ଫସଲ କ୍ଷତିକୁ ନେଇ ବଡ଼ ଘୋଷଣା : ବନ୍ୟପ୍ରାଣୀ ଓ ଜଳବନ୍ଦୀ ପାଇଁ ମିଳିବ କ୍ଷତିପୂରଣ
ଭୁବନେଶ୍ୱର : ବନ୍ୟପ୍ରାଣୀଙ୍କ ଉପଦ୍ରବ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହୁଏ । ଚାଷୀମାନେ ବହୁ କ୍ଷତି ସହନ୍ତି । ଜଳବନ୍ଦୀ ହେଲେ ଧାନ ଚାଷ ବି ଉଜୁଡ଼ିଯାଏ । ଏନେଇ ସରକାର କିଛି ସହାୟତା ପ୍ରଦାନ କରନ୍ତି । ହେଲେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ କ୍ଷତିପୂରଣ ମିଳୁନଥିଲା । ଏସବୁକୁ ଆଖି ଆଗରେ ରଖି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ) ଅଧିନରେ ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ବନ୍ୟପ୍ରାଣୀଙ୍କ ଉପଦ୍ରବ ଏବଂ ଧାନ କ୍ଷେତରେ ଜଳବନ୍ଦୀ ସମସ୍ୟା ଯୋଗୁଁ ଫସଲ କ୍ଷତି ଲାଗି କ୍ଷତିପୂରଣ ଦେବା ପାଇଁ ମନ୍ତ୍ରଣାଳୟ ଆନୁଷ୍ଠାନିକ ଭାବରେ ନୂତନ ପ୍ରକ୍ରିୟାକୁ ଅନୁମୋଦନ କରିଛି ।
ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ସ୍ଥାନୀୟ ବିପଦ ବର୍ଗ ଅଧୀନରେ ବନ୍ୟ ପ୍ରାଣୀମାନଙ୍କ ଦ୍ୱାରା ଫସଲ ନଷ୍ଟକୁ ପଞ୍ଚମ ‘ଆଡ୍-ଅନ୍ କଭର’ ଭାବରେ ସ୍ୱୀକୃତି ଦିଆଯାଇଛି । ରାଜ୍ୟ ସରକାରଗୁଡ଼ିକ ବନ୍ୟପ୍ରାଣୀଙ୍କ ସୂଚୀ ଅଧିସୂଚୀତ କରିବେ ତଥା ଐତିହାସିକ ତଥ୍ୟ ଆଧାରରେ ଅତ୍ୟଧିକ ପ୍ରଭାବିତ ଜିଲ୍ଲା/ବୀମା ୟୁନିଟଗୁଡିକୁ ଚିହ୍ନଟ କରିବେ । ଚାଷୀମାନଙ୍କୁ ଫସଲ କ୍ଷତି ସଂକ୍ରାନ୍ତୀୟ ସୂଚନା ୭୨ ଘଣ୍ଟା ମଧ୍ୟରେ ଫସଲ ବୀମା ଆପ୍ରେ ଜିଓ-ଟ୍ୟାଗ ହୋଇଥିବା ଫଟୋ ସହିତ ଦାଖଲ କରିବାକୁ ହେବ । ଖରିଫ ୨୦୨୬ରୁ ସାରା ଦେଶରେ ଏହା କାର୍ଯ୍ୟକାରୀ କରାଯିବ । ହାତୀ, ଜଙ୍ଗଲି ଘୁଷୁରୀ, ନୀଳଗାଈ, ହରିଣ ଏବଂ ମାଙ୍କଡ଼ ଭଳି ବନ୍ୟ ପ୍ରାଣୀଙ୍କ ଆକ୍ରମଣ ଯୋଗୁଁ ସାରା ଦେଶର ଚାଷୀମାନେ ଦୀର୍ଘ ଦିନ ଧରି ଫସଲ କ୍ଷତିର ସମ୍ମୁଖୀନ ହୋଇଆସୁଛନ୍ତି ।
ବିଶେଷକରି ବନାଞ୍ଚଳ, ଜଙ୍ଗଲ କରିଡର ଏବଂ ପାହାଡିଆ ଅଞ୍ଚଳ ନିକଟରେ ରହୁଥିବା ଚାଷୀମାନେ ପ୍ରାୟତଃ ଏହି ସମସ୍ୟାର ସାମ୍ନା କରିଥା’ନ୍ତି । ଏହି ନୂଆ ବ୍ୟବସ୍ଥା ଦ୍ୱାରା ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ତାମିଲନାଡୁ, ଉତ୍ତରାଖଣ୍ଡ ସମେତ ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ସିକିମ ଓ ହିମାଚଳ ପ୍ରଦେଶ ଭଳି ହିମାଳୟ ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଚାଷୀମାନଙ୍କୁ ସର୍ବାଧିକ ଲାଭ ଦେବ । ଧାନ ଫସଲ ଜଳବନ୍ଦୀ ହେବା ସମସ୍ୟାକୁ ସ୍ଥାନୀୟ ବିପର୍ଯ୍ୟୟ ବର୍ଗରେ ପୁନଃ ସାମିଲ କରିବା ଦ୍ୱାରା ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତରାଖଣ୍ଡ ଭଳି ଉପକୂଳବର୍ତ୍ତୀ ଓ ବନ୍ୟାପ୍ରବଣ ରାଜ୍ୟଗୁଡ଼ିକର ଚାଷୀମାନେ ସିଧାସଳଖ ଲାଭ ପାଇବେ ।