ଏସ୍ଏଚ୍ଜିକୁ ୧୧୭ କୋଟି ଫେରସ୍ତ
ଭୁବନେଶ୍ୱର : ମହିଳା ସଶକ୍ତିକରଣ ହେଉଛି ବିକଶିତ ଓଡିଶା ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ମା’ମାନଙ୍କର ଆର୍ଥିକ ଅଭିବୃଦ୍ଧିକୁ ସୃଦୃଢ କରିବା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ବ୍ୟାଙ୍କ ଋଣ ଉପରେ ସୁଧ ଫେରସ୍ତ ବ୍ୟବସ୍ଥା ସହାୟକ ହୋଇଛି । ଏହା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଭିତ୍ତିକୁ ସୁଦୃଢ଼ କରିବା ସହିତ ଅଧିକ ବଜାର ସୁଯୋଗ ସୃଷ୍ଟି କରି ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରୁଛି ।
ଆଜି ମିଶନ ଶକ୍ତି ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମ ‘ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସୁଧ ଫେରସ୍ତ’ରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଥିଲେ । ସରକାର ମହିଳାମାନଙ୍କ ପାଇଁ ଜୀବିକାମୂଳକ ଅର୍ଥନୈତିକ ମଡେଲ୍ ମାଧ୍ୟମରେ ସଶକ୍ତ କରିବା ପାଇଁ ସଦା ପ୍ରତିବଦ୍ଧ ବୋଲି ସେ କହିଥିଲେ । ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଜୀବନ ଜୀବିକାର ବିକାଶ ତଥା ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବ୍ୟାଙ୍କ ଋଣ ବ୍ୟବସ୍ଥା । ଗୋଷ୍ଠୀମାନଙ୍କ ଉପରେ ସୁଧ ପରିଶୋଧର ଭାର ହ୍ରାସ କରିବା ପାଇଁ ଓଡିଶା ସରକାର ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବ୍ୟାଙ୍କ ଋଣ ରାଶିକୁ ବୃଦ୍ଧି କରିବା ସହ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣରେ ବାର୍ଷିକ ସୁଧ ହାରକୁ ଶୂନ୍ୟ ପ୍ରତିଶତକୁ ଆଣିଛନ୍ତି । ଏହି ସୁଧ ଫେରସ୍ତ ରାଶି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଯାଇଥାଏ ।
ଆଜିର କାର୍ଯ୍ୟକ୍ରମରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୨ ଲକ୍ଷ ୨୪ ହଜାର ୮୮୪ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୋଟ ୧୧୭ କୋଟି ୧୨ ଲକ୍ଷ ୫ ହଜାର ୧୬୪ ଟଙ୍କାର ସୁଧ ରାଶି ଫେରସ୍ତ କରିଥିଲେ । ଏହି ପଦକ୍ଷେପ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ଆର୍ଥିକ ଭାବେ ସଶକ୍ତ କରିବା ସହିତ ରାଜ୍ୟର ବିକାଶ ଏବଂ ଆର୍ଥିକ ପ୍ରଗତି ପ୍ରତି ସରକାରଙ୍କ ସଂକଳ୍ପକୁ ପୁଣିଥରେ ସ୍ପଷ୍ଟ କରିଛି । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗ ନିର୍ଦ୍ଦେଶିକା ଡଃ ମୋନିକା ପ୍ରିୟଦର୍ଶିନୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଜ୍ୟୋତି ଶଙ୍କର ମହାପାତ୍ର ଓ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀମାନେ ଏବଂ ବିଭିନ୍ନ ବ୍ୟାଙ୍କର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ମିଶନ ଶକ୍ତି ବିଭାଗର ଏହି ପଦକ୍ଷେପ ମହିଳା ଉଦ୍ୟୋଗୀମାନଙ୍କ ଦକ୍ଷତା ବୃଦ୍ଧି, ବିକାଶ ଓ ମହିଳା ସଶକ୍ତିକରଣ ପ୍ରତି ଅଟଳ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି । ଯାହା ଓଡ଼ିଶାର ମହିଳାମାନଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣର ଯାତ୍ରାକୁ ଆହୁରି ଉଜ୍ଜ୍ୱଳ କରିବ ।