କୁକର୍ମକାରୀ ବାପାକୁ ୨୦ବର୍ଷ ଜେଲ୍

ଯାଜପୁର ଟାଉନ: ମଙ୍ଗଳବାର ଯାଜପୁର ଅତିରିକ୍ତ ଜିଲା ଦୌରା ଜଜ୍ ତଥା ପୋକ୍ସୋ ଜଜ୍ ଜନୈକା ନାବାଳିକା ଝିଅକୁ ବାପା ବାରମ୍ବାର କୁକର୍ମ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି । ବିବରଣୀରୁ ପ୍ରକାଶ, ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରଶାନ୍ତ ଦାସ ତାଙ୍କ ସ୍ତ୍ରୀ ସହ ବାରମ୍ବାର ଝଗଡ଼ା କରି ଅକଥନୀୟ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ଗୋଟିଏ ଦିନ ପ୍ରଶାନ୍ତ ତାର ସ୍ତ୍ରୀକୁ ମାରଧର କରି ଘରୁ ତଡ଼ି ଦେଇଥିଲେ । ଫଳରେ ପ୍ରଶାନ୍ତଙ୍କ ସ୍ତ୍ରୀ ତାଙ୍କ ନିଜ ବାପ ଘରେ ତାର ଦୁଇଜଣ ସାନ ପୁଅ ଝିଅକୁ ନେଇ ପଳାଇ ଯାଇଥିଲେ । ମା’ ନଥିବାର ସୁଯୋଗ ନେଇ ବାପା ଶୋଇଥିବା ନାବାଳିକାକୁ ଅସଦାଚରଣ କରିଥିଲେ । ପରେ ଜୋର ଜବରଦସ୍ତ  କୁକର୍ମ କରିଥିଲେ । ଏହି ଘଟଣାକୁ ଯଦି କାହା ଆଗରେ ନାବାଳିକା କହିବାକୁ ଚେଷ୍ଟା କରେ ତାକୁ ମାଡ଼ ମାରନ୍ତି ଏବଂ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥାନ୍ତି । ଗତ ୨୦୨୪ ମସିହା ନଭେମ୍ବର ୧୧ ତାରିଖ ନାବାଳିକାର ମା’ ଘରକୁ ଫେରିବା ପରେ ସମସ୍ତ ଘଟଣା କହିଥିଲା । ଏସମ୍ପର୍କରେ ନାବାଳିକାର ମା’ ତାଙ୍କ ସ୍ୱାମୀକୁ ପଚାରିବାରୁ ତାଙ୍କ ସ୍ୱାମୀ, ଉଭୟ ମା’ ଓ ନାବାଳିକା ଝିଅକୁ ମାରÿଧର କରିବାରୁ ସେମାନେ ରାତିରେ ସେହି ଗାଁ ର ଜଣେ ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ । ତହିଁ ପରଦିନ ଅର୍ଥାତ୍ ନଭେମ୍ବର ୧୨ ତାରିଖ  ପ୍ରଶାନ୍ତ ଆଶ୍ରୟ ନେଇଥିବା ଲୋକଙ୍କ ଘରେ ପହଁଚି ମାଡ଼ ଧର କରିବାରୁ ଗ୍ରାମବାସୀ ବିଞ୍ଝାରପୁର ଥାନାକୁ ଖବର ଦେବାରେ ପୁଲିସ ଘଟଣାସ୍ଥଳରେ ପହଁଚି ନାବାଳିକା ଓ ତାଙ୍କ ମା’କୁ ଉଦ୍ଧାର କରିବା ସହ  ଅଭିଯୁକ୍ତ ପ୍ରଶାନ୍ତକୁ ଗିରଫ କରିଥିଲେ । ନାବାଳିକା ଓ ତା’ର ବାପା ପ୍ରଶାନ୍ତକୁ ଡାକ୍ତରୀମାଇନା କରାଇବା ପରେ ଅଭିଯୁକ୍ତ ପ୍ରଶାନ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ସେହିଦିନ ଠାରୁ ଅଭିଯୁକ୍ତ ପ୍ରଶାନ୍ତ ଯାଜପୁର ଜିଲା ଜେଲ୍ରେ ବିଚାରଧିନ କଏଦୀ ଭାବେ ରହିଥିଲେ । ମଙ୍ଗଳବାର ମାମଲାର ଚୂଡ଼ାନ୍ତ ଶୁଣାଣି କରି ଅତିରିକ୍ତ ଜିଲା ଦୌରା ଜଜ୍ ତଥା ପୋକ୍ସୋ ଜଜ୍ ଅଭିଜିତ ପଲେଇ ୧୮ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ବୟାନକୁ ଭିତ୍ତି କରି ଅଭିଯୁକ୍ତ ପ୍ରଶାନ୍ତକୁ ୨୦ବର୍ଷ ଜେଲ୍  ଓ ୫ହଜାର ଟଙ୍କା ଜରିମାନା କରିବା ସହ ଅନାଦେୟରେ ଅଧିକ ୬ମାସ ଜେଲ୍ ଭୋଗିବେ ବୋଲି ରାୟରେ ପ୍ରକାଶ କରିଛନ୍ତି । ପୀଡ଼ିତାକୁ ଆଇନସେବା ପ୍ରାଧିକରଣ ପକ୍ଷରୁ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକୁ୍ୟଟର ରାଜୀବ ମହାନ୍ତି ମାମଲାଟିକୁ ପରିଚାଳନା କରିଥିଲେ ।