ପଡ଼ିଛି ତାଲା : କାମରେ ଆସୁନି ଶୌଚାଳୟ

 ବିଞ୍ଝାରପୁର : ଏହି ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ପଞ୍ଚାୟତର ବାଳମୁକୁଳି ବଜାର ନିକଟରେ ସରକାରୀ ଟଙ୍କାରେ ନିର୍ମାଣ ହୋଇଛି ଗୋଷ୍ଠୀ ଶୌଚାଳୟ । କିନ୍ତୁ ଏହି ଗୋଷ୍ଠୀ ଶୌଚାଳୟଟି ବ୍ୟବହାର ଉପଯୋଗୀ ହୋଇପାରୁନି । ଦୀର୍ଘ ଦିନ ଧରି ତାଲା ପଡ଼ିଥିବା କାରଣରୁ ଏହା ବ୍ୟବହାର ଉପଯୋଗୀ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ବାଳମୁକୁଳି ଛକ ଏହି ଅଞ୍ଚଳର ଏକ ପ୍ରମୁଖ ବଜାର ହୋଇଥିବା ବେଳେ ଆଖ ପାଖ ୫ ରୁ ୧୦ ପଞ୍ଚାୟତ ଏହି ବଜାର ଉପରେ ନିର୍ଭର କରନ୍ତି । ଖାଲି ସେତିକି ନୁହେଁ ପାଖାପାଖି ୧୦୦ ଦୋକାନୀମାନେ ମଧ୍ୟ ଏଠାରେ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପ୍ରତିଦିନ ଏଠି ସହସ୍ରାଧିକ ଲୋକଙ୍କ ଭିଡ଼ ଜମେ । ଏତତ୍ ବ୍ୟତୀତ ପ୍ରତି ଶୁକ୍ରବାର ଏଥି ସାପ୍ତାହିକ ହାଟ ମଧ୍ୟ ବସେ । ଦୂର ଦୁରାନ୍ତରୁ ଅନେକ ଦୋକାନୀ ଏଠାକୁ ଆସି ନିଜର ବେପାର ପସରା ମେଲାଇଥାନ୍ତି । ତେଣୁକରି ଲୋକ ମାନଙ୍କ ସୁବିଧା ଦୃଷ୍ଟିରେ ଏଠି ପ୍ରଶାସନ ପକ୍ଷରୁ ପାଖାପାଖି ଲକ୍ଷେ ଟଙ୍କା ଖର୍ଚ୍ଚ କରି ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଥିଲା ।  ହେଲେ ଦୀର୍ଘ ଦିନଧରି ଶୌଚାଳୟରେ ତାଲା ଝୁଲୁଛି । ତେବେ ଏତାଲା ଦୀର୍ଘ ଦିନ ଧରି କାହିଁକି ପଡ଼ିଛି ଆଉ ଜନ ସାଧାରଣଙ୍କୁ ଏହା ବ୍ୟବହାର କରିବାକୁ କାହିଁକି ବଞ୍ଚିôତ କରାଯାଉଛି ତାକୁ ନେଇ ପ୍ରଶ୍ନ ଉଠିଛି । ଯଥା ଶୀଘ୍ର ତାଲା ଖୋଲି ଏହି ଗୋଷ୍ଠୀ ଶୌଚାଳୟକୁ ବ୍ୟବହାର ଉପଯୋଗୀ କରାଇବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।