ପୁଟିନ୍‌ଙ୍କୁ ଭେଟିଲେ ମୋଦି ୟୁକ୍ରେନରେ ଶାନ୍ତି ପ୍ରତିଷ୍ଠା ଜରୁରୀ

ବେଜିଂ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚୀନର ତିଆନଜିନ୍‌ ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ରୁଷ ରାଷ୍ଟ୍ରପତି  ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିଛନ୍ତି । ମୋଦି ୟୁକ୍ରେନରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ହେବା ଜରୁରୀ ବୋଲି କହିଥିଲେ । କାରଣ ଏହା ସମଗ୍ର ମାନବଜାତି ପ୍ରତି ଆହ୍ୱାନ । ଆମେ ୟୁକ୍ରେନରେ ଚାଲିଥିବା ସଂଘର୍ଷ ବିଷୟରେ ନିରନ୍ତର ଆଲୋଚନା କରିଆସୁଛି । ଆମେ ଶାନ୍ତି ପାଇଁ ସାମ୍ପ୍ରତିକ ସମସ୍ତ ପ୍ରୟାସକୁ ସ୍ୱାଗତ କରୁଛୁ । ଆମେ ଆଶା କରୁଛୁ ଯେ ସମସ୍ତ ପକ୍ଷ ଗଠନମୂଳକ ଭାବରେ ଆଗକୁ ବଢ଼ିବେ । ଯଥାଶୀଘ୍ର ସମ୍ଭବ ସଂଘର୍ଷର ଅନ୍ତ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଉପାୟ ଖୋଜିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । 
ଏହା ବ୍ୟତୀତ  ମୋଦି ଚ୍ୟାଲେଞ୍ଜିଂ ସମୟରେ ଭାରତ-ରୁଷ ସମ୍ପର୍କର ସ୍ଥିରତାକୁ ପୁନଃସ୍ଥାପନ କରିଛନ୍ତି । ଭାରତ ଓ ରୁଷ ସବୁବେଳେ ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ କାନ୍ଧକୁ କାନ୍ଧ ଦ୍ଭ ଳାଇ ଠିଆ ହୋଇଛନ୍ତି । ଆମର ଘନିଷ୍ଠ ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଓ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ଦୁଇ ନେତା ଆର୍ଥିକ, ବିତ୍ତୀୟ ଓ ଶକ୍ତି କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ସମ୍ପର୍କରେ ନିରନ୍ତର ଅଭିବୃଦ୍ଧି ଉପରେ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଦୁଇ ନେତା ୟକ୍ରେନ ସହ ଜଡିତ ସାମ୍ପ୍ରତିକ ଘଟଣାକ୍ରମ ସମେତ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ । ଉଭୟ ନେତା ଦୁଇ ଦେଶ ମଧ୍ୟରେ ସ୍ୱତନ୍ତ୍ର ଏବଂ ସୁବିଧାଜନକ ରଣନୀତିକ ସହଭାଗୀତାକୁ ଆହୁରି ସୁଦୃଢ଼ କରିବା ପାଇଁ ସେମାନଙ୍କର ସମର୍ଥନକୁ ପୁନର୍ବାର ଦୋହରାଇଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ୨୩ତମ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଭାରତରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କୁ ଜଣାଇଥିଲେ ।  ଭାରତ ରୁଷରୁ ତେଲ କିଣିବା ନେଇ କ୍ରୋଧିତ  ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଦଣ୍ଡାତ୍ମକ ଶୁଳ୍କ ଲାଗୁ ହେବାର କିଛି ଦିନ ପରେ ଏହି ଦୁଇ ଶକ୍ତିଙ୍କ ବୈଠକ ଅନୁଷ୍ଠିତ ହୋଇଛି । ଯାହା ଉଭୟ ଦେଶ ପାଇଁ ବେଶ ଗୁରୁତ୍ୱ ରଖୁଛି । ଭାରତ ରୁଷରୁ ତେଲ କିଣିବା ଦ୍ୱାରା ୟୁକ୍ରେନ ବିରୁଦ୍ଧରେ ରୁଷକୁ ଯୁଦ୍ଧ ପାଣ୍ଠି ଯୋଗାଇବାର ଅଭିଯୋଗ କରିଛି ଆମେରିକା ।