ଭାରତର ସ୍ୱାର୍ଥକୁ ବନ୍ଧା ପକାଇବା କଂଗ୍ରେସର ଅଭ୍ୟାସ : ମୋଦି
ାା ଏଜେନ୍ସି ।ା ନୂଆଦିଲ୍ଲୀ : ଅପରେସନ୍ ସିନ୍ଦୂର ନେଇ ଆଜି ଲୋକସଭାରେ କଂଗ୍ରେସ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ସୁରକ୍ଷା ନେଇ କଂଗ୍ରେସ ହିଁ ସବୁବେଳେ ସାଲିସ୍ କରିଆସୁଛି । ନେହେରୁଙ୍କ ଠାରୁ ନେଇ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ଅନେକ ଘଟଣାର ଅବତାରଣା କରି ମୋଦି ବର୍ଷିଥିଲେ ।
ଲୋକସଭାରେ ମୋଦି କହିଥିଲେଯେ, ଆତଙ୍କବାଦୀଙ୍କୁ ଛାଡ଼ିବୁ ନାହିଁ କି ଆତଙ୍କବାଦୀଙ୍କୁ ସମର୍ଥନ ଓ ସହଯୋଗ କରୁଥିବା ଲୋକଙ୍କୁ ଆମେ ଛାଡ଼ିବୁ ନାହିଁ । ଏହା ଆମର ସଂକଳ୍ପ । ଓପି ସିନ୍ଦୂରକୁ ଅଟକାଇବା ପାଇଁ ବିଶ୍ୱର କୌଣସି ନେତା ଭାରତକୁ କହିନାହାନ୍ତି । ପାକିସ୍ତାନ ପ୍ରବଳ କ୍ଷତିଗ୍ରସ୍ତ ହେବାପରେ ପାକ୍ ଡିଜିଏମଓ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲେ । ଆମକୁ ଆଉ ଆକ୍ରମଣ କରନ୍ତୁନାହିଁ ବୋଲି ନିବେଦନ କରିଥିଲା ପାକିସ୍ତାନ । ମେ’ ୯ ରାତିରେ ଆମେରିକାର ଉପରାଷ୍ଟ୍ରପତି ଜେଡ଼ି ଭାନ୍ସ ମୋ ସହ କଥା ହେବାକୁ ୩ରୁ ୪ ଥର ଉଦ୍ୟମ କରିଥିଲେ । ହେଲେ ମୁଁ ସେତେବେଳେ ଆମର ସେନା ଅଧିକାରୀଙ୍କ ସହ ଆଲୋଚନାରେ ବ୍ୟସ୍ତ ଥିଲି । ମୁଁ ପରେ ଆମେରିକାର ଉପରାଷ୍ଟ୍ରପତିଙ୍କ ସହ କଥାହେବାବେଳେ ସେ କହିଥିଲେଯେ, ଆମେରିକା ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ସେ ସତର୍କ କରାଇଥିଲେ । କିନ୍ତୁ ମୁଁ ତାଙ୍କୁ କହିଥିଲିଯେ, ଆମର ଜବାବ ବି ଶକ୍ତିଶାଳୀ ହେବ । ସେ ବୁଲେଟ୍ ମାରିଲେ ଆମେ ତୋପ ମାରିବୁ ବୋଲି ମୋଦି କହିଥିଲେ । କଂଗ୍ରେସକୁ ଟାର୍ଗେଟ୍ କରି ମୋଦି କହିଲେଯେ, ସିନ୍ଦୁ ଜଳ ଚୁକ୍ତି ନେହେରୁଙ୍କର ଦେଶପ୍ରତି ବିଶ୍ୱାସଘାତକତା ଥିଲା । ପ୍ରଧାନମନ୍ତ୍ରୀ ଥିବାବେଳେ ନେହେରୁ ହିଁ ପାକିସ୍ତାନକୁ ୮୦% ଜଳ ଦେବା ପାଇଁ ରାଜି ହୋଇଥିଲେ । ଭାରତର ସ୍ୱାର୍ଥକୁ ବନ୍ଧା ପକାଇବା କଂଗ୍ରେସର ଦୀର୍ଘଦିନର ଅଭ୍ୟାସ । ସିନ୍ଧୁନଦୀ ଆମ ଭାରତର ସଭ୍ୟତା ସହ ଜଡ଼ିତ । ଏହାର ୮୦% ଜଳ ପାକକୁ ଦେବାର ମାନସିକତାକୁ କ’ଣ କୁହାଯିବ ବୋଲି ସେ ପ୍ରଶ୍ନ କରିଥିଲେ । ନେହେରୁ ଯେଉଁ ଭୁଲ୍ କରିଥିଲେ ଆମେ ତାହାକୁ ସଂଶୋଧନ କରିଛୁ ବୋଲି ସେ କହିଥିଲେ । ସେହିପରି ସେନା ଉପରେ ନକରାତ୍ମକ ଟିପ୍ପଣୀ ଦେବା କଂଗ୍ରେସର ଅଭ୍ୟାସ । ୨୦୧୭ରେ ଆମ ସେନା ସର୍ଜିକାଲ ଷ୍ଟ୍ରାଇକ୍ କଲା । ଉରି ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେଲା । ସେତେବେଳେ କଂଗ୍ରେସ ତାହାର ପ୍ରମାଣ ମାଗିଥିଲା । ଏବେ ଆମେ କାରଗିଲ ବିଜୟ ଦିବସ ପାଳନ କଲୁ । ହେଲେ କଂଗ୍ରେସ କାରଗିଲ୍ ବିଜୟକୁ ବି ଗ୍ରହଣ କରୁନଥିଲା । ଉପା ସରକାରଙ୍କ ସମୟରେ ଏହି ବିଜୟ ଦିବସ ପାଳନ କରାଯାଉନଥିଲା । ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ୍ ବେଳେ ବି କଂଗ୍ରେସ ପ୍ରମାଣ ମାଗିଥିଲା । ପୁଲୱାମା ଆକ୍ରମଣ ପରେ ଆତଙ୍କବାଦୀଙ୍କ ଉପରେ ଭାରତ ଏଭଳି ଷ୍ଟ୍ରାଇକ୍ କରିଥିଲା । ଏୟାର ଫୋର୍ସ ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ ଧରିବା ପରେ ସେମାନେ ଉତ୍ସବ ମନାଇଥିଲେ । ଆମ ଦେଶରେ ବି ଦଳେ ମୋଦି ଫସିଗଲା ବୋଲି କହି ଖୁସି ହୋଇଥିଲେ । କିନ୍ତୁ ଅଭିନନ୍ଦନ ଗର୍ବ ସହକାରେ ପୂର୍ଣ୍ଣ ସମ୍ମାନରେ ଭାରତ ଫେରିଥିଲେ ବୋଲି ମୋଦି କହିଥିଲେ ।