ଦୁଇ ଭଉଣୀଙ୍କ ଜୀବନ ନେଇଗଲା ଥ୍ରେସର୍ ମେସିନ
ବ୍ୟାସନଗର: ଜମଦୂତ ସାଜିଲା ଥ୍ରେସର୍ ମେସିନ୍ । ବିଲରେ ଧାନକାଟୁଥିବା ବାପାଙ୍କ ପାଇଁ ଖାଇବା ନେଇ ଯାଇଥିଲେ ଦୁଇ କୁନି ଝିଅ । କିନ୍ତୁ ବାପା ଜାଣି ନ ଥିଲେ ଦୁଇ ଝିଅଙ୍କ ସ୍ନେହଭରା ଖାଦ୍ୟ ଆଜି ତାଙ୍କ ପାଇଁ ଶେଷ ସ୍ନେହ ହେବ ବୋଲି । ହଠାତ ଖୁସିର ପରିବାର ଉପରେ ଦୁଃଖର କଳାବାଦଳ ମାଡ଼ି ବସିବା ଭଳି ଦୁଇ କୁନି ଝିଅଙ୍କ ଉପରେ ମାଡ଼ିବସିଲା ଥ୍ରେସର୍ ମେସିନ୍ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ କୋମଳମତି ଶିଶୁଙ୍କ ପ୍ରାଣବାୟୁ ଉଡ଼ିଯାଇଛି । ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ମାଝିସାହିରେ ।
ପୌରାଞ୍ଚଳ ୩ନଂ ୱାର୍ଡର ଫେରୋକ୍ରୋମ ସ୍କୁଲ ନିକଟସ୍ଥ ମାଝିସାହିର ରାଜୁ ହାଁସଦା ବିଲକୁ କାମ କରିବାକୁ ଯାଇଥିଲେ । ଘରେ ଥିବା ଦୁଇ ଝିଅ ଦୁଲାରି (୧୬) ଓ ରାନି(୧୪) ବିଲରେ କାମ କରୁଥିବା ବାପାଙ୍କ ପାଇଁ ଆଗ୍ରହର ସହ ଭାତ, ତରକାରୀ ଧରି ବାହାରିଥିଲେ । ଘରୁ ବାହାରିବା ବେଳେ ବିଲକୁ ଧାନ ଅମଳ ପାଇଁ ଯାଉଥିବା ଥ୍ରେସର ମେସିନ ଦେଖି ଉତ୍ସୁକତାର ସହ ତା’ ଉପରେ ଚଢ଼ି ଯାଇଥିଲେ ଦୁଇ ଭଉଣୀ । ଟ୍ରାକ୍ଟର ପଛପଟେ ଲାଗିଥିବା ଟ୍ରେସର ମେସିନରେ ବସି ହସଖୁସିରେ ଯାଉଥିଲେ ଦୁଇ ଭଉଣୀ । କିନ୍ତୁ ଟ୍ରାକ୍ଟରଟି ହଠାତ ଏକ ବଡ଼ ହିଡ଼ ପାରି ହେଉଥିବା ବେଳେ ପଛରେ ଲାଗିଥିବା ଥ୍ରେସର୍ ମେସିନଟି ହଠାତ ଓଲଟି ଦୁଇ ଭଉଣୀଙ୍କ ଉପରେ ମାଡ଼ି ବସିଥିଲା । ଫଳରେ ସେଠାରେ ଅଶୋଭନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଲରେ କାମ କରୁଥିବା ଲୋକଙ୍କ ସମେତ ନିଜେ ରାଜୁ ଘଟଣାସ୍ଥଳକୁ ଦୌଡ଼ି ଆସି ପିଲା ଦୁଇଜଣଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ସେମାନଙ୍କୁ ଯାଜପୁର ରୋଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।
ଦୁଇ କୁନି ପିଲାଙ୍କ ମୃତୁ୍ୟକୁ ନେଇ ଘର ପରିବାର ଏବଂ ସାହିରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ତେବେ ଦୁଲାରି ମାଟି୍ରକ୍ ପାସ କରିଥିବା ବେଳେ ସାନ ଭଉଣୀ ରାନି ଉମାପଦା ସ୍କୁଲ୍ରେ ୯ମ ଶ୍ରେଣୀରେ ପଢୁଥିଲା । ପୁଲିସ ମେଡିକାଲରେ ପହଞ୍ଚô ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଦାନଗଦୀ ମେଡ଼ିକାଲକୁ ପଠାଇଛି । ଅନ୍ୟପକ୍ଷରେ ଜିଲ୍ଲା ରେଡ୍କ୍ରସରୁ ପରବାର ଲୋକଙ୍କୁ ୨୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପୁଲିସ୍ ସମ୍ପୃକ୍ତ ଟ୍ରକ୍ଟର୍କୁ ଜବତ କରି ତଦନ୍ତ ଚଳାଇଛି ।