ପୁରଣା ଭୁବନେଶ୍ୱର ହାଟସାହି ଦୁର୍ଗାପୂଜା : ମହାଷ୍ଟମୀରେ ଆମିଷ ଭୋଗ ଲାଗି ହୁଏ
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ପାର୍ବଣ ପାଇଁ ଚଳଚଞ୍ଚଳ ହୋଇ ଉଠିଛି । ଦଶହରା ପର୍ବ ପୁରୁଣା ଭୁବନେଶ୍ୱରର ସର୍ବପୁରାତନ ଗଣପର୍ବଭାବେ ପାଳିତ ହୋଇଆସୁଛି । ପୁରୁଣା ଭୁବନେଶ୍ୱର ୨୮ ଗୋଟି ମେଢ ନିର୍ମାଣ କରାଯାଇଅଛି । ପୁରୁଣା ଭୁବନେଶ୍ୱରବାସୀ ଏହାକୁ ଯାକଜମକରେ ପାଳନ କରିଥାନ୍ତି । ଏହି ପରମ୍ପରାକୁ ବଜାଇ ରଖିବା, ଭାଇଚାରାକୁ ସୁଦୃଢ କରିବା, ସ୍ନେହମମତା ଓ ପ୍ରେମରେ ପରସ୍ପରକୁ ବାନ୍ଧି ରଖିବା ପାଇଁ ଏହି ନିଆରା ଅନୁଭବ ସୃଷ୍ଟି କରେ ବୋଲି ବିଶ୍ୱାସ ରହିଛି । ଭୁବନେଶ୍ୱର ହାଟସାହି ଦୁର୍ଗାପୂଜା ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା । କଟକର ବିଶିଷ୍ଟ କାରିଗରିଙ୍କ ଦ୍ୱାରା ଏହି ମୂର୍ତ୍ତି ଅତ୍ୟନ୍ତ ଆକର୍ଷଣୀୟ ସହିତ ବ୍ରହ୍ମଗିରିର ମେଢ କାରିଗର ନିଖୁଣ କାର୍ଯ୍ୟ, ଷଷ୍ଠୀପୂଜା ଠାରୁ ଆରମ୍ବ କରି ଦଶହରା ପର୍ଯ୍ୟନ୍ତ ଏହାର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଅତ୍ୟନ୍ତ ନିଷ୍ଠା ଏବଂ ଶୃଙ୍ଖଳିତ ଭାବରେ ପାଳନ କରାଯାଇଥାଏ । ହାଟସାହି ଦେବୀ ଦୁର୍ଗାଙ୍କର ମୂର୍ତ୍ତି ମା’ଙ୍କର ଚାନ୍ଦି ମୁକୁଟ ଏହାର ପଛପାଖରେ ଶୋଭା ପାଉଥିବା ମେଢ ସୁନ୍ଦର ସାଜସଜ୍ଜା, ରଙ୍ଗବେରଙ୍ଗ ତୋରଣ, ସୁନ୍ଦର ଆଲୋକ ସଜ୍ଜା ଆଖି ଝଲସି ଯାଏ । ହାଟସାହି ମା’ ଦୁର୍ଗାଙ୍କର ମହାଷ୍ଟମୀର ସନ୍ଧିପୂଜା ବାସ୍ତବିକ ଦେଖିଲାଭଳି ଏବଂ ମହାଷ୍ଟମୀ ଉପଲକ୍ଷେ ମା’ଙ୍କ ପାଖରେ ଲାଗି ହୋଇଥିବା ଆମିଷ ଭୋଗ ପାଇବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ବିଶେଷ ଉକ୍ରଣ୍ଠା ଦେଖାଯାଇଥାଏ । ଏହି ପୂଜା ଅବସରରେ ଶହ ଶହ ଭକ୍ତଙ୍କର ଦୀପଦାନ ଘଟଣା କ୍ରମକୁ ଜୀବନ୍ତ କରିଥାଏ । ମହାନବମୀରେ କୁମାରୀ କନ୍ୟା ପୂଜା ଏବଂ ସପ୍ତମୀ ଦିନରେ ସାହିର ବରିଷ୍ଠ ଓ କନିଷ୍ଠ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିବା ପରମ୍ପରା ରହିଆସିଛି । ଭସାଣି ଉତ୍ସବକୁ ଆକର୍ଷଣୀୟ କରିବା ପାଇଁ ପାରମ୍ପରିକ ଭାବରେ ବ୍ରହ୍ମପୁରରୁ ପତକା, ବାଘ, ଘୋଡା, ବଗବଗୁଲି, ସୋନପୁରରୁ ଘଣ୍ଟ, ଜଟଣୀରୁ ମାଦଳ ବାଜା, ଜୁନାଗଡର ସିଂହ ବାଜା, ବ୍ୟାଣ୍ଡପାର୍ଟି ସହିତ ଏବର୍ଷର ମୁଖ୍ୟ ଆକର୍ଷଣ ମଧ୍ୟପ୍ରଦେଶର ଉଜ୍ଜୟନୀ ମହାକାଳେଶ୍ୱର ଡମ୍ବୁରୁ ଢୋଲ ଉତ୍ସବକୁ ଚିତ୍ତାକର୍ଷକ କରିବା ସହିତ ତୋରଣ ଓ ସାଜସଜ୍ଜା ଅପେକ୍ଷା ମା’ଙ୍କର ପୂଜାକୁ ଅଧିକ ଗୁରୁତ୍ୱ ଦିଆଯିବ । ଏହି ପୂଜାରେ ବିଶେଷ ସ୍ୱତନ୍ତ୍ରତା ହେଉଛି ସମସ୍ତ ରୀତିନୀତି ଅନୁସାରେ ମା’ଭ୍କର ପୂଜାଅର୍ଚ୍ଚନା କରାଯାଇଥାଏ ଏବଂ ମହାଷ୍ଟମୀରେ ଆମିଷ ଭୋଗ ଅନୁଷ୍ଠାନର ସଦସ୍ୟ ଓ ସମସ୍ତ ଭକ୍ତଙ୍କ ମଧ୍ୟରେ ବଣ୍ଟନ କରାଯାଇଥାଏ ।