ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକାରୀ ହେଲା ୩୩ କେଭି ଲାଇନ
ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ପ୍ରାଇମେରୀ ସବଷ୍ଟେସନ ଓ ବେଲଗାଁ ପ୍ରାଇମେରୀ ସବଷ୍ଟେସନ ମଧ୍ୟରେ ଏକ ନୂତନ ୩୩ କେଭି ଲାଇନ ପ୍ରତିଷ୍ଠା ହୋଇଛି । ୭.୫୬୫ କିଲୋମିଟର ପରିବ୍ୟାପ୍ତ ଏହି ନୂତନ ଲାଇନ ୩୪ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇ ଦେବ । ଏହି ନୂତନ ଲାଇନ ପ୍ରତିଷ୍ଠା ହେବା ଦ୍ୱାରା ସଂପୃକ୍ତ ଅଞ୍ଚଳରେ ବିଜୁଳିଜନିତ ସମସ୍ୟା ଦୂର ହେବ । ହାତୀଓଟ ଓ ବେଲଗାଁର ୩୩ କେଭି ଲାଇନକୁ ଅନେକ କୃଷି କ୍ଷେତ୍ର ଓ ଜଙ୍ଗଲ ଦେଇ ନେବାକୁ ପଡ଼ିଥିଲା, ଯାହା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା । ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ, ଗୁଣାତ୍ମକ ବିଜୁଳି ସୁନିଶ୍ଚିତ କରିବା ନିମନ୍ତେ କମ୍ପାନୀ ଏହାକୁ ସଫଳତା ପୂର୍ବକ କାର୍ଯ୍ୟକ୍ଷମ କରାଇଛି । ଆଖପାଖ ଅଞ୍ଚଳର କୌଣସି ପ୍ରାଇମେରୀ ସବଷ୍ଟେସନରେ ବିଜୁଳି ସେବା ପ୍ରଭାବିତ ହେଲେ, ଏହି ଲିଙ୍କ୍ ଲାଇନ ଯୋଗେ ବିଜୁଳି ସେବା ସୁନିଶ୍ଚିତ କରାଯାଇପାରିବ । ଡାଉନଟାଇମ୍ ହ୍ରାସ ଦିଗରେ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ବିଶେଷ କରି ଗ୍ରୀଷ୍ମ ଋତୁରେ ବଢ଼ୁଥିବା ଚାହିଦାକୁ ଦୃଷ୍ଟି ରଖି ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା ରହିବ । ଏହି ନୂତନ ଲାଇନ୍ କାର୍ଯ୍ୟକ୍ଷମ ହେବା ଦ୍ୱାରା ଗଞ୍ଜାମ ଜିଲ୍ଲାରେ ବିଦୁ୍ୟତ ସ୍ଥିରତା ବୃଦ୍ଧି ପାଇଛି । ବୋଲି କହିଥିଲେ ।