ଅଭାବନୀୟ, ନିନ୍ଦନୀୟ
ରାଜ୍ୟରେ ଦିନକୁ ଦିନ ନାରୀ ନିର୍ଯ୍ୟାତନା ଘଟଣା ବଢ଼ିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ପ୍ରକାରର ଅଭିଯୋଗ ପ୍ରତିଦିନ ଆସୁଛି । ତେବେ ସବୁ ଅଭିଯୋଗ ଉପରେ କିଛି କାର୍ଯ୍ୟାନୁଷ୍ଠାନ ହେଉଛି କି ନାହିଁ ତାହା ମଧ୍ୟ ଜଣାନାହିଁ । ନିକଟରେ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜଣେ ବିଏଡ୍ କରୁଥିବା ଛାତ୍ରୀ ଜଣେ ଅଧ୍ୟାପକଙ୍କ ବିରୁଦ୍ଧରେ ଦୁର୍ବ୍ୟବହାର ଅଭିଯୋଗ କରିଲେ । ଏଭଳି ଏକ ଅଭିଯୋଗକୁ ଯେକୌଣସି ବ୍ୟକ୍ତି ଶୁଣିବା ମାତ୍ରକେ ଘଟଣା କଣ ହୋଇଥିବ, ଅନୁମାନ କରିପାରୁଥିବେ । କାରଣ ଜଣେ କଲେଜ୍ ଛାତ୍ରୀ ଏଭଳି ଘଟଣାରେ ଯୌନ ନିର୍ଯ୍ୟାତନା ଶବ୍ଦଟିକୁ ବ୍ୟବହାର କରିପାରିନଥିଲେ । ଏ ଦୃଷ୍ଟିରୁ କଲେଜ୍ର କର୍ତ୍ତୃପକ୍ଷ ଘଟଣା ଉପରେ ମୂଳରୁ ଗୁରୁତ୍ୱ ଦେବାର ଆବଶ୍ୟକତା ଥିଲା । ଦୁର୍ବ୍ୟବହାର ଭଳି ଅଭିଯୋଗ ଶିକ୍ଷାନୁଷ୍ଠାନଗୁଡ଼ିକରେ ଆସିଲେ ସାଧାରଣତଃ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଅନୁଷ୍ଠାନର ସମ୍ମାନ ଦୃଷ୍ଟିରୁ ଏହାକୁ ଚାପି ଦେବାକୁ ଚେଷ୍ଟା କରନ୍ତି । ତେଣୁ ଏକ୍ଷେତ୍ରରେ ମଧ୍ୟ ସେହିଭଳି କିଛି ଘଟିଛି । ଛାତ୍ରୀ ଜଣଙ୍କର ଅଭିଯୋଗକୁ ଏକ ଔପଚାରିକ ତଦନ୍ତ କମିଟି ମାଧ୍ୟମରେ ଚାପି ଦେବା ପାଇଁ ଚେଷ୍ଟା କରାଯାଇଛି । ହେଲେ ଘଟଣାଟି ସେତିକିରେ ଚପି ଯାଇନାହିଁ । ଛାତ୍ରୀଜଣଙ୍କ ଅଭିଯୋଗ କରିବା ପରେ ସଂପୃକ୍ତ ଅଧ୍ୟାପକ ନିଜର ଆଚରଣରେ ପରିବର୍ତ୍ତନ ଆଣିବା ପରିବର୍ତ୍ତେ ପୁନର୍ବାର ଛାତ୍ରୀଜଣଙ୍କୁ ମାନସିକ ଭାବେ ହଇରାଣ, ହରକତ କରିଥିବାର ଅଭିଯୋଗ ଆସିଲା । ତେଣୁ ଛାତ୍ରୀଜଣଙ୍କ ଶେଷରେ ବାଧ୍ୟ ହୋଇ କଲେଜ୍ରେ ନିଜ ଦେହରେ ନିଆଁ ଲଗାଇ ଦେଲେ ।
ଏ ଘଟଣା ଘଟିବା ପରେ କଲେଜ୍ କର୍ତ୍ତୃପକ୍ଷଙ୍କର ନିଦ ହଜିଗଲା । ଘଟଣାଟି ଯେହେତୁ ଆତ୍ମହତ୍ୟାର ରୂପ ନେଇସାରିଥିଲା ସେହେତୁ ଆଉ ଏହାକୁ ଚାପି ହେଲା ନାହିଁ । ଆଉ ଝିଅଟିକୁ ତୁରନ୍ତ ଡ଼ାକ୍ତରଖାନାକୁ ନିଆଯିବା ସହିତ ଘଟଣା ଗଣମାଧ୍ୟମରେ ଖେଳିଗଲା । ସେତେବେଳକୁ ଆଉ କଲେଜ୍ କର୍ତ୍ତୃପକ୍ଷ ପରିସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିପାରିଲେ ନାହିଁ । ତାଙ୍କ ଶରୀରର ଶତକଡ଼ା ୯୦ରୁ ୯୫ ଭାଗ ପୋଡ଼ି ଯାଇଥିବା ଘଟଣା ପ୍ରକାଶ ପାଇବା ପରେ ଏହା ଏକ ଜାତୀୟ ସମ୍ବାଦରେ ପରିଣତ ହୋଇଗଲା । ପୀଡ଼ିତା ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ମୃତୁ୍ୟ ସହିତ ଲଢ଼େଇ କରୁଛନ୍ତି । ତାଙ୍କର ଅଭିଯୋଗକୁ କେହି ଶୁଣିଲେ ନାହିଁ ବୋଲି ସେ ଲିଖିତ ଭାବରେ କଲେଜ୍କୁ ଦେଇଥିଲେ । କଲେଜ୍ର ଆଭ୍ୟନ୍ତରୀଣ ତଦନ୍ତ କମିଟି ତାଙ୍କ ନ୍ୟାୟ ଦେଲା ନାହିଁ । ତେଣୁ ସେ ଏ ଘଟଣା ବାବଦରେ ବାଲେଶ୍ୱର ସାଂସଦ ଏବଂ ଏସ୍ପିଙ୍କୁ ମଧ୍ୟ ଲିଖିତ ଭାବେ ଅବଗତ କରାଇଥିଲେ । ଏବଂ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଟ୍ୱିଟ୍ ମାଧ୍ୟମରେ ମଧ୍ୟ ସୂଚାଇ ଥିଲେ । ଏସବୁ ସତ୍ତ୍ୱେ ତାଙ୍କୁ କେଉଁଠାରୁ ବି ନ୍ୟାୟ ମିଳିଲା ନାହିଁ । ଶେଷରେ ସେ ଆତ୍ମହତ୍ୟା ଉଦ୍ୟମ କରିବା ପରେ ଅଧ୍ୟକ୍ଷଙ୍କୁ ନିଲମ୍ବିତ କରାଯାଇଛି ଏବଂ ଇଣ୍ଟିଗ୍ରେଟେଡ୍ ବିଏଡ଼୍ ବିଭାଗର ମୁଖ୍ୟଙ୍କୁ ଗିରଫ କରାଯାଇଛି । ଏ କ୍ଷେତ୍ରରେ ଆଇନ୍ ତାରି ବାଟରେ ଯିବ । ଅଥଚ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏବଂ ବିରୋଧୀ ଦଳର ନେତାମାନେ ପୀଡ଼ିତାଙ୍କ ଅବସ୍ଥା ବୁଝି ଆସିଛନ୍ତି । ବର୍ତ୍ତମାନ ପୀଡ଼ିତାଙ୍କ ଅବସ୍ଥା ଅପେକ୍ଷା ଏପରି ଅବସ୍ଥା କାହିଁକି ଘଟିଲା ତାରି ଉପରେ ଗଣମାଧ୍ୟମଗୁଡ଼ିକ ଗୁରୁତ୍ୱ ଦେଇଛନ୍ତି ।
ଆମେ ବାରମ୍ବାର କହିରଖୁଛୁ ଯେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରୀମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଓ ଦୁର୍ବ୍ୟବହାର ଘଟଣାଗୁଡ଼ିକ ଦିନକୁ ଦିନ ବଢୁଛି । ବିଭିନ୍ନ ସରକାରୀ ଆବାସିକ ବିଦ୍ୟାଳୟରେ ଛାତ୍ରୀମାନେ ଗର୍ଭବତୀ ହେବା ଘଟଣା ଆହୁରି ଗୁରୁତର । ସାମଗ୍ରିକ ଭାବରେ ଦେଖିବାକୁ ଗଲେ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ଝିଅମାନେ ନିରାପଦ ନୁହଁନ୍ତି । ଏଥିସହିତ ଛାତ୍ରାବାସଗୁଡ଼ିକରେ ରହୁଥିବା ଛାତ୍ରୀମାନେ ଆହୁରି ସମ୍ବେଦନଶୀଳ ପରିସ୍ଥିତିରେ ପାଠ ପଢୁଥିବା ଦେଖା ଦେଉଛି । ଏ କ୍ଷେତ୍ରରେ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଅଧ୍ୟାପକ ବା ଶିକ୍ଷକମାନଙ୍କର ଦୋଷକୁ ଘୋଡ଼ାଇ ଛାତ୍ରୀମାନଙ୍କ ଅଭିଯୋଗକୁ ଚାପି ଦେଲେ ପରିସ୍ଥିତି କେତେ ଭୟଙ୍କର ହୁଏ ତାହା ଏହି ଘଟଣା ସ୍ପଷ୍ଟ ହୋଇଯାଇଛି । ଛାତ୍ରୀମାନଙ୍କର କୌଣସିପ୍ରକାର ଏକ ଅଭିଯୋଗକୁ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ଖାମଖିଆଲି ଭାବେ ନେବା ଉଚିତ୍ ନୁହେଁ । ଏପରି କରିଲେ ପରିଣତି ଅତ୍ୟନ୍ତ ଭୟଙ୍କର ହେବ । ଏକଥା ବାଲେଶ୍ୱର ଘଟଣାରୁ ପ୍ରମାଣିତ ହୋଇଗଲା । କେବଳ କଲେଜ୍ କର୍ତ୍ତୃପକ୍ଷ ନୁହେଁ, ସେ ଜନପ୍ରତିନିଧିଙ୍କୁ ଦେଇଥିବା ଅଭିଯୋଗ ଉପରେ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଜନପ୍ରତିନିଧି ଏକଥା ଜଣିବା ପରେ ସେମାନେ ଯଦି ଘଟଣାକୁ ଗୁରୁତ୍ୱ ଦେଇଥାନ୍ତେ, ତାହା ହେଲେ ହୁଏତ ଛାତ୍ରୀଜଣଙ୍କର ଏଭଳି ଅବସ୍ଥା ହୋଇନଥାନ୍ତା । ତେବେ ଭବିଷ୍ୟତରେ କୌଣସି ବି ଶିକ୍ଷାନୁଷ୍ଠାନରେ ଏପ୍ରକାରର ଘଟଣା ନଘଟୁ ।