ଫେବୃଆରି ୭ରୁ ଟି-୨୦ ବିଶ୍ୱକପ

ଫେବୃଆରି ୭ରୁ ଟି-୨୦ ବିଶ୍ୱକପ
  • ୧୫ରେ ଭାରତ-ପାକିସ୍ତାନ ଲଢେଇ
  • ଦ୍ଭବ୍ରାଣ୍ଡ୍‌ ଆମ୍ବାସାଡର ରୋହିତ

ମୁମ୍ବାଇ : ଟି-୨୦ ବିଶ୍ୱକପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରିଛି ଆଇସିସି । ଆଜି ମୁମ୍ବାଇରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ଘୋଷଣା ହୋଇଛି । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ବିଶ୍ୱ କପ ଆଯୋଜନ କରିବେ । ଆସନ୍ତା ଫେବୃଆରି ୭ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ମ୍ୟାଚ ଅନୁଷ୍ଠିତ ହେବ । ୮ଟି ସ୍ଥାନରେ ସର୍ବମୋଟ ୫୫ଟି ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୨୦ ଟି ଦଳ ଭାଗ ନେବେ । ଏଥିନେଇ ୪ଟି ଗ୍ରୁପ କରାଯାଇଛି । ତେବେ ଫେବୃଆରି୧୫ରେ ଭାରତ-ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ ମ୍ୟାଚ୍‌ ହେବ  । ଏହି ମ୍ୟାଚ୍‌ କଲମ୍ବୋରେ ଖେଳାଯିବ । ଟିମ୍‌ ଇଣ୍ଡିଆ ଆମେରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ । ଭାରତୀୟ ଦଳ ଏହାର ଗ୍ରୁପରୁ ଚାରୋଟି ଦଳ ସହିତ ମୁକାବିଲା କରିବ । ଆମେରିକା ଏବଂ ପାକିସ୍ତାନ ବ୍ୟତୀତ, ଟିମ୍‌ ଇଣ୍ଡିଆ ନେଦରଲାଣ୍ଡ ଏବଂ ନାମିବ୍ୟା ସହିତ ମଧ୍ୟ ମୁକାବିଲା କରିବ ।


       ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍‌ ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ । ଉଭୟ ସେମିଫାଇନାଲ ପାଇଁ ସ୍ଥାନ ମଧ୍ୟ ଚୂଡ଼ାନ୍ତ ହୋଇଛି । ପ୍ରଥମ ସେମିଫାଇନାଲ କୋଲକାତା ଏବଂ ଦ୍ୱିତୀୟ କଲମ୍ବୋରେ ଖେଳାଯିବ । ଫାଇନାଲ୍‌ ମାର୍ଚ୍ଚ ୮ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଯଦି ପାକିସ୍ତାନ ଫାଇନାଲରେ ପହଞ୍ଚିଯାଏ, ତେବେ ଟାଇଟଲ୍‌ ମ୍ୟାଚ୍‌ କଲମ୍ବୋରେ ଖେଳାଯିବ । ପୂର୍ବ ସଂସ୍କରଣ ପରି ୮ ଦଳ ସୁପର ୮ ପର୍ଯ୍ୟାୟ, ତା'ପରେ ସେମିଫାଇନାଲ୍‌ ଏବଂ ତା'ପରେ ଫାଇନାଲ ଦେଇ ଆଗକୁ ବଢ଼ିବେ । ମୋଟ ୮ଟି ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ । ଭାରତର ୫ଟି ସହରକୁ ବିଶ୍ୱକପ୍‌ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି । ଦିଲ୍ଲୀ, କୋଲକାତା, ଚେନ୍ନାଇ, ଅହମ୍ମଦାବାଦ ଏବଂ ମୁମ୍ବାଇ । ଶ୍ରୀଲଙ୍କାର ତିନୋଟି ସହରରେ ହେବ ବିଶ୍ୱକପ୍‌ ମ୍ୟାଚ୍‌ । ଘୋଷଣା ଉତ୍ସବରେ ଭାରତୀୟ ମହିଳା ବିଶ୍ୱକପ୍‌ ବିଜେତା ଅଧିନାୟକ ହରମନପ୍ରୀତ କୌର ଏବଂ ବର୍ତ୍ତମାନର ପୁରୁଷ ଟି୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ପୂର୍ବତନ ଭାରତୀୟ ଟି୨୦ ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ଆଇସିସି ଅଧ୍ୟକ୍ଷ ଜୟ ଶାହ ମଧ୍ୟ ପ୍ରକାଶ କରିଥିଲେ ଯେ ରୋହିତ ଶର୍ମାଙ୍କୁ ୨୦୨୬ ଟି୨୦ ବିଶ୍ୱକପ୍‌ ପାଇଁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରାଯାଇଛି । ବାର୍ବାଡୋସରେ ଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନାଟକୀୟ ସାତ ରନର ବିଜୟ ସହିତ ୨୦୨୪ ରେ ଦ୍ୱିତୀୟ ଟି୨୦ ବିଶ୍ୱକପ୍‌ ମୁକୁଟ ଅକ୍ତିଆର କରିଥିଲା ଭାରତ।