ପ୍ରତ୍ୟାହାର ହେଲା ଡ୍ରାଇଭର ଆନ୍ଦୋଳନ

 ୫ଦିନ ପରେ ପ୍ରତ୍ୟାହାର ହେଲା ଡ୍ରାଇଭର ଆନ୍ଦୋଳନ । ଆଜିଠୁ ପୁଣିଥରେ ଷ୍ଟିୟରିଂ ଧରିବେ ରାଜ୍ୟର ହଜାର ହଜାର ଡ୍ରାଇଭର । ୭ଦଫା ଦାବି ନେଇ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଘୋଷଣା କରାଯାଇଛି । ଶନିବାର ରେଢାଖୋଲ ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି । ଜୁଲାଇ ୮ତାରିଖରୁ ବିଭିନ୍ନ ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ଡାକରା ଦେଇଥିଲା ଓଡ଼ିଶା ଡ୍ରାଇଭର ମହାସଂଘ । ରାଜ୍ୟର ହଜାର ହଜାର ଡ୍ରାଇଭର ଆନ୍ଦୋଳନରେ ବସିବା ସହିତ ପ୍ରଭାବିତ ହୋଇଥିଲା ରାଜ୍ୟର ପରିବହନ ବ୍ୟବସ୍ଥା । ରାଜ୍ୟ ସରକାର ବାରମ୍ବାର ଆଲୋଚନା ଅନୁରୋଧ କରୁଥିଲେ ମଧ୍ୟ ଡ୍ରାଇଭର ସଂଘ ନିଜ ଜିଦରେ ଅଟଳ ରହିଥିଲା । ତେବେ ୧୧ ତାରିଖ କଂଗ୍ରେସର ସମ୍ବିଧାନ ବଞ୍ଚାଅ ରାଲିରେ କଂଗ୍ରେସ ଗାଡ଼ିକୁ ଛାଡ଼ିବାକୁ ନେଇ ଡ୍ରାଇଭର ସଂଘ ମଧ୍ୟରେ ଆରମ୍ଭ ହୋଇଥିଲା ବିବାଦ । ପରେ ଘରୋଇ ବସ୍ ମାଲିକ ସଂଘ ମଧ୍ୟ ଡ୍ରାଇଭର ସଂଘର ହାତ ଛାଡ଼ିବା ସହ ଶନିବାରରୁ ରାସ୍ତାରେ ବସ୍ ଗଡ଼ାଇଥିଲେ । ଏସବୁ ଭିତରେ ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଥିବାରୁ ଯେମିତି କୌଣସି ଅସୁବିଧା ନହୁଏ । ଏଥିସହିତ ଦାବି ନେଇ ସକରାତ୍ମକ ଆଲୋଚନା ହୋଇଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଡ୍ରାଇଭର ମହାସଂଘ ପକ୍ଷରୁ  କୁହାଯାଇଛି ।