ମଧୁବନ ମିନି ଷ୍ଟାଡିୟମର ଭିତ୍ତିଭୂମି ବିକାଶ ଦାବି


 ଖଣ୍ଡପଡ଼ାରୁ ପୂର୍ଣ୍ଣ ମହାପାତ୍ର   : ଖଣ୍ଡପଡ଼ା ସହରର  ୧୨ ନଂ ୱାର୍ଡ ମଧ୍ୟଭାଗରେ ରାଜାରାଜୁଡା ଅମଳରୁ ଅବସ୍ଥିତ ମଧୁବନ ମିନି ଷ୍ଟାଡିୟମଟି ଅବହେଳିତ ଅବସ୍ଥାରେ ପଡି ରହିଛି ।ଏହାର ଉନ୍ନତିକରଣ ଦିଗରେ ପ୍ରଶାସନ ନତୁବା ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେଉନଥିବାରୁ ଖଣ୍ଡପଡ଼ା ଅଞ୍ଚଳର କ୍ରୀଡାପ୍ରେମୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରକ୍ଷଣାବେକ୍ଷଣ ଅଭାବରୁ ମିନି ଷ୍ଟାଡିୟମର ଚାରିପାଖେ ଅବସ୍ଥିତ ଗ୍ୟାଲେରୀ ଓ ସିମେଣ୍ଟ ଚୌକି ଗୁଡିକ ଭାଙ୍ଗି ରୁଜି ଗଲାଣି । ସଞ୍ଜ ନଇଁଲେ ମିନି ଷ୍ଟାଡିୟମ ପରିସରରେ ମଦ୍ୟପ ଓ ଅସାମାଜିକ ଯୁବକଙ୍କ ଭିଡ ଜମୁଛି ।ଏକଦା ମଧୁବନ ମିନି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନାରେ ଅନେକ କିଛି ଉନ୍ନୟନମୂଳକ କାର୍ଯ୍ୟ କରାଯାଇଥିଲେ ହେଁ ଆବଶ୍ୟକୀୟ ରକ୍ଷଣାବେକ୍ଷଣ ଅଭାବରୁ ସବୁ କିଛି ଏବେ ନଷ୍ଟ ହେବାକୁ ବସିଲାଣି ।ମିନି ଷ୍ଟାଡିୟମର ଭିତର ପାର୍ଶ୍ୱର ଚାରିପାଖେ ଫେବର ବ୍ଲକ ପକାଯାଇ ପାଦଚଲା ରାସ୍ତା ନିର୍ମାଣ କରାଯାଇଥିଲା । ମାତ୍ର ଏବେ ପାଦଚଲା ରାସ୍ତା କେଉଁଠି ଦବିଗଲାଣି ତ ପୁଣି କେଉଁଠି ରାସ୍ତା ସାରା ଅନାବନା ଘାସ ଲତା ମାଡି ରାସ୍ତା ମାଟିରେ ମିଶିବାକୁ ଲାଗିଲାଣି । ବ୍ୟାୟମ ଉପକରଣ ଗୁଡିକ ଭାଙ୍ଗିରୁଜି ନଷ୍ଟ ହେବାକୁ ବସିଲାଣି । ସେହିପରି ମିନି ଷ୍ଟାଡିୟମ ପରିସର ଖାଲଖମାରେ ଭର୍ତ୍ତି ହୋଇ ରହିଥିବାରୁ ସାମାନ୍ୟ ବର୍ଷା ହେଲେ, ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବା ନଜରକୁ ଆସୁଛି । ମିନି ଷ୍ଟାଡିୟମ ପରିସରର ଏପରି ଶୋଚନୀୟ ଅବସ୍ଥାକୁ ଦେଖି କ୍ରୀଡାବିତ ଷ୍ଟାଡିୟମରୁ ମୁହଁ ଫେରାଉଥିବା ବେଳେ, ଗତ କିଛି ବର୍ଷ ହେଲା ମିନି ଷ୍ଟାଡିୟମ ମେଳା, ମହୋତ୍ସବ ପଡିଆ ପାଲଟିଛି ।
ମିନି ଷ୍ଟାଡିୟମରେ ସ୍ଥାପିତ ପେଣ୍ଡାଲର ଚାରିପାଖେ ସୌନ୍ଦର୍ଯ୍ୟକରଣ ନିମନ୍ତେ ଲଗା ଯାଇଥିବା ଷ୍ଟିଲ ଗ୍ରୀଲ ଗୁଡିକର କିଛି ଅଂଶ ଅସାମାଜିକ ବ୍ୟକ୍ତିମାନେ ଚୋରି କରି ନେଇଥିବାରୁ ପେଣ୍ଡାଲର ସୌନ୍ଦର୍ଯ୍ୟକରଣ ନଷ୍ଟ ହୋଇଛି । ଏ ସମ୍ପର୍କରେ ପ୍ରଶାସନିକ ଅଧିକାରୀମାନେ ଅବଗତ ଥିଲେ ହେଁ  ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ପରୋକ୍ଷରେ ଅସାମାଜିକ କାର୍ଯ୍ୟକଳାପକୁ ପ୍ରୋସôାହନ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଦିର୍ଘ ବର୍ଷ ତଳେ ମଧୁବନ ମିନି ଷ୍ଟାଡିୟମ ପରିସରରେ କେତେକ ମହାପୁରୁଷଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା ।ମାତ୍ର ପ୍ରତିମୂର୍ତ୍ତି ଗୁଡିକ ଅବହେଳିତ ଅବସ୍ଥାରେ ପଡି ରହିଥିବାରୁ ଏହା ପୂଜ୍ୟପୂଜା ପ୍ରତି ଅସମ୍ମାନ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଥିପ୍ରତି ପ୍ରଶାସନ  ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି ।ମିନି ଷ୍ଟାଡିୟମର ମୁଖ୍ୟ ଫାଟକ ସଦାସର୍ବଦା ଖୋଲା ରହୁଥିବାରୁ ଯିଏ ପାରିଲା ଯେତେବେଳେ ଷ୍ଟାଡିୟମ ପରିସରରେ ଅବାଧରେ ପ୍ରବେଶ କଲା ସେଥିରେ କିଛି ଯା ଆସ ନାହିଁ ।  ମୋଟାମୋଟି ଭାବେ ସ୍ଥାନୀୟ ପ୍ରଶାସନର ନିୟନ୍ତ୍ରଣରେ ମଧୁବନ ମିନି ଷ୍ଟାଡିୟମଟି ରହୁ ନଥିବାରୁ ଏହାର  ସୁଯୋଗ ନେଇ ଅସାମାଜିକ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ମଦ୍ୟପ ଯୁବକମାନେ ଦୈନିକ ଏଠାରେ ଭିଡ ଜମାଉଥିବା ଜଣାପଡିଛି । ମଧୁବନ ମିନି ଷ୍ଟାଡିୟମର ବିକାଶ ଦିଗରେ ଜିଲ୍ଲା ପ୍ରଶାସନ ଓ  ବିଧାୟକ ଦୃଷ୍ଟି ଦେବାକୁ ଖଣ୍ଡପଡା ଅଞ୍ଚଳବାସୀ ଦାବି କରିଛନ୍ତି ।