ପୁଂଜିବାଦୀ ପ୍ରଳାପ : ବିଶ୍ୱ ବିଧ୍ୱଂସର ବିଳାପ
ମାୟାଧର ନାୟକ : ୨୦୦୮ ଅକ୍ଟୋବର ୧୪ ତାରିଖରେ ପାରାଦ୍ୱୀପରୁ ସୁକିନ୍ଦା ଫେରୁଥିଲି । ବାଟରେ ଗୋଟିଏ ଜଳଖିଆଦୋକାନ ଭିତରକୁ ପଶିଦେଖିଲି ମାଲିକ ଏବଂ ଗ୍ଲାସ ପ୍ଲେଟ ଧୋଉଥିବା ପିଲାଟି ଠାକୁରଙ୍କ ଫଟୋକୁ ଜୁହାର ହୋଇ ଗୁହାରି କରୁଛନ୍ତି - ହେ ଭଗବାନ - ଆଇରନ ଓର ଟ୍ରକ ଚଳାଇଦେ ! ପଚାରିଲି - କ’ଣ ହେଲା ଭାଇ ! ଠାକୁରଙ୍କୁ ଡାକିଲେ କ’ଣ ଟ୍ରକ ଚାଲିବ? ମାଲିକେ କହିଲେ - ଆଜ୍ଞା ପାରାଦ୍ୱୀପକୁ ଗାଡ଼ି ଚାଲିଥିଲା ବେଳେ ଦୋକାନରେ ବିକ୍ରି ବହୁତ ହେଉଥିଲା, ଏବେ ଗାଡ଼ି ରାସ୍ତାରେ ନାହିଁ, ଦୋକାନରେ ବିକ୍ରି ଶୂନ । ଏ ଛୁଆଙ୍କୁ ଦରମା ବି ଦେଇ ହେବନି । ୨୦୦୯ ଜାନୁୟାରୀରେ ଚାରିଆଡେ଼ ମାନ୍ଦା-ମାନ୍ଦା ମହାମାନ୍ଦା । ଗାଁର ରଇତ ଠାରୁ ଆରମ୍ଭ କରି ଆମେରିକା ରାଷ୍ଟ୍ରପତି ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି - ଆର୍ôଥକ ମାନ୍ଦାବସ୍ଥା; କିନ୍ତୁ ଆମେ କହିଥିଲୁ : ନା - ମାନ୍ଦାବସ୍ଥା ନୁହେଁ - ଏହା ଅର୍ଥନୈତିକ ଆତଙ୍କବାଦ - ମହାତଙ୍କ । ପୁଣି ସନ୍ତ୍ରାସର କୋକୁଆଭୟ । ଏ ସମସ୍ତ ସଂକଟର ମୂଳବୀଜ କେବେଠୁଁ ବୁଣାଯାଇଛି । ବିଶ୍ୱବିପର୍ଯ୍ୟୟ ବର୍ଷ ୨୦୦୮ନୁହେଁ । ବହୁ ବର୍ଷରୁ ଏହି ବିପର୍ଯ୍ୟୟର ବିଷବୀଜ ବୁଣା ଯାଇଥିଲା । ସେତେବେଳେ ସେହି ବିଷାକ୍ତ ଫଳ ଖାଇ ସମସ୍ତେ ବିଭ୍ରାନ୍ତ ବାତୁଳ ଭଳି ଆଚରଣ କରିବାରେ ଲାଗିପଡିଥିଲେ । ବିଶ୍ୱ ଅର୍ଥନୀତି ଓ ରାଜନୀତିରେ ସ୍ୱୈରତନ୍ତ୍ର ହିଁ ସବୁ ସଂକଟର ମୂଳକାରଣ ।
ଗଛର ଚେର ମରିମରି ଆସୁଥିବାବେଳେ ଡାଳ, ଫଳ, ପତ୍ର ବି ମରିବାକୁ ବାଧ୍ୟ । ବିଶ୍ୱ ଅର୍ଥନୀତିରେ ଭୂମିକଂପ ଆରମ୍ଭହୋଇଛି ଆମେରିକାରୁ । ବିଶ୍ୱର ଏକାଙ୍ଗଚକ୍ରବର୍ତ୍ତୀ ବୋଲାଉଥିବା ଆମେରିକା ସମଗ୍ର ବିଶ୍ୱକୁ ଶୋଷି ନିଜେ ସଂପଦ ଠୁଳ କରିବାକୁ ଲାଗିପଡ଼ିଥିଲା । ଏବେ ସେଇ ସଂପଦର ପାହାଡ଼ରେ ବିପଦର ବିସ୍ଫୋରଣ ! ଆମେରିକାର ବଡ଼଼ ବଡ଼଼ ବ୍ୟାଙ୍କମାନେ ବିନାସୁଧରେ କଂପାନୀମାନଙ୍କୁ ଋଣପ୍ରଦାନ କରି ଲାଭରୁ ସିଂହଭାଗ ନେଉଥିଲେ । ଏଣେ ଶସ୍ତା ବାହାଦୁରି ଦେଖାଇ ଲୋକଙ୍କୁ ଅପର୍ଯ୍ୟାପ୍ତ ଘର-ଗାଡ଼ି ସୌଖୀନ ପଦାର୍ଥ ପାଇଁ କରଜ ଦେଲେ । ଚାହିଦା କମିବାରୁ କାରଖାନାର କ୍ଷତି ହେଲା । ଲାଭଭାଗ ମିଳିଲା ନାହିଁ । ଆମେରିକାଲୋକେ ଋଣ ଟଙ୍କା ଶୁଝିଲେ ନାହିଁ । ଜମାକାରୀମାନେ ଜମା ଅର୍ଥ ଉଠାଇବାକୁ ବ୍ୟାଙ୍କରେ ଟଙ୍କା ନାହିଁ । ହଠାତ ଚହଳ ପଡ଼ିଗଲା । ସରକାର ରାଜକୋଷରୁ ଅର୍ଥଯୋଗାଇ ପାରିଲେ ନାହିଁ । ପାଖାପାଖି ବଡ଼଼ବଡ଼଼ ଅନେକ ବ୍ୟାଙ୍କ ଦେବାଳିଆ ଘୋଷଣା କରାଗଲାଣି । ଆମେରିକା ଆମଦାନି କରୁଥିବା ସାମଗ୍ରୀ କମେଇଦେବାକୁ ବାଧ୍ୟ ହେଲା । ଏହାର ଭୟଙ୍କର ପ୍ରଭାବ ଆମେରିକାରୁ ଆସି ବିଶ୍ୱର ଗାଁଗହଳିରେ ପଡ଼ିବା ଆରମ୍ଭ କଲାଣି ।ଏ ପାଖେ ଚୀନ ଆମେରିକାକୁ ଟକ୍କର ଦେବାପାଇଁ ସମଗ୍ର ବିଶ୍ୱରେ ଶସ୍ତା ସାମଗ୍ରୀର ବିପଣୀ ଖୋଲି ସମଗ୍ର ବିଶ୍ୱବଜାରରୁ ଅର୍ଥ ଟାଣି ନେଲା । ବିଭିନ୍ନଦେଶରୁ କଂଚାମାଲ ଆମଦାନୀ ହଠାତ ବନ୍ଦ କରିଦେବାରୁ ରପ୍ତାନି କରୁଥିବା ଦେଶସମୂହ ଭୟଙ୍କର ବିପଦର ସମ୍ମୁଖୀନ ହେଲେ । ଆମେରିକାର ଏକାଧିପତ୍ୟକୁ ଜାପାନ ଚୀନ ଧରାଶାୟୀ କରିଦେଲେ । ଚୀନ ଏକଦଳୀୟ ସମାଜବାଦୀ ରାଷ୍ଟ୍ର । ଏଥିପାଇଁ ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ରକୁ ଖାଦ୍ୟ, ବସ୍ତ୍ର, ବାସଗୃହରେ ସ୍ୱୟସଂପୂର୍ଣ୍ଣ କରିବା ଲକ୍ଷ୍ୟରେ ସମାଜବାଦୀ ଅର୍ଥନୀତିରେ ପୁଂଜିବାଦୀ ଅର୍ଥନୀତିକୁ ଅନୁପ୍ରବେଶ କରାଇ ଜଗତୀକରଣ ପ୍ରଭାବରେ ଚୀନ ଉତ୍ପାଦିତ ଦ୍ରବ୍ୟକୁ ସାରା ବିଶ୍ୱରେ ଶସ୍ତାରେ ବିକ୍ରି କରି ସମସ୍ତ ଦେଶର ଜନଗଣଙ୍କ କଷ୍ଟୋପାର୍ଜିତ ଅର୍ଥକୁ ନିଜ ଦେଶକୁ ବୋହିନେବାରେ ସକ୍ଷମ ହୋଇପାରିଛି ।
୯୩ ବର୍ଷ ତଳେ ୧୯୨୯ ମସିହାରେ ସମଗ୍ର ବିଶ୍ୱରେ ଆର୍ôଥକ ମହାମାନ୍ଦାବସ୍ଥା ଚାଲିଥିଲା, ସେହି ମାନ୍ଦାବସ୍ଥା ପ୍ରାୟ ୪ ବର୍ଷ କାଳ ଚାଲିଲା । ସେତେବେଳେ ବିଜ୍ଞାନର ଅଗ୍ରଗତି ବିଶେଷ ହୋଇ ନଥିଲା, ଏତେ କଳ କାରଖାନା ନ ଥିଲା । ପୁନଶ୍ଚ ସେ ସମୟରେ ସମଗ୍ର ବିଶ୍ୱ ଦୁଇ ଭାଗରେ ବିଭକ୍ତ ଥିଲା । ଦୁଇ କିସମର ବିଶେଷ ବଜାର ମଧ୍ୟ ଥିଲା । ସେପଟେ ଆମେରିକାନେତୃତ୍ୱରେ ପୁଂଜିବାଦୀ ସାମ୍ରାଜ୍ୟବାଦୀ ବଜାର, ଏପଟେ ରୁଷ ନେତୃତ୍ୱରେ ସମାଜବାଦୀ ଶିବିର ଓ ବଜାର ଥିବା ଫଳରେ ତୃତୀୟ ବିଶ୍ୱ ଏବଂ ଭାରତ ସମେତ ଅନୁନ୍ନତ ଦେଶମାନେ ଉଭୟଠାରୁ ସାହାଯ୍ୟ ସହଯୋଗ ପାଉଥିଲେ । ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଲାଗି ପ୍ରାୟ ୫ ବର୍ଷ ଚାଲିଥିଲା । ତଥାପି ଅବସ୍ଥା ସୁଧୁରିବା ପାଇଁ ୨୫ ବର୍ଷ ଲାଗିଗଲା ।
୮୦ ବର୍ଷ ପରେ୨୦୦୮ ବିଶ୍ୱର ଆର୍ôଥକ ସଙ୍କଟ ୧୯୨୯ ମସିହାର ମହାମାନ୍ଦାବସ୍ଥା ଠାରୁ ୧୦ ଗୁଣ ଅଧିକ ହୋଇଗଲା । ସେହି ସମୟରେ ଅର୍ଥନୀତିଜ୍ଞ କେନ୍ସଙ୍କ ତତ୍ତ୍ୱକୁ ପୁଂଜିବାଦୀ ରାଷ୍ଟ୍ରମାନେ କାର୍ଯ୍ୟକାରୀ କରିଥିଲେ । କେନ୍ସ ତତ୍ତ୍ୱର ମୂଳଭିତ୍ତି ହେଲା, ମାନ୍ଦା କାଟିବା ପାଇଁ ସାମଗ୍ରିକ ଚାହିଦା ବଢ଼ାଇବାକୁ ହେବ । ଏହି ଚାହିଦା ସରକାର ବଢ଼ାଇବେ, ରାଜକୋଷରୁ ବ୍ୟୟ କରିବେ । ସରକାର ଅର୍ଥ ବ୍ୟୟ କଲେ ଲୋକଙ୍କ ହାତକୁ ଟଙ୍କା ଯିବ - ଟଙ୍କା ରହିଲେ ଲୋକେ ଜିନିଷପତ୍ର କିଣିବେ । ବିନିଯୋଗ ମଧ୍ୟ ବଢ଼ିବ ।ଯେକୌଣସି ଭାବେ ଲୋକଙ୍କ ରୋଜଗାର ବଢ଼ାଇ ଲୋକଙ୍କ ପକେଟକୁ ଟଙ୍କା ଆସିବା ଦରକାର । ପ୍ରୟୋଜନରେ ମାଟିଖୋଳି, ସେହି ମାଟି ଗାତରେ ଭର୍ତ୍ତି କରିବା କାମ ବି ଆଗେ ଦରକାର । ମାଟିଖୋଳି ଗାତ ପୋତିବା ଏବେ ସମ୍ଭବ ନୁହେଁ । ଅପର ପକ୍ଷରେ ମାର୍କ୍ସ ଏଙ୍ଗେଲ୍ସ୍ ତତ୍ତ୍ୱକୁ ସମାଜବାଦୀ ଶିବିର ପ୍ରୟୋଗକରି ଲୋକଙ୍କ ରୋଟି କପଡ଼ା ଔର ମକାନ, ସ୍ୱାସ୍ଥ୍ୟ ଶିକ୍ଷାର ସମାଧାନ କରି ପାରିଲେ । ଚାହିଦା ବଢ଼ିଲେ ଦାମ ବଢେ଼, ଦାମ ବଢ଼ିଲେ ଚାହିଦା କମେ ।ଚାହିଦା କମିଲେ ଉତ୍ପାଦନ କମେ । ଉତ୍ପାଦନ କମିଲେ ଶ୍ରମିକ ସଂକୋଚନ ପ୍ରକ୍ରିୟା ଆରମ୍ଭ ହୁଏ । ବିଭିନ୍ନ ଦେଶର ବୈଜ୍ଞାନିକମାନେ ‘ବିଗ୍ବ୍ୟାଙ୍ଗ୍’ ପରୀକ୍ଷା କରୁଥିବା ବେଳେ ପୃଥିବୀ ଧ୍ୱଂସ ହୋଇଯିବ ବୋଲି ଖବରକାଗଜରେ ପ୍ରକାଶ ପାଇଲା ପରେ ଲୋକେ କୁକୁୁଡ଼ା ଛେଳି, ମେଣ୍ଢା ଗାଈ ମଇଁଷି ମାରି ଖାଇଗଲେ । ଆକଣ୍ଠ ମଦ୍ୟପାନ କଲେ । ସମସ୍ତେ କହିଲେ - ମରିବା ପୂର୍ବରୁ ମଦମାଂସ ପେଟେ ଖାଇ ଦେଇଥିବା । କିନ୍ତୁ ପୃଥିବୀ ଧ୍ୱଂସ ହେଲାନି । ଲୋକେ ଅଯଥା ଗୁଡାଏ ମଦମାଂସ ଖାଇ ହାଇପି ସାଇପିହେଲେ । ମଝିରେ ପୁଣି ଖୁବ୍ ଜୋରରେ ପ୍ରଚାର ଚାଲିଲା ୨୦୧୨ ମସିହା ଡିସେମ୍ବର ୨୧ ତାରିଖରେ ପୃଥିବୀ ଧ୍ୱଂସ ପାଇବ ! ଅତୀତରେ ‘ମାୟାସଭ୍ୟତା’ ତାର କାୟାବିସ୍ତାର କରି ଦିନେ ଧ୍ୱଂସ ପାଇଥିଲା । ସେହି ସମୟର ଦୁଇ ହଜାର ବର୍ଷ ପୂର୍ବରୁ ମାୟା କ୍ୟାଲେଣ୍ଡରରେ ୨୦୧୨ ମସିହା ଡିସେମ୍ବର ୨୧ ତାରିଖରେ ପୃଥିବୀ ଧ୍ୱଂସ ପାଇବାର ସୂଚନା ଦିଆଯାଉଛିବୋଲି ପ୍ରଚାର ଚାଲିଲା । ସବୁକୋଠାବାଡ଼ି, କଳକାରଖାନା ଭୂଗର୍ଭରେ ପଶିଯିବ - ସମୁଦ୍ର ମାଡ଼ିଆସିବ । ପୃଥିବୀରେ ଯେଉଁ ଭାଗକ ସ୍ଥଳ ଅଛି, ସେ ଜଳାର୍ଣ୍ଣବ ହେବ । ଜଳେ ଜଗତ ନାଶ ଯିବ । ଆମ ଓଡ଼ିଶାରେ ହାଡ଼ିଦାସ ମାଳିକାରେ ମଧ୍ୟ ପୃଥିବୀ ଧ୍ୱଂସର ସୂଚନା ଦିଆଯାଇଛି । କଳିଯୁଗ ଶେଷ ହେଉଛି - ସତ୍ୟଯୁଗ ଆରମ୍ଭହେବ ବୋଲି କୁହାଯାଉଛି । ବାରହାତ ଖଣ୍ଡାନେଇ ‘କଳ୍କୀ’ ଅବତାର ଆସିବେ - ଅଧର୍ମୀକୁ ନାଶି ଧର୍ମ ସଂସ୍ଥାପନ କରିବେ । ଏବେଠୁଁ ପୃଥିବୀ ଧ୍ୱଂସପ୍ରଚାର, ପୁଣି ବିଶ୍ୱ ଆର୍ôଥକ ଅବସ୍ଥା ମଧ୍ୟ ଧ୍ୱଂସପ୍ରବଣ । ଲକ୍ଷ୍ୟ କରୁଛନ୍ତି ତ ଲାଭଖୋର ଲୁଟେରା ପୁଞ୍ଜିବାଦୀ ତତ୍ତ୍ୱବାଗୀଶବର୍ଗଙ୍କ ଧଳା ଉଆସ ଆଡୁ ଷଣ୍ଢୁଆସୀ ଷଡ଼ଯଂତ୍ରର କି ଆତଙ୍କପ୍ରଦ ଶବ୍ଦବର୍ଷଣ !
ପ୍ରାଚୀନ କାଳର ଚଉବର୍ଗ ତତ୍ତ୍ୱ-ଅର୍ଥାତ୍ ଧର୍ମ, ଅର୍ଥ, କାମ, ମୋକ୍ଷକୁ ନେଇ ଏକ ଆଧିଭୌତିକ ବିଶ୍ୱାସ ସରଳନିରୀହ ଜନଗଣଙ୍କର ଅସ୍ଥିମଜ୍ଜାଗତ ହୋଇ ରହିଥିଲା । ମାତ୍ର ପୁଞ୍ଜିବାଦୀ ତତ୍ତ୍ୱବାଗୀଶବର୍ଗ ଏହି ଚଉବର୍ଗୀ ସରଳ ଜନବିଶ୍ୱାସ ପ୍ରତି କୁଠାରଘାତ କରି ନିଜ ମୁନିବମାନଙ୍କ ମୁନାଫାର ମଇଦାନରେ ପ୍ରଥମେ ଧର୍ମକୁ କିଣା କିଙ୍କର କରାଇଦେଲେ । ମାତ୍ରାଧିକ ଔପଚାରିକତା ମଧ୍ୟରେ ଧର୍ମ ଡୁବିଗଲା । ପୁଂଜିବାଦର ସେବା କରି ନୟାନ୍ତହେଲା ପରେ ଶେଷକୁ ଏ ଧର୍ମର ଉପସଂହାର ହେଲା ଦଙ୍ଗା ଓ ଆତଙ୍କବାଦରେ । ଧର୍ମ ପରେ ଅର୍ଥ । ମାତ୍ର ଅଧର୍ମ ବିତ୍ତ ବା ବଳକା ଅର୍ଥକୁ ଆଣି ଯେତେ ଭେଳିକି ଲଗାଇଲେ ବି କାମ ଦେଉନି । ବାକି ରହିଲା କାମ ଅର୍ଥାତ୍ କାମନା-ବାସନା... ଅର୍ଥାତ୍ ଆଧ୍ୟାତ୍ମିକତା ଅବଲମ୍ବନରେ ପ୍ରାଣୀର ନିଜ ପ୍ରବୃତିରୁ ନିବୃତ୍ତି ବା ମୋକ୍ଷ ମୁକ୍ତି । ମଧ୍ୟଯୁଗୀୟ ପୃଥିବୀର ଏ ସ୍ୱର ନିଆରା । ଲୋକଙ୍କୁ ଅବଚେତନ ଭାବେ ଏକ ଅନ୍ଧାରୀ ଦିଗ ଆଡକୁଠେଲି ଦିଆଯାଉଛି । ଶୂକର ଧର୍ମ- ଘୁଷୁରି ଧର୍ମ - ଘୁଷୁରିଭଳି ମଣିଷଜାତିକୁ ଗୋଟାଏ ଘଷରା ଜୀବନ ବଂଚିବାକୁ ଅନୁପ୍ରେରିତ କରାଯାଉଛି । ସ୍ଥାଣୁ ଅର୍ଥନୀତିକୁ କିଛି ସମୟ ପାଇଁ ଚଳଚଂଚଳ କରିରଖିବା ଉଦ୍ଦେଶ୍ୟରେ ପ୍ରବଳ ପ୍ରୟାସର ଏକ ପ୍ରାୟୋଜିତ ପର୍ଯ୍ୟାୟ ଆରମ୍ଭ କରାଯାଉଛି । ଯନ୍ତ୍ରମାନବ, କଂପ୍ୟୁଟର ପ୍ରଚଳନ କରି ପୁଂଜିର ଐରାବତ ସୃଷ୍ଟି କରି ମଧ୍ୟ ସଂକଟଜାଲରୁ ପୁଂଜିବାଦ ମୁକୁଳି ପାରୁନି ।
ମାନବସମାଜର ଉନ୍ନତିର ଉତୁଙ୍ଗ ଆକାଂକ୍ଷାସବୁ ଧୂଆଁ, ପବନରେ ଉଡ଼ିଯାଉଛି ।ଶୋଷଣର ବିଷାକ୍ତ ହତିଆର ଅକାମୀହୋଇ ପଡୁଛି । ସଂକଟଗ୍ରସ୍ତ ବିଶ୍ୱ ଅର୍ଥନୀତି ନିଜର ଅନ୍ତିମ ଅବସ୍ଥାରେ ପହଂଚିଗଲାଣିବୋଲି ମିଥ୍ୟାପ୍ରଚାର ଚଳାଇ ମଣିଷକୁ ଥରହର କରି ଦିଆଯାଉଛି । ପୁଂଜିବାଦର ମାଧ୍ୟମ ମିଡ଼ିଆକୁ ପ୍ରଚୁର ଅର୍ଥ ଦେଇ ଏଇ ଅପପ୍ରଚାରଧର୍ମୀ ଉଦ୍ଭଟନାଟକ ଆରମ୍ଭ ହୋଇଯାଇଛି - ଯେତେବେଳେ ମଠମନ୍ଦିର ମସ୍ଜିଦ ଗିର୍ଜା ପୁଂଜିବାଦକୁ ରକ୍ଷା କରି ପାରୁନି - ଅର୍ଥବଳ, ବାହୁବଳ, ରାହୁବଳ କାମ ଦେଉନି - ସେତେବେଳେ ପୁଂଜିବାଦର ପ୍ରେତ ‘ନଷ୍ଟ୍ରଡମସ୍’ର ପୃଥିବୀ ଧ୍ୱଂସର ତତ୍ତ୍ୱ, ବିଶ୍ୱ ଅର୍ଥନୀତି ବିପର୍ଯ୍ୟୟର ଆଗୁଆ ଘଂଟି ବଜାଇବାର ପାଲା, ମୃତ୍ୟୁମୁଖୀ ଶଇତାନର ଥଇଥାନ ତତ୍ତ୍ୱ ଖୁବ୍ ଜୋରରେ ଶୁଣିବାକୁ ମିଳୁଛି । ଆଗରୁ ଲୋକେ ରାସ୍ତା ହଜେଇ ସାରିଛନ୍ତି । ଏବେ ଚାରିଆଡେ଼ ଅନ୍ଧକାର । ଏହି ଭୟାବହ ପରିସ୍ଥିତିରେ ବିଶ୍ୱ ଶ୍ରମିକଶ୍ରେଣୀ ପାଖରେ ମାର୍କ୍ସ, ଲେନିନ, ଷ୍ଟାଲିନ୍, ମାଓ-ସେ-ତୁଂଗ ନାହାନ୍ତି । ସମାଜବାଦୀ ରାଷ୍ଟ୍ର କ୍ଷତବିକ୍ଷତ ।
ପୁଣି ସେଇ କାର୍ଲ ମାର୍କସ ଭରସା । କିନ୍ତୁ ମାର୍କ୍ସବାଦୀ ତତ୍ତ୍ୱକୁ ଠିକ୍ଭାବେ ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ବିଶ୍ୱମାନବ ସମାଜକୁ ମୁକ୍ତି ଶାନ୍ତି ମୈତ୍ରୀ ପଥରେ ଆଗେଇ ନେବାପାଇଁ କେହି ନା କେହି ବାହାରନ୍ତୁ । ଆମ ଭାରତର ଶୋଷକ ପୁଂଜିପତି ଶ୍ରେଣୀ ଅତି ଚାଲାଖିଆ । ସବୁ ମାରିପିଟିନେଇ ରଖିଛନ୍ତି - ବିପଦ ପଡ଼ିଲାବେଳକୁ ମୁଣ୍ଡ ଗଡ଼ାଉଛନ୍ତି । କିହୋ ! ଶ୍ରମଜୀବୀଶ୍ରେଣୀକୁ ଖଟାଇ ଖଟାଇ ଦୀର୍ଘକାଳ ଧରି ଯେଉଁ ପୁଂଜିର ପାହାଡ଼ ସୃଷ୍ଟି କରିଛ - ସେଥିରୁ କିଛି ଖସାଅ । ଏ କଥା କହିଲାବେଳକୁସେମାନଙ୍କ ଛାତି ଫାଟି ଯାଉଛି । ‘ଭୋକ’ ଏଭଳି ଏକ ଶବ୍ଦ ଯେ, ସେ ଦୁନିଆରେ କାହାରି ଥଳକୂଳ ରଖିବନି । ଢୋକେ ପିଇ, ଦଣ୍ଡେ ଜିଇ ଅବସ୍ଥା ମଧ୍ୟ ଅସମ୍ଭାଳ ହୋଇଯିବ । ଶ୍ରମଜୀବୀ ଶ୍ରେଣୀ ଯେତେବେଳେ ଦିନେ, ଦି’ଦିନ ଓପାସ ରହିବେ - ସେ କାହାରିକୁ ମାନିବେ ନାହିଁ - ପ୍ରଳୟ ! ମହାପ୍ରଳୟ !
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩