ଜିଲ୍ଲାପାଳଙ୍କୁ ଭେଟିଲେ ଶତାଧିକ ମହିଳା
କେନ୍ଦ୍ରାପଡା : କେନ୍ଦ୍ରାପଡା ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଦଳିତ ମହିଳାଙ୍କୁ ଜାତିଆଣ ଆକ୍ଷେପ ଓ ଦୁବ୍ୟବହାର ତଥା ଠେଲାପେଲା କରି ଅଫିସ୍ରୁ ବାହାର କରିଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ ଦାବି କରାଯାଇଛି । ଏ ନେଇ ଅଭିଯୋଗକାରୀଙ୍କ ସମେତ ଦୁତିଆଳ ଗ୍ରାମର ଶତାଧିକ ବ୍ୟକ୍ତି ଓ ମହିଳା ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ମୁତାବକ କେନ୍ଦ୍ରାପଡା ସଦରଥାନା ଅଧିନ ଦୁତିଆଳ ଗ୍ରାମରେ ଦୀର୍ଘଦିନରୁ ପାନୀୟ ଜଳ ସମସ୍ୟା ଲାଗି ରହିଥିବାବେଳେ, ଏହାର ସମାଧାନ ପାଇଁ ଲକ୍ଷ୍ମୀପ୍ରିୟା ସେଠୀ ଓ ତାଙ୍କ ସହ ବହୁସଂଖ୍ୟକ ମହିଳା ଜୁଲାଇ ୩୦ ତାରିଖରେ ଇଚ୍ଛାପୁରସ୍ଥିତ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ବିଭୁଦତ ଦାସଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ ସେ ହଠାତ୍ ଉତ୍କ୍ଷିପ୍ତ ହୋଇ ଦଳିତ ମହିଳାଙ୍କୁ ଜାତିଗତ ଆକ୍ଷେପ କରିବା ସହ ଠେଲି କାର୍ଯ୍ୟାଳୟରୁ ବାହାର କରିଦେଇଥିଲେ । ଏ ନେଇ ଲକ୍ଷ୍ମୀପ୍ରିୟା ଟାଉନ୍ଥାନାରେ ଅଭିଯୋଗ କରିବାରୁ କେଶ୍ ନମ୍ବର-୧୫୩/୨୫ରେ ଏକ ମାମଲା ରୁଜୁ କରାଯିବା ସହ ଉପଖଣ୍ଡ ପୋଲିସ ଅଧିକାରୀ ଜ୍ୟୋତିରଞ୍ଜନ ଗୈାଡ ଘଟଣାସ୍ଥଳକୁ ଯାଇ ମହିଳାମାନଙ୍କୁ ଭେଟି ବୟାନ୍ ରେକର୍ଡ କରିଥିବା ଜଣାପଡିଛି । ତେବେ ସମ୍ପୃକ୍ତ ଯନ୍ତ୍ରୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବାରୁ ଦୁତିଆଳ ଗ୍ରାମର ଶିବପ୍ରସାଦ ମହାନ୍ତି, ଗୁରୁଚରଣ ମହାନ୍ତି, ରଶ୍ମିତା ପାତ୍ର, ପାର୍ବତୀ ପାତ୍ର, ଶାନ୍ତିଲତା ରାଉତ, ପୁଷ୍ପଲତା ପରିଡା, ପ୍ରମିଳା ସେନାପତି ସମେତ ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ଗିରଫ ଦାବି କରିଛନ୍ତି ।