ଏଣିକି ଲୋକସଭାରେ ପ୍ରେଜେଣ୍ଟ୍ ପକାଇବେ ସାଂସଦ

ଏଣିକି ଲୋକସଭାରେ ପ୍ରେଜେଣ୍ଟ୍ ପକାଇବେ ସାଂସଦ । ଲୋକସଭାରେ ସାଂସଦଙ୍କ ଉପସ୍ଥିତିକୁ ରେକର୍ଡ କରିବା ପାଇଁ ଆରମ୍ଭ ହେବାକୁ ଯାଉଛି ନୂଆ ପଦ୍ଧତି । ଚଳିତ ମୌସୁମୀ ଅଧିବେଶନରୁ ନୂଆ ପଦ୍ଧତି ପ୍ରଚଳନ ହେବାକୁ ଯାଉଛି । ଏହି ନୂଆ ନିୟମ ଅନୁଯାୟୀ, ସଂସଦରେ ସାଂସଦମାନେ କେତେ ଦିନ ଉପସ୍ଥିତ କେତେ ଦିନ ଅନୁପସ୍ଥିତ ରହିବେ ସେ ସବୁ ତଥ୍ୟ ରେକର୍ଡ ହେବ ।  ପୂର୍ବରୁ ସାଂସଦମାନଙ୍କୁ ଲବିକୁ ଯାଇ ରେଜିଷ୍ଟରରେ ସେମାନଙ୍କର ଉପସ୍ଥିତି ପଞ୍ଜିକୃତ କରିବାକୁ ପଡୁଥିଲା । କିନ୍ତୁ ଏବେ ଏହି ସିଷ୍ଟମ୍‌ ରହିବ ନାହିଁ । ଲାଗୁ ହେବାକୁ ଯାଉଥିବା ନୂଆ ପଦ୍ଧତି ସାଂସଦମାନଙ୍କ ସମୟ ବଞ୍ଚାଇବ । ସାଂସଦମାନଙ୍କ ଆସନ ପାଖରେ ଏକ ଇଲୋକ୍ଟ୍ରୋନିକ୍ ସିଷ୍ଟମ୍ ରହିବ । ଇଲେକ୍ଟ୍ରୋନିକ୍ ଭାବରେ ସେମାନଙ୍କର ଉପସ୍ଥିତି ପଞ୍ଜୀକୃତ କରିବେ ସାଂସଦ । ଏପର୍ଯ୍ୟନ୍ତ, ଯେତେବେଳେ ଲବିରେ ହାଜିରା ନିଆଯାଉଥିଲା, ଅନେକ ସମୟରେ ସେଠାରେ ଭିଡ଼ ହେଉଥିଲା । ଏହା ସହିତ, କିଛି ସାଂସଦ କେବଳ ହାଜିରା ପକାଇ ଚାଲିଯାଆନ୍ତି ଏବଂ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି ନାହିଁ, କିନ୍ତୁ ଏବେ ଠକିପାରିବେନାହିଁ କେହି । 

ସୂତ୍ର ଅନୁସାରେ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ନୂତନ ପଦ୍ଧତି କାର୍ଯ୍ୟକାରୀ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ତଥାପି, ପ୍ରାରମ୍ଭିକ ଦିନରେ, ପୁରୁଣା ଲବି ରେଜିଷ୍ଟର ମଧ୍ୟ ଜାରି ରହିବ, ଯାହା ଦ୍ୱାରା ସାଂସଦମାନେ ନୂତନ ଇଲେକ୍ଟ୍ରୋନିକ୍ ସିଷ୍ଟମ ସହିତ ପରିଚିତ ହୋଇପାରିବେ । ଗତ ବର୍ଷ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ସାଂସଦମାନଙ୍କୁ ଡିଜିଟାଲ୍ ପେନ୍ ଏବଂ ଟାବଲେଟ୍ ମାଧ୍ୟମରେ ଲବିରେ ସେମାନଙ୍କର ଉପସ୍ଥିତି ଜାହିର କରିବାର ବିକଳ୍ପ ଦେଇଥିଲେ, ଯାହାଦ୍ୱାରା ସଂସଦକୁ କାଗଜବିହୀନ କରିବା ଦିଗରେ ଏକ ପଦକ୍ଷେପ ନିଆଯାଇଥିଲା । ପୂର୍ବରୁ, ସାଂସଦମାନେ ଲୋକସଭା ଭବନର ଲବିରେ ଏକ ରେଜିଷ୍ଟରରେ ପ୍ରେଜେଣ୍ଟ୍ ପକାଉଥିଲେ । ଏହି ରେଜିଷ୍ଟର ସେଠାରେ ନିୟୋଜିତ କର୍ମଚାରୀଙ୍କ ଦ୍ୱାରା ଯୋଗାଇ ଦିଆଯାଇଥାଏ । ସ୍ୱାକ୍ଷର କରିବା ପରେ ହିଁ, ସେହି ଦିନ ପାଇଁ ସାଂସଦଙ୍କ ଉପସ୍ଥିତିକୁ ବିଚାରକୁ ନିଆଯାଇଥାଏ ।

ନୂତନ ବ୍ୟବସ୍ଥା ଅନୁଯାୟୀ, ସାଂସଦମାନେ ଏବେ ନିଜ ନିଜ ଆସନରେ ବସି ସେମାନଙ୍କର ଉପସ୍ଥିତି ପଞ୍ଜିକୃତ କରିପାରିବେ । ସମସ୍ତ ସାଂସଦଙ୍କ ଆସନରେ ଏକ ଡିଜିଟାଲ୍ ସିଷ୍ଟମ୍ ଲଗାଯାଇଛି । ନିଜ ଆସନରେ ବସିଥିବା ସାଂସଦମାନେ ବାୟୋମେଟ୍ରିକ୍ / ସ୍ମାର୍ଟ କାର୍ଡ ମାଧ୍ୟମରେ ସିଧାସଳଖ ନିଜ ଉପସ୍ଥିତି ପଞ୍ଜିକୃତ କରିପାରିବେ । ଆପଣଙ୍କୁ କହି ରଖୁଛୁ ଯେ ସାଂସଦମାନେ ଗୃହ ଭିତରେ ନିଜର ଉପସ୍ଥିତି ପଞ୍ଜୀକୃତ କରିବା ଜରୁରୀ । କାରଣ ସେମାନଙ୍କର ଉପସ୍ଥିତି ସିଧାସଳଖ ସେମାନଙ୍କର ଭତ୍ତା ଏବଂ ଦରମା ସହିତ ଜଡିତ ।