କବାଟବନ୍ଧ-ମର୍ଜିତାପୁର ନଦୀବନ୍ଧ ରାସ୍ତା ଶୋଚନୀୟ
କବାଟବନ୍ଧ : ଧର୍ମଶାଳା ବ୍ଲକ କବାଟବନ୍ଧ ଠାରୁ ମର୍ଜିତାପୁର ନଦୀବନ୍ଧ ପୂର୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡିଛି । ଫଳରେ ଯାତାୟାତରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ରାସ୍ତା ମରାମତି କରିବାକୁ ବିଭାଗ ଦୁଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ସୂଚନା ମତେ ଗୋପାଳପୁର ପୂର୍ତ ବିଭାଗ କାର୍ଯ୍ୟାଳୟ ଅଧିନସ୍ତ କବାଟବନ୍ଧ-ଜାରକା ନଦୀବନ୍ଧ ରାସ୍ତା କବାଟବନ୍ଧ ହାଟ ରାସ୍ତା ଠାରୁ ମର୍ଜିତାପୁର ରାସ୍ତା ୩ କିଲୋମିଟର ପର୍ଯ୍ୟନ୍ତ ବିରାଟ ବିରାଟ ଗର୍ତ ସୃଷ୍ଟି ହେଇଛି । ବର୍ଷା ସମୟରେ ଖାଲଖମାରେ ପାଣି ଜମି ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହେଉଛି । କବାଟବନ୍ଧ ଏକ ବ୍ୟବସାୟର ପେଣ୍ଠ ସ୍ଥଳୀ । ଏହା ଉପରେ ୯ଗୋଟିରୁ ଉର୍ଦ୍ଧ ପଂଚାୟତର ହଜାର ହଜାର ଜନସାଧାରଣ ବଜାର ଉପରେ ନିର୍ଭରଶୀଳ ରହିଥାନ୍ତି । ବିଶେଷକରି କବାଟବନ୍ଧ ବଜାର ରାସ୍ତାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ରାସ୍ତାଦେ ବ୍ଲକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି, ତହସିଲ ଥାନା,ମେଡିକାଲ, ଡାକଘର, ସ୍କୁଲ, କଲେଜ, ହାଟ ଆଦିକୁ ଯିବାଆସିବା କରିବା ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଅନାବନା ଗଛ ଲତା ରାସ୍ତାକୁ ସଂକୁଚିତ କରିଦେଲାଣି । ଜରୁରୀ କାଳୀନ ପରିସ୍ଥିତିରେ ଏଭଳି ରାସ୍ତାରେ ଆମ୍ବୁଲାନ୍ସ ମଧ୍ୟ ରୋଗୀନେଇ ଯିବା ଆସିବାରେ ଅସୁବିଧା ସୃଷ୍ଟି ହେଉଛି । ଏଥିପ୍ରତି ବିଭାଗୀୟ ଯନ୍ତ୍ରୀ ଏବଂ ସ୍ଥାନୀୟ ବିଧାୟକ ସ୍ୱତନ୍ତ୍ର ଦୁଷ୍ଟି ଦେବାସହ ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି । ଏହା ଉପରେ ବିଭାଗର ସହକାରୀ ଯନ୍ତ୍ରୀ ବିରେନ ବାସୁଙ୍କୁ ପଚାରିବାରେ କହିଥିଲେ କି ସଂପୃକ୍ତ ରାସ୍ତା ଖୁବ ଶୀଘ୍ର ମରାମତି କରାଯିବ ।