ନୂଆ ରେଳ ଲାଇନ୍‌ ପାଇଁ ଚାଲିଛି ଜମି ଅଧିଗ୍ରହଣ : ଅଶ୍ୱିନୀ

ନୂଆ ରେଳ ଲାଇନ୍‌ ପାଇଁ ଚାଲିଛି ଜମି ଅଧିଗ୍ରହଣ : ଅଶ୍ୱିନୀ

ଭୁବନେଶ୍ୱର : ବରଗଡ ରୋଡ୍‌ -ନୂଆପଡା ରୋଡ୍‌ ନୂଆ ରେଳ ଲାଇନକୁ ‘ସ୍ୱତନ୍ତ୍ର ରେଳ ପ୍ରକଳ୍ପ’ ଭାବେ ବିଜ୍ଞପିତ କରାଯାଇଛି ଏବଂ ଏହି ପ୍ରକଳ୍ପ ଲାଗି ଦ୍ରୁତ ଗତିରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ସୂଚନା ଦେଇଛନ୍ତି । ଶ୍ରୀ ବୈଷ୍ଣବ କହିଛନ୍ତି, ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଲାଗି ବରଗଡ ଏବଂ ନୂଆପଡାରେ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ (ସିଏଏଲଏ)ଙ୍କୁ ନିଯୁକ୍ତ କରାଯାଇଛି । ୭୩ଟି ଗ୍ରାମରେ ଜମି ଅଧିଗ୍ରହଣ ଲାଗି ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ ଏଥିପାଇଁ ୪୩ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ସେ ଆହୁରି କହିଛନ୍ତି, ୧୩୮ କିଲୋମିଟର ଲମ୍ବ ବରଗଡ ରୋଡ୍‌ -ନୂଆପଡା ରୋଡ୍‌ ନୂଆ ରେଳ ଲାଇନ ନିର୍ମାଣ ଲାଗି ୨,୬୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରେଳ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବା ଲାଗି ଏବଂ ଦ୍ରୁତ ଅନୁମୋଦନ ହାସଲ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହିତ ନିୟମିତ ଯୋଗାଯୋଗ ରକ୍ଷା କରାଯାଇ ଜମି ଅଧିଗ୍ରହଣ, ଜଙ୍ଗଲ ଓ ବନ୍ୟପ୍ରାଣୀ ମଞ୍ଜୁରି ଏବଂ ପ୍ରକଳ୍ପ ସହ ଜଡିତ ଅନ୍ୟାନ୍ୟ ଅନୁମୋଦନ ଲାଗି ପ୍ରୟାସ କରାଯାଉଛି ।