ପ୍ରହସନ ପାଲଟିଛି ଜନଶୁଣାଣି
ଟାଙ୍ଗୀ -ଚୌଦ୍ୱାର, ୩ା୧୨: ରାଜ୍ୟରେ ଜନଶୁଣାଣି କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ମାଧ୍ୟମରେ କରାଯାଇ ସାଧାରଣ ଲୋକମାନଙ୍କର ବିଭିନ୍ନ ସମସ୍ୟାର ଲିଖିତ ଅଭିଯୋଗ ଗ୍ରହଣ କରାଯାଉଛି । କିନ୍ତୁ ବାସ୍ତବରେ ଏହି ଅଭିଯୋଗ ଦରଖାସ୍ତ ସଂଗ୍ରହ କରାଯାଇ ନାଲି ଫାଇଲ ତଳେ ରହି ଯାଉଛି ବୋଲି ଟାଙ୍ଗୀ ଚୌଦ୍ୱାର ବ୍ଲକରେ ଜନଶୁଣାଣି କାର୍ଯ୍ୟକ୍ରମ ମଧ୍ୟରେ ବିରକ୍ତି ପ୍ରକାଶ କରିଛନ୍ତି ଅଭିଯୋଗକାରୀ । ପ୍ରକାଶ ଯେ, ପୂର୍ବରୁ ବହୁ ଅଭିଯୋଗ ଦିଆଯାଇଥିଲେ ସୁଦ୍ଧା ଏହାର ସମାଧାନ ପାଇଁ କିମ୍ବା କେତେ ଅଗ୍ରସର ହୋଇଛି, ଏହା ଉପରେ ଆଲୋଚନା କରାନଯାଇ କେବଳ ନୂତନ ଅଭିଯୋଗ କ’ଣ ଅଛି ଏହାକୁ ଗ୍ରହଣ କରାଯାଉଛି । ଯାହା ଏକ ପ୍ରହସନ ବୋଲି କରଞ୍ଜି ପଂଚାୟତର ଜଣେ ସମାଜସେବୀ ସଂଜୀବ ସ୍ୱାଇଁ ଗଣ ମାଧ୍ୟମରେ ପ୍ରକାଶ କରିଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଗ୍ରୀଭାନ୍ସରୁ ଆସିଥିବା ଅଭିଯୋଗକୁ ମଧ୍ୟ ଏଠାରେ ଅଣଦେଖା କରାଯାଉଛି ବୋଲି ବରହମପୁର ପଂଚାୟତର ଲଷ୍ମୀଧର ବେହେରା କହିଛନ୍ତି । ଏହା ସହିତ କୋଟ ସାହି ପଂଚାୟତ ଓ ଅନ୍ୟାନ୍ୟ ପଂଚାୟତର କିଛି ଉପଭୋକ୍ତା ଓ ମହିଳାମାନେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ନିକଟକୁ ଆସିଥିଲେ ସୁଦ୍ଧା ତାଙ୍କ ଅଭିଯୋଗକୁ ମଧ୍ୟ ଗ୍ରହଣ କରାଯାଇନଥିଲା । ଆଜିର ଜନଶୁଣାଣିରେ ପୁଣି ୨୦୦ ଟି ଅଭିଯୋଗ ଆସିଥିଲା । ୧୭୬ ଟି ଅଭିଯୋଗ ବ୍ୟକ୍ତିଗତ ଥିବା ବେଳେ ସାମୂହିକ ଭାବେ ୨୪ଟି ଆସିଥିଲା । ଏହି ଅଭିଯୋଗ ଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଧ ନିଦେ୍ର୍ଦଶ ଦେଇଥିଲେ । ଏହି ଜନଶୁଣାଣିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ, ଉପଜିଲ୍ଲାପାଳ ଜ୍ୟୋତି ରଞ୍ଜନ ଦାସ, ତହସିଲଦାର, ଉପଜିଲ୍ଲାପାଳ ଜ୍ୟୋସ୍ନା ନାୟକ, ସିଡିଏମଓ ପ୍ରଶାନ୍ତ କୁମାର ହୋତା, ପ୍ରାଣୀ ଚିକିତ୍ସା ଅଧିକାରୀ ବିଭୁରଞ୍ଜନ ଦାସ, ଚୌଦ୍ୱାର ପୌରପାଳିକା ନିର୍ବାହୀ ଅଧିକାରୀ ଦେବୀପ୍ରାସାଦ ରାଉତ, ଏବିଡିଓ ଶାଶ୍ୱତ ଜେନା, ବ୍ଳକ ଅଧକ୍ଷା ମିନାକ୍ଷୀ ଦାସ, ଉପାଧକ୍ଷା ସୁପ୍ରିୟା ଜେଠୀଙ୍କ ସମେତ ବହୁ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ ।