ଅତିବଡ଼ୀ ପୀଠର ବିକାଶରେ ଦୁର୍ନୀତି : ଭିଜିଲାନ୍ସ ତଦନ୍ତ ଦାବି

 ପୁରୀ : ପୁରୀ ସ୍ଥିତ ଅତିବଡି ଜଗନ୍ନାଥ ଦାସଙ୍କ ସ୍ମୃତିପୀଠରେ ହୋଇଥିବା ଦୁର୍ନୀତି ବିଷୟରେ ଭିଜିଲାନ୍ସ ତଦନ୍ତ କରାଯିବାକୁ ମାନବାଧିକାର ସୁରକ୍ଷା ସଂଘ ପକ୍ଷରୁ ଦାବି କରାଯାଇଛି । ସଂଘର ପ୍ରଦେଶ ଅଧ୍ୟକ୍ଷ ପ୍ରିୟପ୍ରସାଦ ମିଶ୍ର ଏ ସମ୍ପର୍କରେ ସଂସ୍କୃତିମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଜିଲ୍ଳାପାଳଙ୍କ ଜରିଆରେ ପ୍ରେରିତ ଏହି ପତ୍ରରେ ଅଭିଯୋଗ କରାଯାଇଛି ଯେ ଅତିବଡିଙ୍କ ଜନ୍ମପୀଠ ଓ ସମାଧିପୀଠର ଉନ୍ନୟନ ପାଇଁ ୨୦୧୮ ମସିହାରେ ୨୫ଲକ୍ଷ ଟଙ୍କା ଲେଖାଏଁ ବ୍ୟୟବରାଦ କରାଯାଇଥିଲା କିନ୍ତୁ ଏହାର ସଠିକ୍ ବିନିଯୋଗ ହୋଇନଥିବା ନେଇ ସଂଘ ପକ୍ଷରୁ ବାରମ୍ବାର ଅଭିଯୋଗ କରାଯାଇଆସୁଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦିଆଯାଉନାହିଁ । ଅତିବଡ଼ି ପୀଠରେ କେବଳ ତୋରଣ ନିର୍ମାଣ କରି ସରକାର ଚୁପ୍ ହୋଇ ବସିଛନ୍ତି । ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ହୋଇପାରିନାହିଁ । ଅତିବଡ଼ିଙ୍କ ସ୍ମୃତିପୀଠ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ଏହି ଘଟଣାର ଭିଜିଲାନ୍ସ ତଦନ୍ତ କରାଯିବାକୁ ସଂଘ ଦାବି କରିଛି ।