ ବୋହୂ । ଆଶା ଓ ସମୃଦ୍ଧିର ବାର୍ତ୍ତାବହ ଭାବେ ଏମାନେ ଏକ ଭଲ ମୌସୁମିର ସଙ୍କେତ ଦିଅନ୍ତି । ଗ୍ରୀଷ୍ମରେ କେଉଁଆଡେ ଅଦୃଶ୍ୟ ହୋଇ ଯାଉଥିବା ଏହି ଛୋଟ ଜୀବଟି ବର୍ଷାର ପ୍ରଥମ ସ୍ପର୍ଶ ପାଇବା ପରେ କେଉଁଠୁ କିପରି ବାହାରି ଆସେ ତାହା ସମସ୍ତଙ୍କୁ ଚକିତ କରିଥାଏ । ହେଲେ ବର୍ଷା ସମୟରେ ସବୁଜିମାଭରା ଘାସ ଉପରେ ଏହି ନାଲି ଟୁକୁ ଟୁକୁ ସାଧବ ବୋହୂ ଆଉ ଦେଖାଯାଉ ନାହାଁନ୍ତି  । ସହର ସମ୍ପ୍ରସାରଣ, ପ୍ରଦୂଷିତ ପରିବେଶ ଯୋଗୁଁ ଏହି ମନଲୋଭା କୀଟଗୁଡ଼ିକ ପ୍ରାୟତଃ ହଜିଗଲେଣି । ସତେ ଯେମିତି ଆଧୁନିକ ମଣିଷର ବିକଶିତ ସହର ଭିତରେ ସେ ଆତ୍ମପ୍ରକାଶ କରିବାକୁ ଡରୁଛି । ସାଧବ ବୋହୂ ଆତ୍ମପ୍ରକାଶ କଲେ ମୌସୁମି ଆସିଗଲା ବୋଲି ସାଧାରଣ ଗାଉଁଲି ମଣିଷଟିଏ ନିଶ୍ଚିତ ହୋଇଯାଇଥାଏ । ଆଜିର ବିଜ୍ଞାନ ଯୁଗରେ ମୌସୁମିକୁ ନେଇ ଯେତେ ପୂର୍ବାନୁମାନ କରାଗଲେ ମଧ୍ୟ ପ୍ରକୃତିକୁ ଦେଖି ମୌସୁମିର ଆଗମନ ଆକଳନ କରିବା ବେଶ୍ ନିଆରା । ବର୍ଷାଦିନେ ଏହି ନାଲି ଟୁକୁଟୁକୁ ପୋକ ସଭିଙ୍କ ଦୃଷ୍ଟି ଆକର୍ଷଣ କରେ, ଖାସ୍ କୁନିକୁନି ପିଲାଙ୍କର । ସାଧବ ବୋହୂର ନାମକରଣ ପଛରେ କୌଣସି ବିଧିବଦ୍ଧ ପୃଷ୍ଠଭୂମି ମିଳିନଥିଲେ ବି ସମ୍ଭବତଃ ବିଗତ ଦିନର ସାଧବ ଘରର ବୋହୂଟିକୁ ନେଇ ଏହି କ୍ଷୁଦ୍ରଜୀବଟିର ନାମ ଦିଆଯାଇଛି । 
ଉତ୍ତପ୍ତ ଖରାଦିନରେ କେଉଁଆଡେ ଉଭାନ ହେଉଯାଉଥିବା ଏହି ପୋକ ବର୍ଷା ହେବା ମାତ୍ରେ କେଉଁଠୁ ଯେ ଆବିର୍ଭାବ ହୁଅନ୍ତି ତାହା କେହି କହି ଜାଣି ନାହାନ୍ତି  । ସାଧବ ବୋହୂ ନାଁ ଟି କେଉଁଠୁ ଆସିଛି ତାହା ମଧ୍ୟ କହିପାରିବା କଷ୍ଟ  । ସାଧବ ଘର ବୋହୁ ନାଲି ପାଟ ଶାଢ଼ି ପିନ୍ଧିବା ପରେ ଯେମିତି ସୁନ୍ଦର ଦେଖାଯାଏ ସେମିତି ସୁନ୍ଦର ଏହି ପୋକ ଦେଖାଯାଉଥିବାରୁ ବୋଧହୁଏ ତାକୁ ମଧ୍ୟ ସାଧବବୋହୂ ବୋଲି କୁହାଯାଏ  ।  ବିଭିନ୍ନ ରାଜ୍ୟରେ ଏହା ଭିନ୍ନଭିନ୍ନ ନାମରେ ପରିଚିତ । କେଉଁଠି ଏହା ବୀର ବାହୁତି, ବୀର୍ବାବୋତି, ସ୍କାର୍ଲଟ ଫ୍ଲାଏ, ଲେଡି ଫ୍ଲାଏ, ଭେଲ୍ଭେଟ ବୁଚି ତ କେଉଁଠି ଆରୁଦ୍ରା ପୁରୁଗୁ ତେଲୁଗୁରେ, ରାନୀ କିଡା ହିନ୍ଦୀ/ଉର୍ଦ୍ଦୁରେ, ଗୋକଳ ଗାୟ ଅଥବା ମାମା ନି ଗାୟ ଗୁଜରାଟରେ, ଇନ୍ଦ୍ରଗୋପ, ମିରାଗ ମରାଠୀରେ, ପାଟ୍ଟୁ ପାପାଥି ପୂଚି ତାମିଲରେ ପରିଚିତ । ସାଧବ ବୋହୂକୁ ନେଇ ନାନା କାହାଣୀ, ଗୀତ ରଚନା କରାଯାଇଛି । ଇଂରାଜୀରେ ‘ରେଡ୍ ଭେଲଭେଟ୍? ମାଇଟ୍ସ’ ନାମରେ ଜଣାଯାଉଥିବା ଏହି କୀଟର ପ୍ରାଣୀ ବିଜ୍ଞାନ ନାମ ଟ୍ରମ୍ବିଡିୟମ ଗ୍ରାଣ୍ଡିସିମମ୍ ଏବଂ ଏହା ଟ୍ରମ୍ବିଡିଡେ ଫ୍ୟାମିଲିର । 
ତେବେ ଆସନ୍ତୁ ଜାଣିବା ଏହି ସାଧବ ବୋହୂଙ୍କ ସ୍ଥିତି ବିଷୟରେ । ଏକ ନାଲି ରଙ୍ଗର ଛୋଟ ସନ୍ଧିପଦ ପୋକ ଏହି ସାଧବ ବୋହୂ  । ଏହା ଓଡ଼ିଶାର ଗଣ ପର୍ବ ରଜରେ ପୂଜା କରାଯାଇଥାଏ  । ସାଧାରଣତଃ ବର୍ଷାଦିନେ ଏଗୁଡିକ ବୁଦାଳିଆ ଅଞ୍ଚଳରେ ଦେଖାଯାଏ  । ରଜ ସଙ୍କ୍ରାନ୍ତି ଦିନ କୁଆଁରୀ ଝିଅମାନେ ଏମାନଙ୍କୁ ସଂଗ୍ରହ କରିଥାନ୍ତି ଓ ଭଲ ବର୍ଷା ନିମନ୍ତେ ପୂଜା କରିଥାନ୍ତି । ଏହି ପୋକର ରଙ୍ଗ ଗାଢ ସିନ୍ଦୂର ରଙ୍ଗ ହୋଇଥିବାରୁ ଏହା ବୋହୂଟିଏ ନାଲି ପାଟ ପିନ୍ଧି ସିନ୍ଦୂର ଲଗାଇଥିବା ଭଳି ଦିଶେ  । ସେଥିପାଇଁ ଓଡ଼ିଆରେ ଏହାକୁ ସାଧାବ ବୋହୂ କୁହାଯାଏ  । ଏହି ଅମେରୁଦଣ୍ଡୀ ସନ୍ଧିପଦ ପ୍ରାଣୀ "ଆରକ୍ନିଡା" ଶ୍ରେଣୀରେ ଆସେ ଯେଉଁଥିରେ କି ବୁଢିଆଣୀ, କଙ୍କଡା ବିଛା ତଥା ରାମଲେଖନୀ କଙ୍କଡା ଶ୍ରେଣୀଭୁକ୍ତ ହୋଇଥାନ୍ତି  । ଏହାର ଆଠଟି ଗୋଡ଼ ଥାଏ  । ଏହାର ଶରୀର ଉପର ଭାଗଟି ଭେଲଭେଟ କନା ପରି ଚିକ୍କଣ ହୋଇଥିବାରୁ ଇଂରାଜୀ ଭାଷାରେ ଏହା ରେଡ଼ ଭେଲଭେଟ ମାଇଟ ବୋଲି ନାମିତ ହୋଇଥାଏ । ମାଈ ସାଧବ ବୋହୂଗୁଡ଼ିକ ଅଣ୍ଡିରା ସାଧବ ବୋହୂଙ୍କ ତୁଳନାରେ ଅଧାଅଧି ଆକାର ହୋଇଥାନ୍ତି । ପ୍ରାପ୍ତ ବୟସ୍କ ଏକ ସାଧବ ବୋହୂ ପ୍ରାୟ ଏକ ସେଣ୍ଟିମିଟର ଦୈର୍ଘ୍ୟ ଯାଏଁ ବଢିଥାନ୍ତି  । ଏମାନଙ୍କ ମୁହଁରେ ଏପରି ଅଙ୍ଗପ୍ରତ୍ୟଙ୍ଗ ଯୋଡିÿ ହୋଇଥାଏ ଯାହା ଗଛପତ୍ରରୁ ରସ ଶୋଷିବା ତଥା ପତ୍ର କାଟିବା କାର୍ଯ୍ୟରେ ଲାଗିଥାଏ  । ଗୋଡଗୁଡ଼ିକ ମାଟି ତାଡିÿବା ତଥା ଠେଲାପେଲା କାମରେ ଲାଗିଥାଏ  । ଯେତେବେଳେ ଏମାନେ ଅଣ୍ଡାରୁ ଜନ୍ମ ହୋଇଥାନ୍ତି, ସେତେବେଲେ ସେମାନଙ୍କ ରଙ୍ଗ ଫିକା ନାଲି ରଙ୍ଗ ଥାଏ ଓ ପରେ ଧୀରେ ଧୀରେ ଗାଢ ନାଲି ରଙ୍ଗ ଆସିଥାଏ  । କେବଳ ବର୍ଷାଋତୁ ଆରମ୍ଭରେ ଏମାନେ ଦିନ ବେଳା ଘାସ ଉପରେ ଦେଖାଯାଇଥାନ୍ତି  । ଏମାନେ ସାଧରଣତଃ ଜଙ୍ଗଲିଆ ବାଲିଆ ମାଟିରେ ରହନ୍ତି  । ବର୍ଷର ଅଧିକାଂଶ ସମୟ ଏମାନେ ମାଟି ତଳେ ରୁହନ୍ତି ଓ ବର୍ଷା ହେଲେ ବାହାରକୁ ଆସନ୍ତି  । ସେତିକି ବେଳେ ଏମାନେ ଖାଦ୍ୟ ଖୋଜନ୍ତି ଓ ପ୍ରଜନନ କରିଥାନ୍ତି  । ସାଧବବୋହୂ ଅଣ୍ଡା ଦେଇ ବଂଶ ବିସ୍ତାର କରିଥାଏ  । ମାଟିରେ ମିଶି ରହିଥିବା ସାଧବବୋହୂର ଅଣ୍ଡା ବର୍ଷା ଜଳ ଓ ଅନୁକୂଳ ତାପମାତ୍ରାରେ ମିଳିଲେ ଛୁଆ ଫୁଟେ  । ବର୍ତ୍ତମାନ ଅନୁକୂଳ ପରିବେଶର ଅଭାବ ଯୋଗୁଁ ଏମାନଙ୍କ ବଂଶ ବିସ୍ତାର ହୋଇ ପାରୁନାହିଁ  । ଏମାନେ ବର୍ଷକୁ ଥରେ ଅଣ୍ଡା ଦେଇଥାନ୍ତି  । ସ୍ୱଳ୍ପ ମାତ୍ରାରେ ଅଣ୍ଡାଦେବା ଏମାନଙ୍କ ବିଲୁପ୍ତିର ଅନ୍ୟ କାରଣ ଭାବରେ ବିବେଚନା କରାଯାଏ  । ସାଧବବୋହୂର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି  । ମୃତ ସାଧବବୋହୂକୁ ଖରାରେ ଶୁଖାଇ ଛତିଶଗଡ଼ ରାଜ୍ୟର ଲୋକେ ଏକ ତେଲ ପ୍ରସ୍ତୁତ କରନ୍ତି । ଯାହା ପକ୍ଷାଘାତ ରୋଗ ପାଇଁ ଧନ୍ୱନ୍ତରୀ ଔଷଧ ଭାବରେ ବିବେଚନା କରାଯାଏ  ।
ତେବେ ଆଜିର ଅତ୍ୟାଧୁନିକ ଯୁଗରେ ଆଉ ସ୍ୱାର୍ଥୀ ମଣିଷ ଯୋଗୁଁ ଆଜି ଏ କୁନି ଜୀବଟି ମଧ୍ୟ ଖୋଜୁଛି ନିଜ ଜୀବନର ସତ୍ତା  । ଦିନ ଥିଲା ବର୍ଷା ପଡ଼ିବା ମାତ୍ରେ ଘାସ ଉପରେ ହସି ଉଠୁଥିଲେ ଅନେକ ସାଧବ ବୋହୂ  । ଏବେ କିନ୍ତୁ ସେ ଦୃଶ୍ୟ ବିରଳ  । ସହରାଞ୍ଚଳ ବୃଦ୍ଧି କାରଣରୁ ସେମାନଙ୍କର ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେବାରେ ଲାଗିଛି । ତା’ସହିତ ଛତିଶଗଡ ଏବଂ ଓଡିଶାର ଆଦିବାସୀବହୁଳ ଅଞ୍ଚଳରେ ବାସକରୁଥିବା ଜନସାଧାରଣ ବିଭିନ୍ନ ରୋଗର ଚିକିସôା ପାଇଁ ଯେଉଁସବୁ ପାରମ୍ପରିକ ଔଷଧ ବ୍ୟବହାର କରୁଛନ୍ତି, ସେଥିପାଇଁ ମଧ୍ୟ ସାଧବବୋହୂ ବଂଶ ଲୋପ ପାଉଛି । କାରଣ ସାଧବବୋହୂ ଦେହରୁ ବାହାରୁଥିବା ତୈଳ ସହିତ ଅନ୍ୟାନ୍ୟ ଗୁଳ୍ମ ମିଶାଇ ଯେଉଁ ଔଷଧ ପ୍ରସ୍ତୁତ କରାଯାଉଛି ତାହା ଦଶଟି ବିଭିନ୍ନ ରୋଗର ଚିକିସôା କ୍ଷେତ୍ରରେ ବ୍ୟବହାର କରାଯାଉଛି । ସେଥିମଧ୍ୟରେ ପକ୍ଷାଘାତ, ପରିସ୍ରାଜନିତ ସମସ୍ୟା, ମେଲେରିଆ ଆଦି ଅନ୍ୟତମ । ବର୍ଷାଦିନେ ଏହି କୀଟକୁ ସଂଗ୍ରହ କରାଯାଇ ବର୍ଷତମାମ ବ୍ୟବହାର କରାଯାଉଛି । ତା’ସହିତ ଚାଷଜମିରେ ବ୍ୟାପକ ପରିମାଣର କୀଟନାଶକ ବ୍ୟବହାର କାରଣରୁ ସାଧବବୋହୂ ବିଲୁପ୍ତ ହୋଇଯାଉଛନ୍ତି । ଯଥାଶୀଘ୍ର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ  । ନଚେତ ବିରଳ ଜୀବଙ୍କ ତାଲିକାରେ ସାଧବ ବୋହୂର ନାଁ ବି ଖୁବ୍ ଶୀଘ୍ର ଯୋଡ଼ି ହୋଇଯିବ  ।
ଅରଙ୍ଗାବାଦ ବରୀ ଯାଜପୁର
ମୋବାଇଲ - ୮୨୪୯୫୦୨୭୭୬