ପରୀକ୍ଷା କିମ୍ବା ଚାକିରି ପାଇଁ ଦେବାକୁ ହେବନି ଏନ୍‌ଓସି 

ସ୍ଥାୟୀ ଅନୁମତି ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର  : ଏଣିକି ପରୀକ୍ଷା କିମ୍ବା ଚାକିରି ପାଇଁ ଦେବାକୁ ପଡ଼ିବନି ଏନ୍‌ଓସି । ଚାକିରି ଆଶାୟୀ ସରକାରୀ କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି । ସରକାରୀ କର୍ମଚାରୀଙ୍କ ପାଇଁ ସ୍ଥାୟୀ ଅନୁମତି ଜାରି କଲେ ରାଜ୍ୟ ସରକାରକ । ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜିଏ ଆଣ୍ଡ୍‌ ପିଜି ବିଭାଗ ଅଧୀନରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅନ୍ୟତ୍ର ଚାକିରି ଆବେଦନ ପାଇଁ ବାରମ୍ବାର ଏନ୍‌ଓସି ମାଗିବାକୁ ପଡିବନି । ଏଣିକି ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଷ୍ଟାଣ୍ଡିଂ ପରମିସନ୍‌ ବା ସ୍ଥାୟୀ ଅନୁମତି ପ୍ରଦାନ କରିଛନ୍ତି । ଏହି ନିର୍ଦ୍ଦେଶନାମା ବଳରେ କର୍ମଚାରୀମାନେ ୟୁପିଏସ୍‌ସି, ଓପିଏସ୍‌ସି, ଏସ୍‌ଏସ୍‌ବି, ଓଏସ୍‌ଏସ୍‌ସି ଏବଂ ଓଏସ୍‌ଏସ୍‌ଏସ୍‌ସି ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ସିଧାସଳଖ ଆବେଦନ କରିପାରିବେ । 

    ପୂର୍ବରୁ ପ୍ରତିଟି ଆବେଦନ ପାଇଁ ପୃଥକ ଭାବେ ଏନ୍‌ଓସି ନେବାକୁ ପଡୁଥିଲା । ଏହା ଦ୍ୱାରା ରୁଟିନ୍‌ କାମରେ ଅନାବଶ୍ୟକ ଫାଇଲ୍‌ କାମ ବଢ଼ୁଥିଲା । ତେବେ ପରୀକ୍ଷା ଦେବାକୁ ଯିବା ପୂର୍ବରୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ଛୁଟି ଏବଂ ହେଡକ୍ୱାର୍ଟର ଛାଡ଼ିବା ପାଇଁ ଅନୁମତି ନେବା ବାଧ୍ୟତାମୂଳକ । ଏଥିପାଇଁ ଆଡମିଟ୍‌ କାର୍ଡ ଦେଖାଇବାକୁ ପଡ଼ିବ । ନୂଆ ଚାକିରିରେ ଚୟନ ହେବା ପରେ, ବର୍ତ୍ତମାନର ପଦବୀରୁ ଅବ୍ୟାହତି ପାଇବା ପାଇଁ ବିଧିବଦ୍ଧ ଭାବେ ବିଭାଗର ଅନୁମତି ଲୋଡାହେବ । କିନ୍ତୁ ସରକାର ଚାହିଁଲେ କୌଣସି କର୍ମଚାରୀଙ୍କୁ ରିଲିଭ୍‌ କରିବାକୁ ଅଗ୍ରାହ୍ୟ ମଧ୍ୟ କରିପାରନ୍ତି ।