ପାକ୍କୁ ବଞ୍ଚାଇବା ପାଇଁ କଂଗ୍ରେସର ଷଡ଼ଯନ୍ତ୍ର  : ନେହେରୁଙ୍କ ଭୁଲ୍ ପାଇଁ ପିଓକେ : ଶାହ 


ାା ଏଜେନ୍ସି ।ା ନୂଆଦିଲ୍ଲୀ:   ଲୋକସଭାରେ ‘ଅପରେସନ୍ ସିନ୍ଦୂର’ ଆଲୋଚନା କାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ଉପରେ ବର୍ଷିଛନ୍ତି  । ଶାହ କହିଥିଲେଯେ, ମୋଦୀଜୀ ‘ଅପରେସନ୍ ସିନ୍ଦୂର' ମାଧ୍ୟମରେ ଆତଙ୍କବାଦୀଙ୍କ ମୁଖିଆମାନଙ୍କୁ ହତ୍ୟା କରିଥିଲେ  । ‘ଅପରେସନ୍ ମହାଦେବ'ରେ ପହଲଗାମ୍ ଆକ୍ରମଣରେ ଜଡିତ ଆତଙ୍କବାଦୀମାନଙ୍କୁ ନିପାତ କରାଯାଇଥିଲା  । ଆତଙ୍କବାଦୀଙ୍କ ନିହତ ହୋଇଥିବା ଖବର ଶୁଣି ବିରୋଧୀ ଦଳରେ ମଧ୍ୟ ଖୁସିର ଲହରୀ ଖେଳିଯିବା ଉଚିତ ଥିଲା, କିନ୍ତୁ ସେମାନଙ୍କ ମୁହଁରେ କାଳି ଲାଗିଯାଇଥିଲା  ।
କଂଗ୍ରେସ  ଏବଂ ଏହାର ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ବରମ୍ "ଆତଙ୍କବାଦୀମାନେ ପାକିସ୍ତାନରୁ ଆସିଥିଲେ" ବୋଲି କ'ଣ ପ୍ରମାଣ ଅଛି ବୋଲି କହି ପାକିସ୍ତାନକୁ କ୍ଲିନ୍ ଚିଟ୍ ଦେବାକୁ ଚେଷ୍ଟା କରୁଛନ୍ତି  । ପାକିସ୍ତାନକୁ ବଞ୍ଚାଇବା ପାଇଁ କଂଗ୍ରେସର ଷଡ଼ଯନ୍ତ୍ର ବିଷୟରେ ୧୪୦ କୋଟି ଭାରତୀୟ ଜାଣି ସାରିଛନ୍ତି  । ହେଲେ ଏଥିରୁ କଂଗ୍ରେସକୁ ତ୍ରାହି ମିଳିପାରିବ ନାହିଁ  । ମୋଦୀ ସରକାରରେ ଆମର ସେନା ପାକିସ୍ତାନରେ ପ୍ରବେଶ କରି କଂଗ୍ରେସ ଶାସନ ସମୟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଦୋଷୀମାନଙ୍କୁ ହତ୍ୟା କରିଥିଲା  । ଅପରେସନ୍ ସିନ୍ଦୂର ସମଗ୍ର ବିଶ୍ୱରେ ପାକିସ୍ତାନର ଅସଲ ମୁଖା ଖୋଲିଥିଲା  । ପାକିସ୍ତାନର ଯୁଦ୍ଧ କ୍ଷମତାକୁ ନଷ୍ଟ କରି ଦେଇଥିଲା  । ଆଜି ଯଦି ପାକିସ୍ତାନ କାଶ୍ମୀରର ଏକ ଅଂଶକୁ ଅବୈଧ ଭାବରେ ଦଖଲ କରୁଛି, ତେବେ ଏଥିପାଇଁ କେବଳ ଜବାହାରଲାଲ ନେହେରୁ ହିଁ ଦାୟୀ  । ସମସ୍ତ ଆତଙ୍କବାଦର ମୂଳ ହେଉଛି ପାକିସ୍ତାନ, ଯାହା କଂଗ୍ରେସର ଏକ ଭୁଲ, ଯଦି ଦେଶ ବିଭାଜିତ ହୋଇନଥାନ୍ତା, ତେବେ ଆଜି ପାକିସ୍ତାନର ଅସ୍ତିତ୍ୱ ନଥାନ୍ତା  । ଆଜି ଚୀନ୍ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ଏବଂ ଭାରତ ଯଦି ଏହି ସଦସ୍ୟତା ହେବାରୁ ବଞ୍ଚିତ ଅଛି, ତେବେ କେବଳ ନେହରୁ ଏଥିପାଇଁ ଦାୟୀ ବୋଲି ଶାହ କହିଛନ୍ତି  । ରାହୁଲଙ୍କୁ ଟାର୍ଗେଟ୍ କରି ସେ କହିଥିଲେଯେ, ଯେତେବେଳେ ଭାରତୀୟ ସେନା ଡୋକଲାମରେ ଚୀନ୍ ସହ ଲଢ଼ୁଥିଲେ, ରାହୁଲ ଗାନ୍ଧୀ ଚୀନ ଅଧିକାରୀଙ୍କ ସହ ସାକ୍ଷାତ କରୁଥିଲେ  । ୨୦୦୪ରେ କଂଗ୍ରେସ ପୋଟାକୁ ବାତିଲ କରି ଭାରତର ଆତଙ୍କବାଦ ବିରୋଧରେ ଲଢେଇକୁ ଦୁର୍ବଳ କରି ଦେଇଥିଲା  । ୟୁପିଏ ସରକାରରେ ଅନେକ ବୋମା ବିସ୍ଫୋରଣ ହୋଇଥିଲା ଯେଉଁଥିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ, ଯଦି ରାହୁଲ ଗାନ୍ଧୀଙ୍କ ସାହସ ଅଛି ତେବେ କୁହନ୍ତୁ ତାଙ୍କ ସରକାର କ'ଣ କରିଥିଲା? ମୋଦୀ ସରକାରରେ କାଶ୍ମୀର ବ୍ୟତୀତ ଦେଶର ଅନ୍ୟ କୌଣସି ସ୍ଥାନରେ ବଡ଼ ଆତଙ୍କବାଦୀ ଘଟଣା ହୋଇନାହିଁ  । ବାଟଲା ହାଉସ୍ ଏନକାଉଣ୍ଟରରେ ସୋନିଆ ଗାନ୍ଧୀ, ସହିଦ ମୋହନ ଶର୍ମାଙ୍କ ମୃତୁ୍ୟରେ ନୁହେଁ, ବରଂ ଆତଙ୍କବାଦୀଙ୍କ ହତ୍ୟାରେ କାନ୍ଦିଥିଲେ  । ସୋନିଆ-ମନମୋହନ ସରକାରଙ୍କ ୧୦ ବର୍ଷ ମଧ୍ୟରେ ୭,୨୧୭ ଆତଙ୍କବାଦୀ ଘଟଣା ଘଟିଥିଲା ଯେତେବେଳେ ମୋଦି ସରକାରରେ ଏହା ୭୦% ହ୍ରାସ ପାଇଥିଲା  । କଂଗ୍ରେସ ସରକାରରେ ବର୍ଷକୁ ୨,୬୫୪ ପଥର ଫିଙ୍ଗା ଘଟଣା ଘଟିଥିଲା, ମୋଦୀ ସରକାରରେ ପଥର ଫିଙ୍ଗା ଘଟଣା ଶୂନ୍ୟ  । କଂଗ୍ରେସ ସରକାରରେ ପାକ୍ ପ୍ରାୟୋଜିତ ହମଲା ଯୋଗୁ ବର୍ଷକୁ ୧୩୨ ଦିନ ପାଇଁ ଘାଟି ବନ୍ଦ ରହୁଥିଲା । ମୋଦି ସରକାରରେ ଗତ ତିନି ବର୍ଷ ମଧ୍ୟରେ ଏପର୍ଯ୍ୟନ୍ତ ଘାଟିରେ ଗୋଟିଏ ବି ହମଲା ହୋଇନାହିଁ । ଯେଉଁମାନେ ଓଟପକ୍ଷୀ ପରି ନିଜ ମୁଣ୍ଡ ମାଟିରେ ପୋତି ଦିଅନ୍ତି ସେମାନେ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ହୋଇଥିବା ପରିବର୍ତ୍ତନ ଦେଖିପାରିବେ ନାହିଁ ବୋଲି ଶାହ କହିଛନ୍ତି  । ...