ପୁଲିସ୍‌ ବଳୟରେ କଟକ ସହର : ଜନଜୀବନ ହନ୍ତସନ୍ତ, ଆଜି ବି ଇଣ୍ଟରନେଟ୍‌ ବନ୍ଦ

ପୁଲିସ୍‌ ବଳୟରେ କଟକ ସହର : ଜନଜୀବନ ହନ୍ତସନ୍ତ, ଆଜି ବି ଇଣ୍ଟରନେଟ୍‌ ବନ୍ଦ

କଟକ,୬ା୧୦ : ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବିଶ୍ୱ ହିନ୍ଦୁ ପରିଷଦ  । ସେପଟେ ପୁଲିସ୍‌ ମଧ୍ୟ କଟକର ୧୩ ଥାନା ଅଞ୍ଚଳରେ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଥିଲା । ଯେଉଁଥିପାଇଁ ଆଜି କଟକ ସହର ପୂରା ଠପ୍‌ ହୋଇଯାଇଥିଲା  । ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ଥିଲା । ସେପଟେ ସରକାରୀ ଅଫିସ୍‌ ଖୋଲିଥିଲେବି ସବୁ କିଛି ଖାଁ ଖାଁ ଲାଗୁଥିଲା । ଗହଳିଚହଳିରେ ଫାଟି ପଡୁଥିବା ବାଦାମବାଡ଼ିରେ କାଁ ଭାଁ ବସ୍‌ ଗଡୁଥିବା ଦେଖିବାକୁ ମିଳିଥିଲା । ୬୦ ପ୍ଳାଟୁନ୍‌ ପୁଲିସ୍‌ ଓ ୮ ପ୍ଳାଟୁନ୍‌ କେନ୍ଦ୍ରୀୟ ଫୋର୍ସରେ ଛାଇ ଯାଇଥିଲା ପୂରା ସହର । ସେପଟେ ଇଣ୍ଟରନେଟ୍‌ ଓ ସୋସିଆଲ ମିଡ଼ିଆ ବି ବନ୍ଦ ରହିଥିଲା । ଅନେକ ବର୍ଷ ପରେ କଟକରେ ଏଭଳି ଦୃଶ୍ୟ କଟିକିଆଙ୍କୁ ବିଚଳିତ କରିଦେଇଛି କହିଲେ ଭୁଲ୍‌ ହେବନାହିଁ  । 
ସ୍ଥାନୀୟ ଦରଘା ବଜାର ଥାନା ଅଞ୍ଚଳରେ ମା’ ଦୁର୍ଗାଙ୍କ ଭସାଣୀ ଉତ୍ସବ ବେଳେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ସୋମବାର ଦିଆଯାଇଥିବା ୧୨ ଘଣ୍ଟିଆ ବନ୍ଦ ଡାକରା ପ୍ରଭାବରେ କଟକ ସହରରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଏହାଛଡା ସହରରେ କର୍ଫ୍ୟୁ ଜାରିହେବା ସହ ଇଣ୍ଟରନେଟ ବନ୍ଦ ଯୋଗୁଁ ସୋମବାର ଦିନ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସହରର ମାଲଗୋଦାମ, ଛତ୍ରବଜାର, ମଙ୍ଗଳାବାଗ, ବକ୍ସିବଜାର ଓ ଚୌଧୁରୀ ବଜାର ଆଦି ପ୍ରମୁଖ ବ୍ୟବସାୟିକ କେନ୍ଦ୍ରର ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଏହାଛଡା ସହରର ସବୁ ସ୍କୁଲ କଲେଜଦ୍ଭ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଅପରପକ୍ଷରେ ସରକାରୀ ଅଫିସ ଖୋଲା ରହିଥିଲେ ମଧ୍ୟ ଅଧିକାରୀ ନଥିବା ଦେଖିବାକୁ ମିଳିଥିଲା  । ଆମ ବସ ଅଟୋ ଚଳାଚଳ ବନ୍ଦ ରହିଥିବାରୁ ସହରରେ ଯାତ୍ରୀ ସେବାବାଧା ପ୍ରାପ୍ତ ହୋଇଥିଲା। ବସଷ୍ଟାଣ୍ଡରୁ ଜିଲ୍ଲା ବାହାରକୁ କମ ସଂଖ୍ୟାରେ ଘରୋଇ ବସ ଚଳାଚଳ କରିଥିଲା । ଫଳରେ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ନାହିଁ ନଥିବା ଅସୁôବିଧାର ସମ୍ମୁଖୀନ ହୋଇଥିଲେ । ଏହାଛଡା ସହରର ଅଧିକାଂଶ ପେଟ୍ରୋଲ ପମ୍ପ ବନ୍ଦ ରହିଥିଲା । ଫଳରେ ସହରର ରାସ୍ତାଗୁଡିକ ଖାଁ ଖାଁ ହୋଇପଡିଥିଲା। ଅପରପକ୍ଷରେ କଟକ ବଡ ମେଡିକାଲ ଓ ବିଭିନ୍ନ ଡାକ୍ତରଖାନା ସହ ଆମ୍ବୁଲାନ୍ସ ସେବା ଜାରି ରହିଥିଲ। । ଜାତୀୟ ରାଜପଥରେ ଗାଡି ଚଳାଚଳ ସ୍ୱାଭାବିକ ରହିଥିଲେବି ରାସ୍ତାରେ କମ ସଂଖ୍ୟାର ବସ ଓ ଟ୍ରକ ଚଳାଚଳ କରିଥିଲା । କଟକ ସହରର ଦରଘାବଜାର ସହ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି ରହିଥିଲା । ମଙ୍ଗଳାବାଗ, କ୍ୟାଣ୍ଟେନମେଣ୍ଟ, ପୁରୀଘାଟ,ବାଦାମବାଡି, ଲାଲବାଗ, ବିଡାନାସୀ, ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ଜଗତପୁର, ବୟାଳିଶ ମୌଜା ଓ ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଆସନ୍ତା କାଲି ସକାଳ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏବେବି ସ୍ଥିତି ସୁଧୁରିନଥିବାରୁ କଟକ ସହରରେ ଅକ୍ଟୋବର ୭ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଛି । ସ୍ୱରାଷ୍ଟ୍ର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ନିକଟରେ କଟକ ସହରରେ ଦେଖାଯାଇଥିବା ଗଣ୍ଡଗୋଳ ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳଙ୍କ ସୁପାରିଶ କ୍ରମେ ଅସାମାଜିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା ନିମନ୍ତେ ଇଣ୍ଟରନେଟ୍‌ ସେବା ବନ୍ଦର ପଦକ୍ଷେପ ନିଆଯାଇଛି । କଟକ ମହାନଗର ନିଗମ ଅଞ୍ଚଳ, ସିଡିଏ ଅଞ୍ଚଳ ଓ ୪୨ ମଉଜା ଅଞ୍ଚଳରେ ଏହି ପ୍ରତିବନ୍ଧ ଲାଗୁ କରାଯାଇଛି  ।