ବିକ୍ରମଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର : ବିଜେଡି
ନୂଆପଡା ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚକ୍ରାନ୍ତ
ଭୁବନେଶ୍ୱର : ଗଞ୍ଜାମର ବହୁଚର୍ଚ୍ଚିତ ପୀତବାସ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଜି ବିଜେଡିର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରିବା ପରେ, ବିଜେଡ଼ି ଏହାକୁ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି । ନୂଆପଡ଼ା ଉପନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଏହା ଏକ ଚକ୍ରାନ୍ତ ବୋଲି ଦଳ ପକ୍ଷରୁ କୁହାଯାଇଛି । ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପ୍ରମିଳା ମଲ୍ଲିକ, ଭୃଗୁ ବକ୍ସିପାତ୍ର, ଡ.ଲେନିନ ମହାନ୍ତି କହିଛନ୍ତିଯେ, ଗୋପାଳପୁର ବିଧାୟକ ତଥା ରାଜ୍ୟର ଖଣି ଓ ପରିବହନ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଥିଲା ବେଳେ, ତାଙ୍କୁ ଓ ରାଜ୍ୟ ସରକାରଙ୍କୁ ବଞ୍ଚାଇବାକୁ ଯାଇ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଚକ୍ରାନ୍ତ କରି ଫସାଯାଇଛି ବୋଲି କହିଥିଲେ । ଶ୍ରୀ ପଣ୍ଡାଙ୍କ ସମ୍ପୃକ୍ତି ନେଇ ଗୁଡିଏ ଗପ ଶୁଣାଇଛି ପୋଲିସ, କିନ୍ତୁ ତାଙ୍କ ବିରୋଧରେ ତିଳେ ମାତ୍ର ପ୍ରମାଣ ଦେଇ ପାରିନାହିଁ ବୋଲି ବିଜେଡ଼ି କହିଛି ।
ଶ୍ରୀମତୀ ମଲ୍ଲିକ କହିଥିଲେ, ଗତ ୧୬ ମାସର ବିଜେପି ଶାସନରେ, ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତ ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଗଞ୍ଜାମ ଜିଲ୍ଲା ଶୀର୍ଷରେ ରହିଛି । ଗଞ୍ଜାମ ଜିଲ୍ଲାରେ ୧୫୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୧୨୮ଟି ହତ୍ୟା ଘଟିଛି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା କେବଳ ଓଡିଶା ନୁହେଁ ସମଗ୍ର ଦେଶ ଓ ବିଶ୍ୱରେ ଚର୍ଚ୍ଚିତ ଘଟଣା ପାଲଟିଥିଲା । ସମଗ୍ର ଜିଲ୍ଲାରେ ବିଜେପି ସରକାର ସମୟରେ ୧୮୨୩ ମହିଳା ନିର୍ଯାତନା ମାମଲା ହୋଇଛି । ଏହାଛଡା, ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଚାଲାଣ ଶୀର୍ଷରେ ପହଁଚିଛି । ଏହି ଚୋରା ବାଲି କାରବାର ନେଇ ଅନେକ ହିଂସାକାଣ୍ଡ ଘଟିଛି । ଶ୍ରୀମତୀ ମଲ୍ଲିକ କହିଥିଲେ, ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଏନ.ଡମ୍ବୁରୁ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମନ୍ତ୍ରୀ ବିଭୁତି ଜେନାଙ୍କର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନେଇ ଅଭିଯୋଗ କରିବା ସହିତ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରି ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଥିଲେ । ଏହା ବିଜେପି ପାଇଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ, ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଯାଉଥିବାରୁ, ଏଭଳି ନାଟକୀୟ ଢଙ୍ଗରେ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଏସପି ସାମ୍ୱାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟରେ ବିକ୍ରମଙ୍କ ବିରୋଧରେ କୌଣସି ପ୍ରମାଣ ପ୍ରସ୍ତୁତ କରିନାହାନ୍ତି, କେବଳ ଗୁଡିଏ କାହାଣୀ କହିଛନ୍ତି । ଏହି ଗିରଫଦାରୀକୁ ଆମେ ଦୃଢ଼ ନିନ୍ଦା କରୁଛୁ । ବିଜୁ ଜନତା ଦଳ ଏଭଳି ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିବ ।
ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ, ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତି ଦେଖାଇ ତାଙ୍କୁ ଗିରଫ କରାଯାଇଛି । ରାଜନୀତିକ ଉଦ୍ଦେଶ୍ୟରେ ନେତାମାନଙ୍କୁ ଟାର୍ଗେଟ କରିବା ବିଜେପିର ପୁରୁଣା ଅଭ୍ୟାସ । ପୀତବାସ ପଣ୍ଡାଙ୍କ ହତ୍ୟା ପାଇଁ ତିଆରି ହୋଇଥିବା ପ୍ଲଟ ଠାରୁ ବିକ୍ରମ ପଣ୍ଡାଙ୍କୁ ଫସାଇବା ପାଇଁ ବିଜେପି ଇଙ୍ଗିତରେ ପୋଲିସ ରଚିଥିବା ପ୍ଲଟ ଅଧିକ ଭୟଙ୍କର ଓ ମାରାତ୍ମକ । ଗଞ୍ଜାମ ଏସ୍ପି ଶ୍ରବଣା ବିବେକ ସମ୍ୱାଦିକ ସମ୍ମିଳନୀରେ ଦେଇଥିବା ତଥ୍ୟ ଅନୁସାରେ, ବିକ୍ରମ ପଣ୍ଡାଙ୍କ ସମ୍ପୃକ୍ତିର କୌଣସି ପ୍ରମାଣ ରଖିନାହାନ୍ତି । କେବଳ କିଛି କାହାଣୀ କହିଛନ୍ତି । ଏସପି ମହୋଦୟ ବିକ୍ରମଙ୍କ ବିରୋଧରେ କେବଳ ଅଭିଯୋଗ ରଖିଛନ୍ତି, କୌଣସି ପ୍ରମାଣ ରଖିପାରି ନାହାନ୍ତି । ଏସପି ଯେଉଁ ୫୦ ଲକ୍ଷ ଟଙ୍କା ଡିଲର କଥା କହିଛନ୍ତି, ତାର ମଧ୍ୟ କୌଣସି ମନି ଟ୍ରେଲ ଥିବା କଥା କହିନାହାନ୍ତି । ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ବିରୋଧରେ ଉଚ୍ଚ ନ୍ୟାୟାଳୟରେ ଚାଲିଥିବା ମିଥ୍ୟା ସତ୍ୟପାଠ ମାମଲାରେ ଓକିଲ ଖର୍ଚ୍ଚ ବିକ୍ରମ ପଣ୍ଡା ବହନ କରୁଛନ୍ତି ବୋଲି ଏସପି କହିଛନ୍ତି । କିନ୍ତୁ, ଓକିଲ ଖର୍ଚ୍ଚ ବହନ ସହିତ ପୀତବାସ ପଣ୍ଡାଙ୍କ ହତ୍ୟାର କଣ ସଂପର୍କ ରହିଛି, ସେକଥା ସେ ସ୍ପଷ୍ଟ କରି ନାହାନ୍ତି । ଏସ୍ପିଙ୍କ କଥାରୁ ସ୍ପଷ୍ଟ ଜଣା ପଡୁଛି, ରାଜ୍ୟ ସରକାରଙ୍କ ଇଙ୍ଗିତରେ ମିଛ କାହାଣୀ ସୃଷ୍ଟି କରି ସେ ବିକ୍ରମ ପଣ୍ଡାଙ୍କୁ ଫସାଇବାକୁ ଅପଚେଷ୍ଟା କରିଛନ୍ତି । ନୂଆପଡା ଉପନିର୍ବାଚନକୁ ଆଖି ଆଗରେ ରଖି, ବିକ୍ରମ ପଣ୍ଡାଙ୍କୁ ଫସାଯାଇଛି ବୋଲି ସେ କହିଛନ୍ତି ।