ରାସ୍ତାରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ : ଚିକିତ୍ସା ନପାଇ ବାଟରେ ଗଲା ଜୀବନ

ଗଞ୍ଜାମ : ରାସ୍ତାରେ ଖରାପ ହେଲା ୧୦୮ ଆମ୍ବୁଲାନ୍ସ , ଚାଲି ଗଲା ଜଣଙ୍କର ଜୀବନ। ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଘଟିଛି ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳରେ । ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪ଟା ସମୟରେ ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳୁଥିଲେ । ଖେଳିବା ସମୟରେ ତାଙ୍କ ପେଟରେ ବଲ୍ ବାଜିଥିଲା । ଗୁରୁତର ଅବସ୍ଥାରେ ଶଙ୍କରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖଲ୍ଲିକୋଟ ମେଡିକାଲରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରିବା ପାଇଁ ଡାକ୍ତର କହିଥିଲେ । ୧୦୮ ଆମ୍ବୁଲାନ୍ସ ଯୋଗେ ରାତି ପ୍ରାୟ ୧୧ ସମୟରେ ଶଙ୍କରକୁ ଖଲ୍ଲିକୋଟରୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲ ଅଭିମୁଖେ ବାହାରିଥିଲେ ପରିବାର ସଦସ୍ୟ। ଖଲ୍ଲିକୋଟ ମେଡିକାଲରୁ ବାହାରି ଖଲ୍ଲିକୋଟ ଘାଟି ମଝିରେ ୧୦୮ ଆମ୍ବୁଲାନ୍ସ ଖରାପ ହୋଇଯାଇଥିଲା । ଦୀର୍ଘ ତିନି ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ଭୋର୍ ୪ଟାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶଙ୍କରଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆମ୍ବୁଲାନ୍ସ ଖରାପ ଯୋଗୁ ଶଙ୍କରଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।