ମଦ ଦୋକାନ ନିକଟରେ ଅଘୋଷିତ ମଦ ବାର୍
ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନ ପ୍ରବେଶ ଦ୍ୱାର ଓ ଅରଣ୍ୟ ନିବାସ ନିକଟ ଡାଙ୍ଗମାଳରେ ଖୋଲାଯାଇଥିବା ସରକାରୀ ବିଦେଶୀ ମଦ ଦୋକାନ ନିକଟରେ ଅଘୋଷିତ ଠିପିଖୋଲା ମଦ ବାର ଖୋଲିଥିବା ଅଭିଯୋଗ ହୋଇ ଆସୁଥିଲା । ଖବରପାଇ ତାଳଚୁଆ ସାମୁଦ୍ରିକ ଥାନାଧିକାରୀ ବିମଳ କୁମାର ମଲ୍ଲିକ ସୋମବାର ଦିନ ଅତର୍କିତ ଏହି ଅଘୋଷିତ ମଦ ବାର ଉପରେ ଚଢାଉ କରିଥିଲେ । ସେହି ଘରେ ଥିବା ମଦୁଆମାନେ ପୁଲିସ ଗାଡି ଦେଖି ଛତ୍ର ଭଙ୍ଗ ଦେଇଥିଲେ । ବିଦେଶୀ ଠିପି ବନ୍ଦ ମଦ ଦୋକାନ ନିକଟରେ ଏକ ଟିଣ ଘରେ ମଦୁଆମାନେ ଠିପିଖୋଲି ମଦ ପିଇ ପର୍ଯ୍ୟଟକମାନଙ୍କୁ ର୍ଦୁବ୍ୟବହାର କରୁଥିବା ଖବର ବିଭିନ୍ନ ସମୟରେ ପ୍ରକାଶ ପାଉଥିଲା । ଜଣକ ବ୍ୟକ୍ତିଗତ ଜାଗାରେ ଏହି ଟିଣଘର ନିର୍ମାଣ ହୋଇଥିଲେ ମଧ୍ୟ ସେଠାରେ କିପରି ଅଘୋଷିତ ମଦ ବାର ଚାଲିଛି, ତାହା ହିଁ ଆଲୋଚନାର ବିଷୟ । ଏସଂପର୍କରେ କେନ୍ଦ୍ରାପଡା ଜିଲ୍ଲା ଅବକାରୀ ବିଭାଗ ଡିଏସପି ବିପ୍ରଚରଣ ମଣ୍ଡଳଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଅଘୋଷିତ ମଦ ବାର ଖୋଲିବା ଘଟଣାର ତଦନ୍ତ କରାଯାଇ ସାତଦିନ ମଧ୍ୟରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।