ବେଆଇନ୍ ଇଟାଭାଟିଆ ଚଢେଇ ଗିରଫ
ତିହିଡି: ଚେଇଁ ଶୋଇଛି ରାଜସ୍ୱ ବିଭାଗ । ଦୈନିକ ବେଆଇନ୍ ଇଟାଭାଟି ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ୱ ଆଦାୟ ଲକ୍ଷ୍ୟରେ କେବଳ ଜୋରିମାନା ଅର୍ଥାତ୍ ଦଣ୍ଡ ନେଇ ସେମାନଙ୍କୁ ଅଧିକ କ୍ରିୟାଶୀଳ କରାଉଛଓ ଏହି ବିଭାଗ। କଳାଧୂଆଁରେ ଲୋକେ ନାହିଁ ନଥିବା ସମସ୍ୟାରେ ପଡୁଥିବା ବେଳେ ଏହି ବିଭାଗ ପକ୍ଷରୁ ସେମିତି କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏପରିସ୍ଥଳେ ଚୋରା କୋଇଲା ଠାବ୍ କରିବା ବେଳେ ଭଦ୍ରକ ଜିଲ୍ଲା ତିହିଡି ପୁଲିସ ହାତରେ ଧରା ପଡିଛି ଜଣେ ବେଆଇନ୍ ଇଟାଭାଟିଆ । ଏହି ଥାନାଧିନ ଫତେପୁର ଗାଁର ମହେନ୍ଦ୍ର ନାୟକ(ଚଢେଇ)କୁ ଚୋରା କୋଇଲା ଗଚ୍ଛିତ ରଖିବା ଅଭିଯୋଗରେ ପୁଲିସ ଗିରଫ୍ କରିଛି। ଗିରଫ୍ ଅଭିଯୁକ୍ତ ଚଢେଇ ବେଆଇନ୍ ଭାବେ ଇଟା ଭାଟି ଲଗାଇଥାନ୍ତି । ଏଥିପାଇଁ ସେ ପେଶାଦାର କୋଇଲା ଚୋରଙ୍କ ଠାରୁ ଶସ୍ତାରେ କୋଇଲା କିଣି ନିଜ ଇଟାଭାଟି ପାଖରେ ଗଚ୍ଛିତ କରି ରଖିଥାନ୍ତି । ପୁଲିସ କୌଣସି ସୂତ୍ରରୁ ଖବରପାଇ ତାଙ୍କ ଇଟାଭାଟି ନିକଟରେ ପହଞ୍ଚ ସେଠାରେ ଗଚ୍ଛିତ ଥିବା ୭୨ ବସ୍ତା ଚୋରା କୋଇଲା ଜବତ କରିବା ସହ ଦୁଇଦିନ ତଳେ ଏକ ମାମଲା ୫୩୭/୨୪ ରୁଜୁ କରି ଅଧିକ ତଦନ୍ତ ଚଳାଇ ଆସୁଥିଲା। ଗତକାଲି ପୁଲିସ ଅଭିଯୁକ୍ତ ଚଢେଇକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ପ୍ରସନ୍ନ ନାୟକଙ୍କ ସୂତ୍ରରୁ ଜଣାଯାଇଛି । ଏଠାରେ ସୂଚନା ଥାଉକି, ଗତ କିଛି ଦିନ ହେଲା ଭଦ୍ରକ ଏସପିଙ୍କ ନିଦେ୍ର୍ଦଶରେ ଭଦ୍ରକ-ଧାମରା ରେଳପଥରେ ପେଶାଦାର କୋଇଲା ଚୋର ଓ ମାଫିଆଙ୍କ ଉପରେ ଲଗାତର ଚଢାଉ ଜାରି ରହିଛି ।