ସୋମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ରାଜଦୀପ ସରଦେଶାଇ କଲେ ଟୁଇଟ୍
ଭୁବନେଶ୍ୱର: ସୋମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ଆଜି ସାରା ରାଜ୍ୟ ସ୍ତବ୍ଧ। ୩ ଦିନର ଯମ ଯନ୍ତ୍ରଣା ପରେ ଜୀବନ ହାରିଛନ୍ତି ସୋମ୍ୟାଶ୍ରୀ। ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକଙ୍କ ଦ୍ୱାରା ଯୌନ ର୍ନିଯାତନାର ଶିକାର ହୋଇ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ତାଙ୍କ ଶରୀରର ୯୫% ପୋଡ଼ି ଯାଇଥିବାରୁ ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ବର୍ନ ୟୁନିଟ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯିବା ସହ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା ଚଳାଉଥିଲେ। ଏପରି କି ଦିଲ୍ଲୀ ଏମ୍ସର ବିଶେଷଜ୍ଞ ଡାକ୍ତରଙ୍କ ସହ ଯୋଗାଯୋଗ କରି ତାଙ୍କର ଚିକିତ୍ସା କରାଯାଉଥିଲା। ସବୁ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଞ୍ଚା ଯାଇପାରିଲା ନାହିଁ ବୋଲି ଡାକ୍ତରୀ ଟିମ ସୂଚନା ଦେଇଛନ୍ତି। ବଞ୍ଚିଥିବାବେଳେ ମାଳମାଳ ଟ୍ବିଟ କରିବା ପରେ ସରକାର କି ସରକାରରେ ଥିବା ବ୍ୟକ୍ତି କେହି ଶୁଣୁ ନ ଥିବାବେଳେ ତାଙ୍କ ମୃତ୍ୟୁ ପରେ ଘନ ଘନ ଟ୍ବିଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଉଛି। ଘଟଣାକୁ ନେଇ ଚାରିଆଡୁ ଓଡ଼ିଶା ବଦନାମ ହେଉଥିବାବେଳେ ବଡ଼ ବଡ଼ ନେତାଙ୍କ ଟ୍ବିଟ ଏବେ ଏହାକୁ ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚାର ବିଷୟ କରିଛି। ଏହାରି ଭିତରେ ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇ ମଧ୍ୟ ଘଟଣାକୁ ନେଇ ଟୁଇଟ୍ କରିଛନ୍ତି। ନିକଟରେ ପୁରୀ ଘଟଣାକୁ ସମାଲୋଚନା କରି ଚର୍ଚ୍ଚାରେ ଥିବା ରାଜଦୀପ ଏବେ ଏଫଏମ ଘଟଣାକୁ ନେଇ ମଧ୍ୟ ଟୁଇଟ୍ କରିଛନ୍ତି। ସେ କହିଛନ୍ତି, ଆଜି ସକାଳେ ଓଡ଼ିଶାରୁ ଏକ ଦୁଃଖଦ ଖବର ଆସିଛି। ବାଲେଶ୍ୱର ଏଫଏମ ଛାତ୍ରୀ ଶିକ୍ଷକଙ୍କ ଯୌନ ର୍ନିଯାତନାର ଅଭିଯୋଗ ଆଣିଥିଲେ, ସେ ଆତ୍ମହୁତି ଉଦ୍ୟମ କରିଥିଲେ। ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଛି। ପ୍ରାର୍ଥନା।