ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକୋତ୍ସବ
ବୟସ ହୋଇଗଲେ ଏକାକୀ ହୋଇଯିବାର ଅନୁଭବ ଆସିଥାଏ । ବହୁ ପରିଚିତ ଲୋକ ବି ଅପରିଚିତ ହୋଇଯିବା ପରି ବ୍ୟବହାର କରନ୍ତି । ଏହି ଏକଲାପଣରୁ ମୁକ୍ତି ପାଇବାକୁ ହେଲେ ନିଜର ପସନ୍ଦ ଅନୁଯାୟୀ ସାମାଜିକ କର୍ମରେ ସଂଶ୍ଳିଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ତିହିଡି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ସ୍କୁଲ ପରସରରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ୧୦ମ ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂଘ ସଭାପତି ଭଗବାନ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ନିର୍ମଳ ଚନ୍ଦ୍ର ଦଳେଇ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ ନାରାୟଣ ଚନ୍ଦ୍ର ବାରିକ ମୁଖ୍ୟଅତିଥି, ଅବସରପ୍ରାପ୍ତ ଅଧ୍ୟାପକ ଡ. ଲକ୍ଷ୍ମୀଧର ତି୍ରପାଠୀ ମୁଖ୍ୟବକ୍ତା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ବେଶ୍ୱର ବଳ, ଅବସରପ୍ରାପ୍ତ ଶିକ୍ଷା ଅନୁଶିକ୍ଷାଧିକାରୀ ରାମଚନ୍ଦ୍ର ବାରିକ, ସାମ୍ବାଦିକ ରାମନାରାୟଣ ନାୟକ, ତିହିଡି ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ଗାହାଣ ସମ୍ମାନୀତଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ସମ୍ପାଦକ କାଳୀଚରଣ ମଲିକ ସମ୍ପାଦକୀୟ ବିବରଣୀ ପାଠ କରିବା ଅବସରରେ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ସଂଘ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ସୁରେନ୍ଦ୍ର ସେନାପତି ଓ ସୁରେନ୍ଦ୍ର କୁମାର ବଳଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ କର୍ମଚାରୀ ନୃସିଂହ ଚରଣ ବଳ, ଖଗେଶ୍ୱର ପାଢ଼ୀ, କୈଳାସ ଚନ୍ଦ୍ର ଦାସଙ୍କୁ ସ୍ୱର୍ଗତଃ ଗୋପୀନାଥ ସେନାପତି ସ୍ମାରକୀ ଉଦେଶ୍ୟରେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । କୃତି ଛାତ୍ର ଗିରିଜା ନନ୍ଦନ ସାହୁ, ସମୀର ବେହେରା ଓ ସୌମ୍ୟରଂଜନ ବିଶ୍ୱାଳଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥି ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ