ନୌସେନାରେ ‘ନିସ୍ତାର’
ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା ଆଇଏନ୍ଏସ୍ ‘ନିସ୍ତାର’ । ଭାରତୀୟ ଦେଶୀୟ ଜ୍ଞାନକୌଶଳରେ ନିର୍ମିତ ଏହି ଜାହାଜଟି ଗଭୀର ସମୁଦ୍ରରେ ଉଦ୍ଧାରକାର୍ଯ୍ୟ ପାଇଁ ନିୟୋଜିତ ହୋଇଛି । ଜାହାଜରେ ଗଭୀର ସମୁଦ୍ରରୁ ୩୦୦ ମିଟର ପର୍ଯ୍ୟନ୍ତ ସହଜରେ ଉଦ୍ଧାର କାର୍ଯ୍ୟ କରିପାରିବା ଭଳି କ୍ଷମତା ସମ୍ପନ୍ନ ଜ୍ଞାନକୌଶଳ ଖଞ୍ଜାଯାଇଛି । ଆଜି ବିଶାଖାପାଟଣା ଭାରତୀୟ ନୌସେନା ସ୍ଥଳ ଠାରେ ପ୍ରତିରକ୍ଷା ସ୍ୱରାଷ୍ଟ୍ର ମନ୍ତ୍ରୀ ସଞ୍ଜୟ ସେଠଙ୍କ ଉପସ୍ଥିତିରେ ‘ନିସ୍ତାର’କୁ ନୌସେନାରେ ସାମିଲ କରାଯାଇଛି । ହିନ୍ଦୁସ୍ତାନ ସିପ୍ୟାଡର୍୍ ଲିମିଟେଡ୍ ଦ୍ୱାରା ନିର୍ମିତ ଜାହାଜରେ ପ୍ରଥମ ଥର ପାଇଁ ଦେଶୀୟ ଜ୍ଞାନକୌଶଳ ନିର୍ମିତ ଦୁଇଟି ଡାଇଭିଂ ସପୋର୍ଟ ଭେସେଲ୍ ସୁବିଧା ଖଞ୍ଜାଯାଇଛି । ଯାହା ଉଦ୍ଧାର ସମୟରେ ବିଶେଷ ଭାବେ ସହାୟତା କରିବ ।
ଏ ଅବସରରେ ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି, ନୌସେନାରେ ‘ନିସ୍ତାର’ର ମିଶ୍ରଣ ଆଜି ଭାରତୀୟ ନୌସେନାର ବଳକୁ ଆହୁରି ସୁଦୃଢ଼ କରିଛି । ଖାସ୍କରି ଦେଶୀୟ ଜ୍ଞାନ କୌଶଳରେ ନିର୍ମିତ ଏହି ଜାହାଜଟି ଗଭୀର ସମୁଦ୍ରରେ ଘଟୁଥିବା ନାନା ବିପର୍ଯ୍ୟୟର କଡ଼ା ମୁକାବିଲା କରିବା ସହିତ ଉଦ୍ଧାର କାର୍ଯ୍ୟର ବିଶେଷ ଭାବେ ସହାୟକ ହେବ । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ଜାହାଜ ‘ଆତ୍ମ ନିର୍ଭର ଭାରତ’ର ଏକ ପ୍ରମୁଖ ବୈଶିଷ୍ଟ୍ୟକୁ ବୁଝାଇଛି । ତେବେ ଆଗାମୀ ଦିନରେ ନୌସେନାରେ ସାମିଲ ହେବାକୁ ଥିବା ଆହୁରି ୫୭ଟି ଜାହାଜ (ସ୍ୱଦେଶୀ ଜ୍ଞାନକୌଶଳ)ର ନିର୍ମାଣ ଜାରି ରହିଥିବା ସେ କହିଛନ୍ତି । କାର୍ଯ୍ୟକ୍ରମ ଅବସରରେ ନୌସେନା ମୁଖ୍ୟ ଆଡ୍ମିରାଲ୍ ଦିନେଶ କେ ତ୍ରିପାଠି ଉପସ୍ଥିତ ଥିଲେ ।