ନୂଆବର୍ଷରୁ ତିନି ଦଳ ମୁହାଁମୁହିଁ : ପଞ୍ଚାୟତ ହୋଇଯିବ ସରଗରମ
ଭୁବନେଶ୍ୱର : ତିନି ପ୍ରମୁଖ ରାଜନୀତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଟିମ୍ ଗଢ଼ି ସାରିଲେଣି। ନିର୍ବାଚନ ପ୍ରସ୍ତୁତି ବର୍ଷ ହୋଇଥିବାରୁ ତିନି ଦଳ ମୁହାଁମୁହିଁ ହେବାକୁ ରଣନୀତି କଲେଣି। ଶାସକ ବିଜେପିକୁ ଘେରିବା ପାଇଁ ଉଭୟ ବିଜେଡ଼ି ଓ କଂଗ୍ରେସ ବ୍ଳୁପ୍ରିଣ୍ଟ କରିଛନ୍ତି । ସେପଟେ ନୂଆବର୍ଷ ଅଭିନନ୍ଦନ ବ୍ୟାନରରୁ ପଞ୍ଚାୟତ ରାଜନୀତି ସରଗରମ ହୋଇଯିବ । ଗାଏମୋଟ୍ ଦେଖିଲେ ୨୦୨୪ ଜୁନ୍ ପରେ କାଉନ୍ଦିଆ ପଡ଼ିଥିବା ରାଜନୀତିକ ମାହୋଲ ନୂଆବର୍ଷ ଆରମ୍ଭରୁ ହିଁ ସରଗରମ ହୋଇଯିବ। ପ୍ରଥମେ ଆସିବା ବିଜେପି ଆଡକୁ । ନୂଆବର୍ଷରେ ବିଜେପି ନେତାମାନେ ଦୀର୍ଘଦିନ ପ୍ରତୀକ୍ଷାର ଫଳ ପାଇବେ । ନିଗମ ଓ ବୋଡର଼୍ରେ ନିଯୁକ୍ତି ମିଳିବ । ବିଧାୟକମାନଙ୍କୁ ଜିଲ୍ଲା ଯୋଜନା ବୋଡର଼୍ ଆବଣ୍ଟନ କରାଯିବ। ଅନେକ କମିଶନରେ ବି ସଦସ୍ୟ ନିଯୁକ୍ତି ହେବେ। ବିଜେପି ଏବେ ଜିଲ୍ଲା ଟିମ୍ ଗଠନ ଜୋରଦାର କରିଛି । ପଞ୍ଚାୟତରେ ବିଜେପିକୁ ମଜବୁତ କରିବା ପାଇଁ ପ୍ରଚାରକ, ବିସ୍ତାରକ, ପଦାଧିକାରୀମାନଙ୍କୁ ଦାୟିତ୍ୱ ଦିଆଯିବ । ଭଲ ସଂଗଠନ ରହିଥିବା ବିଜେଡ଼ି ନେତାମାନଙ୍କୁ ବିଜେପିକୁ ଆଡ଼କୁ ଟାଣିବା ପାଇଁ ବି ଉଦ୍ୟମ ହେବ। ସେହିପରି ଖୁବଶୀଘ୍ର ଯୁବମୋର୍ଚ୍ଚାର ପଦାଧିକାରୀ ତାଲିକା ବି ପ୍ରସ୍ତୁତ କରାଯିବ। ବିଜେଡ଼ି ଓ କଂଗ୍ରେସର ଯୁବ ଟିମ୍ ସହ ସେମାନେ ରାଜନୀତିକ ଲଢେ଼ଇ କରିବେ । ବିଧାୟକମାନଙ୍କୁ ସ୍ୱତନ୍ତ୍ର ଭାବେ ଟାର୍ଗେଟ୍ ଦିଆଯିବ । ସେହିପରି ଜିଲ୍ଲା ପରିଷଦ ନିର୍ବାଚନରେ ଯେଭଳି ଦଳ ଭଲ ପ୍ରଦର୍ଶନ କରିବ, ସେଥିପାଇଁ ଜାନୁଆରୀ-ଫେବୃଆରୀରେ ଦଳ ପକ୍ଷରୁ ବହୁ କାର୍ଯ୍ୟକର୍ତ୍ତା କର୍ମଶାଳା ବି ଆୟୋଜନ କରାଯିବ । ଏହାଛଡ଼ା ମହିଳା ମୋର୍ଚ୍ଚା, ଓବିସି ମୋର୍ଚ୍ଚା, କୃଷକ ମୋର୍ଚ୍ଚା ଠାରୁ ନେଇ ବାକି ସମସ୍ତ ମୋର୍ଚ୍ଚାକୁ ବି ଚଳଚଞ୍ଚଳ କରାଯିବ । ସରକାର ଓ ଦଳ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ସହଯୋଗ ମିଳିବ ବୋଲି କୁହାଯାଇଛି।
୨୦୨୫ରେ ବିଜେଡ଼ି କାଲୁଆ ପଡ଼ିଯାଇଥିଲା। ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ସେଭଳି କୌଣସି ବଡ଼ ପଦକ୍ଷେପ ନେଇନଥିଲା । ଦଳ ଭିତରେ ଗୋଷ୍ଠୀକନ୍ଦଳକୁ ନେଇ ନବୀନ ବାବୁ ଚିନ୍ତାରେ ପଡ଼ି ଯାଇଥିଲେ। ହେଲେ ୨୦୨୬ରେ ସେ ଠୋସ ନିଷ୍ପତ୍ତି ନେବେ। ଗୋଷ୍ଠୀକନ୍ଦଳରେ ମାତିଥିବା ନେତାମାନଙ୍କୁ ଚେତାବନୀ ଦିଆଯିବ। ଦଳ ପାଇଁ ଲଢ଼ ନହେଲେ ଦଳ ଛାଡ଼ ବୋଲି ନବୀନ ବାବୁ ତାଗିଦ୍ କରିବା ଆରମ୍ଭ କରିଦେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ୩୦ ଜିଲ୍ଲାରେ ରାଜୁତି କରିଥିଲା । ଏବେ ସେ ସ୍ଥିତି ନାହିଁ । ତଥାପିବି ଭଲ ପ୍ରଦର୍ଶନ କରିବାକୁ ବିଧାୟକମାନଙ୍କୁ ଟାର୍ଗେଟ୍ ଦିଆଯିବ। ଇତିମଧ୍ୟରେ ଯୁବ ଓ ଛାତ୍ରର ଏକ ମାମୋଥ ଟିମ୍ ନବୀନ ଗଢ଼ିଛନ୍ତି। ପାଖାପାଖି ଦୁଇ ଟିମ୍ରେ ୩ ଶହ ନେତା ରହିଛନ୍ତି। ୨୦୨୬ରେ ରାଜ୍ୟର ପାଞ୍ଚ ଛଅ ସ୍ଥାନରେ ବିଶାଳ ସମାବେଶ କରିବାର ବି ଯୋଜନା ରହିଛି । ସେହିପରି ଅନେକ ନିର୍ବାଚନମଣ୍ଡଳୀ ପାଇଁ ଦଳ ବିକଳ୍ପ ନେତୃତ୍ୱ ଖୋଜିବ ବୋଲି ଜାଣିବାକୁ ମିଳିଛି । ଏନେଇ ସର୍ଭେ ଆରମ୍ଭ ହୋଇଯାଇଛି । ପୂର୍ବରୁ ଦଳ ପକ୍ଷରୁ ଯେଉଁସବୁ ଆନ୍ଦୋଳନ ହେଉଥିଲା ତାହା ରାଜଧାନୀରେ ହିଁ ସୀମିତ ରହିଥିଲା । ଏବେ କିନ୍ତୁ ଦଳ ବ୍ଳକସ୍ତରରେ ଜୋରଦାର ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛି ।
ନୂଆପଡ଼ା ଉପନିର୍ବାଚନ ପରେ କଂଗ୍ରେସରେ ଗୋଷ୍ଠୀକନ୍ଦଳ ତୀବ୍ର ହୋଇଛି । ମହମ୍ମଦ ମୋକିମଙ୍କ ଭଳି ନେତାଙ୍କୁ ଦଳରୁ ବିଦା କରାଯାଇଛି । ୨୦୨୬ରେ ବି କଂଗ୍ରେସରେ ଅନ୍ତଦ୍ୱର୍ନ୍ଦ୍ୱ ଭକ୍ତ ଦାସଙ୍କ ଟେନସନ ବଢ଼ାଇଦେବ । ତେବେ ଏଆଇସିସି ପକ୍ଷରୁ ରାଜ୍ୟ କଂଗ୍ରେସରେ ସମନ୍ୱୟ ଆଣିବାକୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ଜାଣିବାକୁ ମିଳିଛି । ବିଜେଡ଼ିରେ ଗୋଷ୍ଠୀକନ୍ଦଳ ଥିବାବେଳେ ବିଜେପିରେ ବି ଅସନ୍ତୋଷ ରହିଛି । ଉଭୟ ଦଳରେ ୨୦୨୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ କି ସରପଞ୍ଚ, ସମିତିସଭ୍ୟ ଲଢେ଼ଇ ଭିତରେ ବିବାଦ ସୃଷ୍ଟିହେବା ନିଶ୍ଚିତ । ତେଣୁ ଏଥିରୁ ଫାଇଦା ନେବାପାଇଁ ୨୦୨୬ରୁ ହିଁ କଂଗ୍ରେସ ଅଙ୍କ କଷିବ । ଭକ୍ତ ଦାସ ଆକ୍ରମଣାତ୍ମକ ରଣନୀତି ଆପଣାଇବା ସହ ବାରବାର ରାଜରାସ୍ତାକୁ ଓହ୍ଲାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
Samir Kumar Rout