ପାର୍କ ନାଁରେ ୨୦ କୋଟି ଚଳୁ
ଆନନ୍ଦପୁର : କେଉଁଠି ପର୍ବତ ଉପରେ ପାର୍କ ନିର୍ମାଣ ହୋଇଛି ତ କେଉଁଠି ଗୋଚର ଜମିରେ ଗ୍ରାମ୍ୟ ଉଦ୍ୟାନ । ଅନାବାଦି ଜମିକୁ ମଧ୍ୟ ଛାଡି ନାହାନ୍ତି । ଯେଉଁଠିି ପାରିଛନ୍ତି ପାର୍କ ନିର୍ମାଣ ନାମରେ ଅର୍ଥ ଆତ୍ମସାତ କରିବା ପାଇଁ ସମସ୍ତେ ମିଶି ଯାଇଛନ୍ତି । କେନ୍ଦୁଝର ଜିଲ୍ଲାରେ ଗ୍ରାମୀଣ ପାର୍କ ନିର୍ମାଣ କ୍ଷେତ୍ରରେ ଏଭଳି ସାଙ୍ଘାତିକ ତଥ୍ୟ ରଖିଛି ଦୁର୍ନୀତି ବିରୋଧୀ ପ୍ରଗତିଶୀଳ ମଞ୍ଚ ।ଆଜି ଘଷିପୁରାସ୍ଥିତ ହୋଟେଲ ଗାୟତ୍ରୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି କହିଛନ୍ତି ଯଜ୍ଞ ପ୍ରସାଦ ସାହୁ । ବିଜେଡି ସରକାର ସମୟରେ ଜିଲ୍ଲାରେ ୧୦୮ ଗ୍ରାମୀଣ ପାର୍କ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏଥିପାଇଁ ବିଭାଗରୁ ଅର୍ଥ ପ୍ରଦାନ କରାଯାଇଥିଲା । କେଉଁଟି ପାର୍କ ନିର୍ମାଣ ପାଇଁ ୧ ଲକ୍ଷ ୭୭ ହଜାର ଟଙ୍କା ପ୍ରଦାନ କରାଯାଇଛି ତ ଆଉ କେଉଁଠି ପାର୍କ ୨ କୋଟି ଟଙ୍କା ଦିଆଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି ।
ସେହିପରି ଜଙ୍ଗଲ ମଝିରେ ପାହାଡ ଉପରେ ପାର୍କ ନିର୍ମାଣ ପାଇଁ ୧ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ବଡ଼ପଦନା ଗ୍ରାମରେ ପାର୍କ ଖାତା ନଂ- ୪୨୧, ପ୍ଲଟ ନମ୍ବର - ୨୫୯୪, କିସମ ଗୋଚରରେ ମୋଟ୍ ୧୭ ଏକର ୩୪ ଡିସିମିଲ ଜାଗା ରେ ପାର୍କ ନିର୍ମାଣ ହୋଇଛି । ଏହି ଜାଗାରୁ ପ୍ରାୟ ଦେଢ଼ ଏକର ସ୍ଥାନରେ ପାର୍କ ନିର୍ମାଣ ପାଇଁ ୨ କୋଟି ଖର୍ଚ୍ଚ କରାଯାଇ ଅର୍ଥ ଉଠାଣ ହୋଇଛି । ତେବେ ଏହି ଜମି ଅଞ୍ଚଳ ଅତ୍ୟନ୍ତ ସମ୍ବେଦନଶୀଳ । ଏଠାରେ ପାର୍କ କହିଲେ କେବଳ ପାଚେରୀ ଆଉ କିଛି ସିମେଣ୍ଟ ଚେୟାର ସହ ପାରମ୍ପରିକ ପୁରୁଣା ଗାଉଁଲି ଗଛ । ହେଲେ ପାର୍କ ନିର୍ମାଣ ଶେଷ ହୋଇଥିବା ଦର୍ଶାଯାଇ ଅର୍ଥ ଉଠାଣ ହୋଇଛି । ତେବେ ପାର୍କଟି ଗୋଚର ଜମିରେ ହୋଇଥିବା ଯଜ୍ଞ ପ୍ରସାଦ କହିଛନ୍ତି । ସାଧାରଣତଃ ଗୋଚର ଜମିରେ ପାର୍କ ପାଇଁ ଅନୁମତି ମଧ୍ୟ ନାହିଁ । ଫଳରେ ବ୍ଲକ୍ ପ୍ରଶାସନ ସହ ରାଜସ୍ୱ ବିଭାଗ ମଧ୍ୟ ସନେ୍ଦହଘେରକୁ ଆସିଛି । ପାର୍କ ନିର୍ମାଣ ଗୋଟିଏ ଦିନରେ ହୋଇନାହିଁ । ରାଜସ୍ୱ ବିଭାଗ କିଭଳି ଏହା ଜାଣି ପାରିଲା ନାହିଁ ବୋଲି ମଞ୍ଚ ପକ୍ଷରୁ ଯଜ୍ଞ ପ୍ରସାଦ ସାହୁ ପ୍ରଶ୍ନ କରିଛନ୍ତି । ତେବେ ଏହି ପାର୍କଟି ଯେଉଁ ଉଦେ୍ଦଶ୍ୟରେ ନିର୍ମାଣ ହୋଇଥିବା ଦର୍ଶାଯାଇଛି, ତାହା ସଫଳ ହୋଇପାରି ନାହିଁ ।
ପଣସଡିହା ପଞ୍ଚାୟତରେ ପର୍ବତ ଜମିରେ ପାର୍କ ନିର୍ମାଣ ହୋଇଛି । ଖାତା ନମ୍ବର - ୧୬୧, ପ୍ଲଟ ନମ୍ବର - ୫୩୯ରେ ମୋଟ ସାଢେ ୧୦ ଏକର ଜମି ରହିଛି । ଏଥିରୁ ପ୍ରାୟ ଦେଢ଼ ଏକର ସ୍ଥାନରେ ପାର୍କ ନିର୍ମାଣ କରାଯାଇଛି । ଏହି ଜମି ଉପରେ ପୂର୍ବରୁ ଶତାଧିକ ଜଙ୍ଗଲୀ ଶାଳ ଗଛ ଥିଲା । ଏଥିରୁ ୫୦ରୁ ଅଧିକ ଗଛକୁ ବନ ବିଭାଗର ବିନା ଅନୁମତିରେ କାଟି ପାର୍କ ନିର୍ମାଣ କରାଯାଇଛି । ଏଠାରେ ମଧ୍ୟ ସମାନ ସ୍ଥିତି, କାର୍ଯ୍ୟ ଅସମ୍ପୂର୍ଣ୍ଣ । ହେଲେ ମନରେଗା, ପଞ୍ଚାୟତ ବିକାଶ ପାଣ୍ଠି, ୫ମ ରାଜ୍ୟ ଅର୍ଥ କମିଶନ ଅର୍ଥ ସହ ବିଧାୟକ ପାଣ୍ଠି ମଧ୍ୟ ଏଥିରେ ବିନିଯୋଗ ହୋଇଥିବା ଯଜ୍ଞ ପ୍ରସାଦ ସାହୁ କହିଛନ୍ତି । ୧ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ପାର୍କ ନିର୍ମାଣ ଏବେବି ଅସମ୍ପୂର୍ଣ୍ଣ ରହିଛି । ତେବେ ଅର୍ଥ ଆତ୍ମସାତ ପାଇଁ କୌଣସି ପାର୍କକୁ ଟେଣ୍ଡର ପ୍ରକ୍ରିୟାରେ ସାମିଲ କରାଯାଇ ନାହିଁ । ଏହାକୁ ଭାଗ ଭାଗ କରି ବିଭିନ୍ନ ଉତ୍ସରୁ ଏକାଧିକ ଥର ଅର୍ଥ ବ୍ୟୟବରାଦ କରାଯାଇଥିବା ସାମାଜିକ କର୍ମୀ ହିମାଂଶୁ ଶେଖର ନାୟକ କହିଛନ୍ତି । ଏଥିରେ ସଂପୃକ୍ତ ସମସ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ସେହିପରି ପାର୍କ ନିର୍ମାଣ ଆଳରେ ଖର୍ଚ୍ଚ ହୋଇଥିବା କୋଟି କୋଟି ଟଙ୍କା ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ଜନପ୍ରତିନିଧିଙ୍କ ଠାରୁ ଆଦାୟ କରିବାକୁ ଯଜ୍ଞ ପ୍ରସାଦ ସାହୁ ଦାବି କରିଛନ୍ତି ।