ପୁଇଁତଳା ତହସିଲରେ କର୍ମଚାରୀଙ୍କୁ ଆକ୍ରମଣ ଘଟଣା; ରାଜସ୍ୱଅମଲା କର୍ମଚାରୀ ସଂଘର ପ୍ରତିବାଦ
ବଲାଙ୍ଗିର : ଭୁବନେଶ୍ୱର ମହାନଗର ନିଗମରେ ଜଣେ ଓଏଏସ ଅଫିସରଙ୍କୁ ମାଡ ଘଟଣାରେ ରାଜ୍ୟରେ ତୁମ୍ବିତୁଫାନ ଚାଲିଥିବା ବେଳେ, ଗତ ମଙ୍ଗଳବାର ଦିନ ବଲାଙ୍ଗୀର ଜିଲ୍ଲା ପୁଇଁତଳା ତହସିଲରେ ଦୁଇଜଣ ମଦ୍ୟପ ଆସି ଗାଳିଗୁଲଜ କରିବା ସହିତ ଜଣେ ମହିଳା କର୍ମଚାରୀଙ୍କ ସମେତ ଦୁଇଜଣ କର୍ମଚାରୀଙ୍କୁ ମାଡମାରିଥିବା ଅଭିଯୋଗ ହୋଇଛି । ଏନେଇ ପୁଇଁତଳା ତହସିଲରେ ଅଭିଯୋଗ ପରେ ଦୁଇଜଣ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ସରକାରୀ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଉଦ୍ବେଗ ପ୍ରକାଶ କରି ତଥା କର୍ମଚାରୀଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦରେ ବଲାଙ୍ଗୀର ଜିଲ୍ଲା ରାଜସ୍ୱ ଅମଲା ସଂଘ ପକ୍ଷରୁ କଳାବ୍ୟାଚ୍ ପରିଧାନ କରି ପ୍ରତିବାଦ କରାଯାଇଛି । ରାଜ୍ୟ ଅମଲାସଂଘର ସଭାପତି ପ୍ରଭାତ କୁମାର ମଲ୍ଲିକ ଓ ସମ୍ପାଦକ ରତିକାନ୍ତ ପୁରୋହିତଙ୍କ ନେତୃତ୍ୱରେ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଠିକ ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ଯାଇ ଏସ୍ପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହିତ କର୍ମଚାରୀଙ୍କ ସୁରକ୍ଷା ଦାବି କରିଛନ୍ତି । ଅମଲାସଂଘ ଦାବି କରିଛି ଯେ, ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କୁ ସୁରକ୍ଷା ପାଇଁ ସିସିଟିଭି ଲଗାଯାଉ ଓ ଏହାକୁ ୨୪ ଘଣ୍ଟିଆ ପୋଲିସ ନଜରରେ ରଖାଯାଉ । ଏହା ସହିତ ପୁଇଁତଳା ତହସିଲରେ ଦୁଇଜଣ କର୍ମଚାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରାଯାଇଛି ।