ମଠବାଡିରେ ଝଲସୁଛି ଝୁଲଣ କୁଞ୍ଜ

 ପୁରୀ : ଶ୍ରୀ କ୍ଷେତ୍ରର ବିଭିନ୍ନ ମଠବାଡିରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଝୁଲଣ ଯାତ୍ରା । ସୁସଜ୍ଜିତ ଝୁଲଣ କୁଞ୍ଜମାନଙ୍କରେ ଝୁଲିଝୁଲି ଠାକୁରମାନେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଝୁଲଣ ପାଇଁ ବିଭିନ୍ନ ମଠରେ କରାଯାଇଛି ଆକର୍ଷଣୀୟ ଆଲୋକସଜ୍ଜା । ରଂଗୀନ ଆଲୋକମାଳାରେ ଝୁଲଣକୁଞ୍ଜ ଓ ମଠ ଝଲସୁଛି । ଝୁଲଣ ଦେଖିବା ପାଇଁ ମଠ ବାଡିମାନଙ୍କୁ ଆରମ୍ଭ ହେଲାଣି ଦର୍ଶକମାନଙ୍କ ଆଗମନ । ଜରିଜମ୍ବୁରାର କାରୁକାର୍ଯ୍ୟ ପୁର୍ଣ୍ଣ ଝୁଲଣ କୁଞ୍ଜକୁ ଭକ୍ତଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ମଠରେ ମନୋରଞ୍ଜନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ଝୁଲଣ ଯାତ୍ରା ଚାଲିବ । ବଡଦାଣ୍ଡର ଜଗନ୍ନାଥ ବଲ୍ଲଭ ମଠରେ ପ୍ରତିବର୍ଷ ଭଳି ଝୁଲଣ ଯାତ୍ରାର ଆୟୋଜନ କରାଯାଇଛି । ଜରିଜମ୍ମୁରା ଓ ସୋଲର କାରୁକାର୍ଯ୍ୟ ପୂର୍ଣ୍ଣ ଝଲଣ କୁଞ୍ଜକୁ ସଜାଯାଇଛି ରଂଗୀନ ଆଲୋକ ମାଳାରେ । ପ୍ରତ୍ୟହ ସନ୍ଧ୍ୟାରେ ମଠର ଠାକୁରମାନେ ଝୁଲଣକୁଞ୍ଜରେ ବିଜେ କରି ଭକ୍ତମାନଙ୍କୁ ଦର୍ଶନ ଦେବେ । ଉଜ୍ଜ୍ୱଳ ଆଲୋକର ବନ୍ୟାରେ ଝଟକୁଛି ମଠର ସୁନେଲୀ ଝୁଲଣ କୁଞ୍ଜ । ଝୁଲଣ କୁଞ୍ଜର ସଖୀ, ପାରା,ସୁଆ ଆଦି ମୂର୍ତ୍ତିରେ ସଜ୍ଜିତ କରାଯାଇଛି । ଭକ୍ତମାନଙ୍କ ମନୋରଂଜନ ପାଇଁ ପରିବେଷଣ କରାଯାଉଛି ଠିଆପାଲା । ଝୁଲଣଯାତ୍ରା ପାଇଁ ମଠରେ ଉସôବ ମୁଖର ପରିବେଶ ସୃଷ୍ଟି ହୋଇଛି । ବାଲିସାହିର ଜିଅର ସ୍ୱାମୀ ମଠରେ ପ୍ରତିବର୍ଷ ଭଳି ଅନୁଷ୍ଠିତ ହେଉଛି ଝୁଲଣ ଯାତ୍ରା । ଝୁଲଣ ମଣ୍ଡପକୁ ଚିତ୍ତାକର୍ଷକ ଚିତ୍ରରେ ଚିତ୍ରିତ କରାଯାଇଥିବା ବେଳେ ରଂଗୀନ ଆଲୋକ ମାଳାରେ ସଜ୍ଜିତ କରାଯାଇଛି ।ସୁନେଲୀ ଝୁଲଣ କୁଞ୍ଜରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମଠର ଠାକୁର । କାରୁକାର୍ଯ୍ୟ ମଣ୍ଡିତ ଝୁଲଣକୁଞ୍ଜ ବେଗ ଆକର୍ଷଣୀୟ ହୋଇଛି । ମଠ ପରିସର ସଂକୀର୍ତ୍ତନ ଧ୍ୱନିରେ ହୋଇ ଉଠିଛି ମୁଖରିତ । ଶ୍ୟାମକୁଞ୍ଜ ଗଳି ସ୍ଥିତ ରାଧେଶ୍ୟାମ ମଠରେ ଜରିଜମ୍ବୁରାର ସୁକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ଝୁଲଣରେ ବିଜେକରି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତିମଠର ଠାକୁର । ଝୁଲଣକୁଞ୍ଜ ଓ ମଣ୍ଡପକୁ ସୁନ୍ଦର ଭାବେ ସୁସଜ୍ଜିତ କରାଯାଇଛି । ଜଳଫୁଆରା ପାଲଟିଛି ଦର୍ଶକମାନଙ୍କର ଆକର୍ଷଣ । ରଂଗୀନ ଆଲୋକରଶ୍ମୀ ଜଳଫୁଆରାକୁ ଅଧିକ ଆକର୍ଷଣୀୟ କରିଛି । ସିଂହଦ୍ୱାର ସମ୍ମୁଖସ୍ଥ ରାଧାବଲ୍ଲଭ ମଠରେ ପ୍ରତିବର୍ଷ ଭଳି ଆଡମ୍ବର ସହକାରେ ଝୁଲଣଯାତ୍ରା ଅନୁଷ୍ଠିତ ହେଉଛି । ରଂଗୀନ ଆଲୋକମାଳାରେ ସୁସଜ୍ଜିତ ଜରିଜମ୍ବୁରାର କାରୁକାର୍ଯ୍ୟ ପୂର୍ଣ୍ଣ ଝୁଲଣରେ ବସି ମଠର ଠାକୁରମାନେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ତେବେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ  ଥିବା ମଠବାଡିଗୁଡିକ ପରିକ୍ରମା ମାର୍ଗପାଇଁ ଉଚ୍ଛେଦ ହୋଇଥିବାରୁ ଚଳିତ ବର୍ଷ ଝୁଲଣଯାତ୍ରାରେ ସେଭଳି ଉସôବମୁଖର ପରିବେଶ ନାହିଁ । କେତେକ ମଠରେ କେବଳ ବିଧିରକ୍ଷା ପାଇଁ ନିରାଡମ୍ବର ଭାବେ ଝୁଲଣଯାତ୍ରା ଅନୁଷ୍ଠିତ ହେଉଛି । ମଠବାଡି ଓ ମନ୍ଦିର ଛଡା କେତେକ ବ୍ୟକ୍ତିଙ୍କ ଗୃହାଙ୍ଗନରେ ଝୁଲଣଯାତ୍ରା ଅନୁଷ୍ଠିତ ହେଉଛି । ଘରେ ପୂଜା ପାଉଥିବା ଠାକୁରମାନେ ଝୁଲଣକୁଞ୍ଜରେ ଶୋଭା ପାଉଛନ୍ତି ।