ଫେରୋକ୍ରୋମ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ: ସପ୍ତାହକ ଭିତରେ ସ୍କୁଲ ସମସ୍ୟାର ସମାଧାନ କର
ବ୍ୟାସନଗର/ଦାନଗଦୀ : ଓଡ଼ିଶା ଖଣି ନିଗମ ପରିଚାଳିତ କ୍ରୋମନଗର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ସାତ ଦିନ ମଧ୍ୟରେ ବିଦ୍ୟାଳୟର ମରାମତି, ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ପୋଷାକ ଓ ଆନୁସାଙ୍ଗିକ ସମସ୍ତ ବ୍ୟବସ୍ଥା କରିବାକୁ ଜିଲାପାଳ ପି.ଅନ୍ୱେଷା ରେଡ୍ଡୀ ଫେରୋକ୍ରୋମ କାରଖାନା ୟୁନିଟ ହେଡ଼ ରଶ୍ମିରଞ୍ଜନ ପରିଡାଙ୍କୁ କହିଛନ୍ତି । ବିଦ୍ୟାଳୟକୁ ସବୁଦିନ ପାଇଁ ବନ୍ଦ କରିବାକୁ ହୋଇଥିବା ଉଦ୍ୟମ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ କ୍ରମେ ଫସରଫାଟିଯାଇଥିବା ବେଳେ ବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ ଜାରୀ ରଖିଥିବା ସୁରକ୍ଷା କମିଟି ଫେରୋକ୍ରୋମ କାରଖାନା କର୍ତ୍ତୁପକ୍ଷଙ୍କ ଚକ୍ରାନ୍ତକୁ ନାପସନ୍ଦ କରିଛନ୍ତି । ବିଦ୍ୟାଳୟଦ୍ୱୟ କାରଖାନା ପରିସରରରେ ଅବସ୍ଥିତ ଥିବାରୁ ଆରମ୍ଭରୁ ଦୀର୍ଘ ବର୍ଷ ହେଲା କାରଖାନା କର୍ତ୍ତୃପକ୍ଷ ଏହାର ପରିଚାଳନା ଦାୟିତ୍ୱ ହାତକୁ ନେଇ ନିଜ ଅଧିନରେ ରଖିଆସିଛି । ମାତ୍ର ଗତ କିଛି ବର୍ଷ ହେଲା କାରଖାନା କର୍ତ୍ତୃପକ୍ଷ ବିଦ୍ୟାଳୟର ହେପାଜତକୁ ଅଣଦେଖା କରିଆସିବା ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ସର୍ବନିମ୍ନ ତଥା ଆବଶ୍ୟକୀୟ ତଥା ମୈାଳିକ ସୁବିଧା ସୁଯୋଗ ଯୋଗାଇ ଦେବାରେ କାଳକ୍ଷେପଣ ନୀତି ଅବଲମ୍ବନ କରିଆସୁଛି । ବିଦ୍ୟାଳୟଟି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ବେଳେ ଶ୍ରେଣୀଗୃହ ଓ ଅଫିସ ଘରର ଛାତ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ବିଦ୍ୟାଳୟର ଉନ୍ନତି କରିବା ତ ଦୂରର କଥା ଓଲଟି ବିଦ୍ୟାଳୟକୁ ବନ୍ଦ କରିବାକୁ ଯୋଜନା କରିବା ଅନେକଙ୍କୁ ତାଜୁବ କରିଆସିଛି । ପ୍ରକାଶଥାଉକି, ଗତ ତା ୦୬/୦୧/୨୦୨୫ରେ କାରଖାନା ତରଫରୁ ସ୍ଥାନୀୟ ମନ୍ଦିର ପ୍ରାଙ୍ଗଣରେ କାରଖାନାର ବରିଷ୍ଠ ପଦାଧିକାରୀ ରଶ୍ମିରଂଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକର ଆହ୍ୱାନ କରି କାରଖାନାର ମାନବ ସମ୍ବଳ ବିଭାଗର ପଦାଧିକାରୀ ଦେବାଶିଷ ସାମଲ ବିଦ୍ୟାଳୟ ବନ୍ଦ କରିବା ସମ୍ପର୍କରେ ସୂଚନା ଦେବା ପରେ ଉପସ୍ଥିତ ବ୍ୟକ୍ତିବିଶେଷ ଘୋର ଉଦ୍ବେଗ ପ୍ରକାଶ କରିବା ସହ ନିଜ ନିଜର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ । କାଳେ କୌଣସି ପରିସ୍ଥିତିରେ କାରଖାନା କର୍ତୃପକ୍ଷ ବିଦ୍ୟାଳୟକୁ ବନ୍ଦ କରିଦେବେ ସେଥିପାଇଁ ସେମାନେ ତତ୍ପର ହେବା ସହ କ୍ରୋମନଗର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସୁରକ୍ଷା କମିଟି ଗଠନ କରି ତାହାରି ମାଧ୍ୟମରେ ନିଜର ଦାବୀ କରି ଆସୁଛନ୍ତି ।କମିଟି ପୂର୍ବରୁ ବିଦ୍ୟାଳୟ ସୁରକ୍ଷା ପାଇଁ ଜିଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରିଥିଲେ । ଜିଲାପାଳ ସମସ୍ୟାର ସମଧାନ ପାଇଁ କାଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କୁ ଦାୟିତ୍ୱ ଦେଇଥିଲେ । କଳିଙ୍ଗନଗର ଅତିରିକ୍ତ ଜିଲାପାଳ ମାର୍ଚ ୧୧ରେ ଏକ ବୈଠକ ଡକାଇଥିଲେ । ବୈଠକରେ ଫେରୋକ୍ରୋମ କାରଖାନା ୟୁନିଟ ହେଡ଼ ଶ୍ରୀ ପରିଡା ସମସ୍ୟାଟି ସମାଧାନ କରିବା ପାଇଁ ୧୫ ଦିନ ସମୟ ମାଗିଥିଲେ । ମାତ୍ର ଦୁଇ ମାସ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ସେ କୌଣସି ପଦକ୍ଷେପ ନେଲେ ନାହିଁ । ତେଣୁ ସୁରକ୍ଷା କମିଟି ଜିଲାପାଳଙ୍କୁ ପୁନର୍ବାର ସାକ୍ଷାତକରି ବିଦ୍ୟାଳୟର ସମସ୍ୟା ବିଷୟରେ ଅବଗତ କରିଥିଲେ ।