ଜଙ୍ଗଲରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ ଆଣିଲେ ପରିବାର

କନ୍ଧମାଳ / ଫିରିଙ୍ଗିଆ :  ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ନିଖୋଜ ଯୁବକଙ୍କ ମୃତଦେହ ଭାଲୁକୁଟି ଜଙ୍ଗଲରୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ନେଡୀ ପଦର ଗାଁର ଯୁବକ ତପନ ରଣା (୨୧) ନିଖୋଜ ଥିବା ନେଇ ପରିବାର ଲୋକେ ଗୋଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯୁବକ ଜଣକ ଗତ ୪ ତାରିଖ ଦିନ ସମ୍ପର୍କୀୟଙ୍କ ବାଇକ୍‌ ଧରି କଟ୍ରିଙ୍ଗିଆ ଯାଉଛି କହି ଘରୁ ଯିବା ପରେ ଆଉ ଘରକୁ ଫେରିନଥିଲେ । ପରିବାରଲୋକ ୬ ତାରିଖ ଦିନ ଯୁବକଙ୍କ କିଛି ସାଙ୍ଗ ଖଜୁରୀପଡ଼ା ଥାନା ଅଞ୍ଚଳ ଗୁଦାରି ନିକଟରେ ଦୁର୍ଘଟଣା ହୋଇଥିବା ନେଇ ସୂଚନା ଦେଇଥିଲେ । ଖବର ପାଇ ପରିବାର ଲୋକେ ଦୁର୍ଘଟଣା ଘଟିଥିବା କହୁଥିବା ସ୍ଥାନକୁ ଯାଇ ଖୋଜାଖୋଜି କରିଥିଲେ କିନ୍ତୁ କୌଣସି ପତ୍ତା ପାଇନଥିଲେ । ପରେ ଫୁଲବାଣୀର ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିବା ସହ ନିଜର ସମ୍ପର୍କୀୟ, ବନ୍ଧୁବାନ୍ଧବଙ୍କ ଘରେ ମଧ୍ୟ ଖୋଜାଖୋଜି କରିଥିଲେ । କୌଣସି ସନ୍ଧାନ ନ ମିଳିବାରୁ ଗୋଚ୍ଛାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ନିଖୋଜ ମାମଲା ୦୮/୨୫ ରୁଜୁ କରି ତଦନ୍ତ ଚଳାଇଥିଲା ।  ଗୁରୁବାର ତପନଙ୍କ ମୃତଦେହ ଖଜୁରୀପଡା ଥାନା ଅନ୍ତର୍ଗତ ଗୁଦାରୀ ପଞ୍ଚାୟତର ଭାଲୁକୁଟୀ ଜଙ୍ଗଲରୁ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇ ଉଦ୍ଧାର କରିଥିଲା । ଏ ନେଇ ଖଜୁରୀପଡ଼ା ଥାନାରେ ଅପମୃତ୍ୟୁ ମାମଲା ୦୮/୨୫ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ତପନ ରଣାଙ୍କୁ ହତ୍ୟା କରାଯାଇଥିବା ନେଇ ଭାଇ ବିଦ୍ୟାଧର ରଣା ଖଜୁରୀପଡ଼ା ଥାନାରେ ଏତଲା ଦେଇଛନ୍ତି ।