ଓଡ଼ିଆରେ ସାଇନ୍ ବୋର୍ଡ ନଲେଖିଲେ ଜରିମାନା : ଉଷା ପାଢ଼ୀ

ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥ‌ିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାକୁ ଗୁରୁତ୍ବ । ଏହିସବୁ ସ୍ଥାନରେ ଓଡ଼ିଆରେ ସାଇନ୍ ବୋର୍ଡ ଲେଖିବାକୁ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର । ଏହାକୁ କାର୍ଯ୍ୟକାରୀ କରିବାକୁ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ । ଓଡ଼ିଶାର ସାଂସ୍କୃତିକ ଓ ଭାଷାଗତ ଐତିହ୍ୟର ପ୍ରୋତ୍ସାହନ ତଥା ଯେଉଁମାନେ ଅନ୍ୟ କୌଣସି ଭାଷା ବା ଲିପି ବୁଝି ନଥାନ୍ତି ସେମାନଙ୍କ ସୁବିଧା ପାଇଁ, ଓଡ଼ିଆ ଭାଷାର ବ୍ୟବହାର ସୁନିଶ୍ଚିତ କରିବା ଅତ୍ୟନ୍ତ ଫଳପ୍ରଦ ହେବ । ଏହି ଉଦ୍ଦେଶ୍ୟରେ, ନିମ୍ନଲିଖିତ ନିର୍ଦ୍ଦେଶ ଜାରି କରାଯାଇଛି । ଓଡ଼ିଶାର ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକର ଅଧୀନରେ ଥ‌ିବା ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ନିଜ ନିଜ ପ୍ରକାଶ ଫଳକ(ସାଇନ ବୋର୍ଡ)ରେ ଓଡ଼ିଆ ଭାଷା ଲିପିକୁ ପ୍ରାଧାନ୍ୟ ଦେବାକୁ ନିଶ୍ଚିତ କରିବେ।

- ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନେ ନିଶ୍ଚିତ ଭାବେ ସେମାନଙ୍କ ସାଇନ ବୋର୍ଡର ମୋଟ କ୍ଷେତ୍ରଫଳର ଅନୁନ୍ୟ ୬୦% ଭାଗରେ ଓଡ଼ିଆ ଭାଷା ଲିପିର ବ୍ୟବହାର କରିବେ |ଏହା ଆମ ରାଜ୍ୟ ଭାଷାର ଦୃଶ୍ୟମାନତା ବୃଦ୍ଧି କରିବା ସହ ଜନ ସାଧାରଣଙ୍କୁ ସୁବିଧାଜନକ ହୋଇପାରିବ ।

- ଏହି ନିର୍ଦ୍ଦେଶର ଅନୁପାଳନକୁ ପ୍ରୋତ୍ସାହିତ କରିବା ପାଇଁ, ଉପରୋକ୍ତ ଆବଶ୍ୟକତା ପାଳନ କରୁଥିବା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଆଗାମୀ ଟ୍ରେଡ ଲାଇସେନ୍ସ ନବୀକରଣ ସମୟରେ ଦେୟର ୫% ରିହାତି ପ୍ରଦାନ କରାଯିବ। ଏହି ସୁବିଧା SUJOG ପୋର୍ଟାଲ/ Bhubaneswar.me ପୋର୍ଟାଲରେ ଉପଲବ୍ଧ ହେବ।

- ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଟ୍ରେଡ ଲାଇସେନ୍ସ ନବୀକରଣ ଓ ନିରୀକ୍ଷଣ ସମୟରେ ଅନୁପାଳନ ଯାଞ୍ଚ ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ଶେଷ କରି ଉପରୋକ୍ତ ନିର୍ଦ୍ଦେଶର ପରିପାଳନ ସୁନିଶ୍ଚିତ କରିବେ ।
ଅନୁପାଳନ କରୁନଥିବା ପ୍ରତିଷ୍ଠାନମାନଙ୍କୁ ବିଜ୍ଞପ୍ତି ଜାରି କରାଯିବ ଏବଂ ସେମାନଙ୍କୁ ସାଇନ ବୋର୍ଡ ସଂଶୋଧନ ପାଇଁ ୫୫ ଦିନର ସମୟ ଦିଆଯିବ । ଏହା ପାଳନ ନହେଲେ ସଂଶୋଧନ ହେବା ପର୍ଯ୍ୟନ୍ତ ପ୍ରତିଦିନ ୫୦୦/- ଟଙ୍କା (ପାଞ୍ଚଶହ ଟଙ୍କା ମାତ୍ର) ଜରିମାନା ଲାଗୁ ହେବ ।

-ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦମାନେ ଏହି ନିର୍ଦ୍ଦେଶ ସମ୍ପର୍କରେ ଦୋକାନୀ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କୁ ଶିକ୍ଷିତ କରିବା ସହ ସୁଗମ କାର୍ଯ୍ୟକାରୀତା ପାଇଁ ସଚେତନତା ଅଭିଯାନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦିଆଯାଉଛି ।

ଉପରୋକ୍ତ ନିର୍ଦ୍ଦେଶର କଡ଼ା ଅନୁପାଳନ ସୁନିଶ୍ଚିତ କରି ୬୦ ଦିନ ମଧ୍ୟରେ ଏହି କାର୍ଯାଳୟକୁ ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଅନୁରୋଧ କରାଯାଇଛି । କୌଣସି ସ୍ପଷ୍ଟୀକରଣ ବା ସହାୟତା ପାଇଁ ଦୟାକରି ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ କାର୍ଯାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।