ପ୍ରବାସୀ ଭାରତୀୟ ଦିବସ : ମହିଳା ସଶକ୍ତିକରଣର ଅଗ୍ରଗତିକୁ ଦେଖିଲେ ଅତିଥି

 ଭୁବନେଶ୍ୱର : ଭୁବନେଶ୍ୱର ଠାରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ୨୦୨୫ରେ ମୁଖ୍ୟ ଆକର୍ଷଣ ଥିଲେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ସେମାନେ ଥିଲେ ସଶକ୍ତୀକରଣ, ସୃଜନଶୀଳତା ଏବଂ ନୂତନତାର ଉଦାହରଣ । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ୧୬ଟି ଜିଲ୍ଲାରୁ ୩୦ରୁ ଅଧିକ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିନିଧିତ୍ୱ କରିଥିଲେ । ୪୧ଟି ବଛା ବଛା ଷ୍ଟଲ୍ରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦଗୁଡ଼ିକର ଆକର୍ଷଣୀୟ ସମାହାର ପ୍ରଦର୍ଶିତ ହୋଇଥିଲା । ଏଠାରେ ଅତିଥିମାନେ କୋରାପୁଟର କୋଟପାଡ଼ ଶାଢ଼ୀ, ନୟାଗଡ଼ର ଟେରାକୋଟା ଏବଂ କଟକର ପ୍ରସିଦ୍ଧ ତାରକସି କାର୍ଯ୍ୟର ସୂକ୍ଷ୍ମ କାରିଗରୀ ଦେଖିବାକୁ ପାଇଥିଲେ । ଏଥି ସହିତ ମୟୂରଭଞ୍ଜର ସବାଇ ଘାସ କଳାକୃତି ଏବଂ ନବରଙ୍ଗପୁରର ଆଦିବାସୀ ଅଳଙ୍କାର ମଧ୍ୟ ମୁଖ୍ୟ ଆକର୍ଷଣ ପାଲଟିଥିଲା । ବାଲେଶ୍ୱରର ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସେମାନଙ୍କର ପାରମ୍ପରିକ ଜଉ କଣ୍ଡେଇ ଏବଂ ଚୁଡ଼ିର ପ୍ରଦର୍ଶନ କରିଥିବାବେଳେ ବୌଦ୍ଧ ଏବଂ ସୁବର୍ଣ୍ଣପୁରରୁ ସଦସ୍ୟାମାନେ ପାରମ୍ପରିକ ସମ୍ବଲପୁରୀ ଶାଢ଼ୀ, ଢେଙ୍କାନାଳ ସ୍ୱୟଂ ସହାୟକ ଗୋଷ୍ଠୀମାନେ ବାଉଁଶ କଳାକୃତି, ଗଞ୍ଜାମର ସଦସ୍ୟାମାନେ ପିତ୍ତଳ ଧାତୁ ଏବଂ ଖୋର୍ଦ୍ଧାର ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିବିଧ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ କରିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ମାଣ୍ଡିଆ-ଭିତ୍ତିକ ବ୍ୟଞ୍ଜନ ଏବଂ ଜୈବିକ  ଖାଦ୍ୟ ଓଡ଼ିଶାରେ ମିଶନ ଶକ୍ତି ସଦସ୍ୟାଙ୍କ ସ୍ଥାୟୀ ଜୀବନ ଜୀବିକା ଅଗ୍ରଗତିକୁ ପରିପ୍ରକାଶ କରିଥିଲା । ମାଲକାନଗିରି, ନବରଙ୍ଗପୁର ଏବଂ ରାୟଗଡ଼ା ଭଳି ଆକାଂକ୍ଷୀ ଜିଲ୍ଲାର ଷ୍ଟଲଗୁଡ଼ିକରେ ପାରମ୍ପରିକ ହସ୍ତତନ୍ତ, ସୂକ୍ଷ୍ମ ହସ୍ତଶିଳ୍ପ ଏବଂ ଜୈବିକ ଉତ୍ପାଦ, ଅନେକ ବିଦେଶୀ ଅତିଥିମାନଙ୍କୁ ଆକର୍ଷିତ କରିଥିଲା । ମିଶନ ଶକ୍ତି ସଦସ୍ୟାଙ୍କ ଦ୍ୱାରା ପରିଚାଳିତ ଏହି ପ୍ରଦର୍ଶନ, ଭାରତୀୟ/ ଭାରତୀୟ ବଂଶୋଦ୍ଭବ ବିଦେଶୀ ପ୍ରତିନିଧିମାନଙ୍କଠାରୁ ବ୍ୟାପକ ପ୍ରଶଂସା ପାଇଥିଲା । 
କାର୍ଯ୍ୟକ୍ରମର ଦୁଇ ଦିନିଆ ଅତିରିକ୍ତ ଅବଧିରେ ୨୨,୦୦୦ରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରି ମିଶନ ଶକ୍ତି ଷ୍ଟଲ୍ ଗୁଡ଼ିକ ପ୍ରବାସୀ ଭାରତୀୟ ଦିବସ ୨୦୨୫ର ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର ଭାବରେ ଉଭା ହୋଇଥିଲା ।  କେବଳ ସେତିକି ନୁହେଁ ସାଂସ୍କୃତିକ ବିନିମୟର କେନ୍ଦ୍ର ହେବା ବ୍ୟତୀତ ଏହି ଷ୍ଟଲ୍ଗୁଡ଼ିକ ୩୧ ଲକ୍ଷରୁ ଅଧିକ ଟଙ୍କାର ଉତ୍ପାଦ ବିକ୍ରୟ କରି ଆର୍ଥିକ ସଶକ୍ତିକରଣ ଏବଂ ସାଂସ୍କୃତିକ ସଂରକ୍ଷଣ ଦିଗରେ ମିଶନ ଶକ୍ତିର ଭୂମିକାକୁ ସୁଦୃଢ଼ କରିଥିଲେ ।