ନାଇଜରର ୧୪ତମ ସ୍ନାତକ ସମାରୋହ : ଓଡ଼ିଶା ପାଇଁ ଭୁବନେଶ୍ୱର ଜ୍ଞାନର ପେଣ୍ଠସ୍ଥଳୀ
ଜଟଣୀ : ଜଟଣୀ ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ୧୪ତମ ସ୍ନାତକ ସମାରୋହ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଭୁବନେଶ୍ୱର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ନାଇଜର ସମେତ ଆଇଆଇଟି, ଏମ୍ସ, ଏସଡିଆଇ ଏବଂ ଇନଷ୍ଟିଟୁ୍ୟଟ ଅଫ୍ ଫିଜିକ୍ସ ଭଳି ଅନେକ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ଗଢି ଉଠିଛି । ଏହି ସମୃଦ୍ଧ ନେଟୱାର୍କ ଓଡ଼ିଶାକୁ ବଡ଼ ସ୍ୱପ୍ନ ଦେଖାଇବା ସହ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଅଧିକ ସହଯୋଗ କରୁଛି । ଏହି ସମ୍ଭାବନାକୁ ଦେଖିଲେ ଆଗାମୀ ଦିନରେ ଭୁବନେଶ୍ୱର ନିହାତି ଭାବେ ଜ୍ଞାନର ପେଣ୍ଠସ୍ଥଳି ହେବ ବୋଲି କହିଛନ୍ତି ।
ଜଟଣୀରେ ପ୍ରତିଷ୍ଠିତ ନାଇଜର ପ୍ରତିଷ୍ଠାନ ଏକ ସ୍ୱୟଂଶାସିତ ଗବେଷଣା ଅନୁଷ୍ଠାନ, ଯାହା ଆଟୋମିକ୍ ଏନର୍ଜି ସହଯୋଗରେ ସ୍ଥାପନା ହୋଇଛି । ହୋମି ଭାଭା ଜାତୀୟ ପ୍ରତିଷ୍ଠାନ ଦ୍ୱାରା ଅନୁବନ୍ଧିତ ଏହି ପ୍ରତିଷ୍ଠାନ ବହୁତ ଉଚ୍ଚକୋଟୀର ଅନୁଷ୍ଠାନ । ଏଣୁ ଏଠାରେ ପଢ଼ୁଥିବା ଯୁବବର୍ଗଙ୍କୁ ଆରାମଦାୟକ ଜୀବନ ପାଇଁ ନୁହେଁ, ରାଷ୍ଟ୍ର ପାଇଁ ବଞ୍ଚିବାର ମନୋଭାବ ରଖିବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି ।
ଏ ଅବସରରେ ଧର୍ମେନ୍ଦ୍ର ପ୍ରତିଷ୍ଠାନର ଜୀବ ବିଜ୍ଞାନ ବିଭାଗର ନୂଆ ଜାତୀୟ ପଶୁ ଗବେଷଣା ଏବଂ ପ୍ରୟୋଗଶାଳା କେନ୍ଦ୍ର ରାଷ୍ଟ୍ର ଉଦେ୍ଦଶ୍ୟରେ ସମର୍ପଣ କରିଥିଲେ । ଏହି ଅତ୍ୟାଧୁନିକ ସୁବିଧା ଜୈବିକ ବିଜ୍ଞାନରେ ଅତ୍ୟାଧୁନିକ ଗବେଷଣାକୁ ସହଜ କରିବ, ପଶୁ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକ କୌଶଳକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି । ଶ୍ରୀ ପ୍ରଧାନ କ୍ୟାମ୍ପସ ପରିସରରେ ‘ଏକ୍ ପେଡ୍ ମା’ କେ ନାମ ୨.୦’ ଅଭିଯାନରେ ବୃକ୍ଷରୋପଣ କରିବା ସହ ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।