ରାସ୍ତା ଖୋଳି ଦେଇ ନିର୍ମାଣ କରୁନାହାଁନ୍ତି ଠିକାଦାର
ନରସିଂହପୁର : ନରସିଂହପୁର ବ୍ଲକ ଅନ୍ତର୍ଗତ ବାଘୁଆପାଳ ଠାରୁ ଜୟପୁର ଦେଇ ମର୍ଦ୍ଧମେଖ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ୨୩ କିମି ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ଏହି ରାସ୍ତା ମଧ୍ୟରୁ ୧୨ କିଲୋମିଟର ଜଙ୍ଗଲ ଏରିଆ ଜଙ୍ଗଲ ରାସ୍ତା ରହିଥିବା ବେଳେ, ଏପର୍ଯ୍ୟନ୍ତ ଏହାକୁ ଅନୁମତି ମିଳି ନାହିଁ । ଯାହା ଫଳରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆଦୌ ଆରମ୍ଭ ହୋଇ ନଥିବା ବେଳେ, ନିର୍ମାଣ ଚାଲିଥିବା ଅବଶିଷ୍ଟ ୧୧ କିମି ରାସ୍ତା ଅତି ନିମ୍ନମାନର ସହିତ ସମୃକ୍ତ ଠିକାଦାର ମନଇଚ୍ଛା ରାସ୍ତା ଖୋଳି ପକାଇ ଦେଇ ନିର୍ମାଣ କରୁ ନଥିବାରୁ ବଢୁଛି ଅସନ୍ତୋଷ । ରାସ୍ତାରୁ ମଧ୍ୟ ବିଦ୍ୟୁତ ଖୁଣ୍ଟ ନ ହଟାଇ ରାସ୍ତା ନିର୍ମାଣ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି ।
ବାଘୁଆପାଳ ଠାରୁ ଜୟପୁର ପ୍ରଗଳା ପୀଠ ଦେଇ ମର୍ଦ୍ଧମେଖ ପର୍ଯ୍ୟନ୍ତ ୨୩ କିମି ରାସ୍ତା ୩୮ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ୨୦୨୪ ମସିହା ଫେବୃଆରୀ ମାସ ୨୮ ତାରିଖରୁ କାମ ଆରମ୍ଭ ହୋଇ ୨୦୨୬ ମସିହା ଜାନୁଆରୀ ମାସ ୨୭ ତାରିଖରେ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଚୁକ୍ତି ରହିଛି । ବାଘୁଆପାଳ ଠାରୁ ଜୟପୁର ପର୍ଯ୍ୟନ୍ତ ୬ କିମି ଓ ମର୍ଦ୍ଧମେଖ ଠାରୁ ଶିଶୁ ପଥର ପର୍ଯ୍ୟନ୍ତ ୫ କିମି ରାସ୍ତା ରହିଥିବା ବେଳେ, ଜୟପୁର ଠାରୁ ଶିଶୁ ପଥର ପର୍ଯ୍ୟନ୍ତ ୧୨ କମି ରାସ୍ତା ସାତକୋଶିଆ ଅଭୟରଣ୍ୟର ସାଞ୍ଚୁରୀ ଜଙ୍ଗଲ ରାସ୍ତା ରହିଛି । ଯାହାକି ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ବନ ବିଭାଗ ପକ୍ଷରୁ ଅନୁମତି ମିଳିନାହିଁ । ଏହି ୧୨ କିମି ରାସ୍ତା ନିର୍ମାଣ ହେବା ନେଇ ଅନିଶ୍ଚିତତା ଲାଗି ରହିଛି । ଏହି ୧୨ କିମି ରାସ୍ତାକୁ ଛାଡ଼ି ନିର୍ମାଣ ହେଉଥିବା ଅବଶିଷ୍ଟ ୧୧ କିଲୋମିଟର ପୂର୍ତ୍ତ ବିଭାଗ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ସେହିପରି ମର୍ଦ୍ଧମେଖ ଠାରୁ ଶିଶୁ ପଥର ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ମଧ୍ୟରୁ ୪ କିଲୋମିଟର ରାସ୍ତା ପିଚୁ ହୋଇଥିବା ବେଳେ ୮୦୦ ମିଟର କଂକ୍ରିଟ୍ ହୋଇଛି । ସବୁଠାରୁ ବଡ କଥା ହେଉଛି । ଯେକୌଣସି କାର୍ଯ୍ୟ ହେଲେ ରାସ୍ତାର ନାମ ଫଳକ ସହିତ ସମ୍ପୂର୍ଣ୍ଣ ବିବରଣୀ ରହିଥାଏ ମାତ୍ର ନିୟମକୁ ଖୋଲା ଖୋଲି ଉଲଂଘନ କରି ବିନା ନାମ ଫଳକରେ ଲୋକଙ୍କୁ ଅନ୍ଧାରରେ ରଖି ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି । ସେହିପରି ନିର୍ମାଣ ସମୟରେ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ କିମ୍ବା ଏସଡିଓଙ୍କ ଉପସ୍ଥିତରେ କାର୍ଯ୍ୟ କରିବା ପାଇଁ ନିୟମ ରହିଥିଲେ ମଧ୍ୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଅନଭିଜ୍ଞ ଅସ୍ଥାୟୀ କର୍ମଚାରୀଙ୍କ ଭରଷାରେ ଚାଲିଛି କୋଟି କୋଟି ଟଙ୍କାର ରାସ୍ତା ନିର୍ମାଣ କାଯ୍ୟ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇବା ସହ ରାସ୍ତାର ସ୍ଥାୟୀତ୍ୱ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ପୂର୍ତ୍ତ ବିଭାଗ ଏସଡିଓ ସୁନୀଲ କୁମାର ସିଂଙ୍କୁ ପଚାରିବାରୁ ନିମ୍ମମାନର କାର୍ଯ୍ୟକୁ ଅସ୍ୱୀକାର କରିବା ସହ ନାମଫଳକ ଲଗାଇବା ବାଧ୍ୟକତାମୂଳକ ନୁହେଁ ବୋଲି କହିଛନ୍ତି । ଜୟପୁର ଠାରୁ ଶିଶୁ ପଥର ପଯ୍ୟନ୍ତ ୧୨ କିମି ଜଙ୍ଗଲ ରାସ୍ତା ରହିଛି । ଏ ପର୍ଯ୍ୟନ୍ତ ଏହି ରାସ୍ତା ନିର୍ମାଣ ପାଇଁ ଅନୁମତି ଆସିନାହିଁ । ଖୁବଶୀଘ୍ର ଅବଶିଷ୍ଟ ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।