ମୃତକଙ୍କୁ ୧୦ଲକ୍ଷ ଦେବ ଆରସିବି
ବେଙ୍ଗାଲୁରୁ: ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ପ୍ରତି ମୃତକଙ୍କ ପରିବାର ପ୍ରତି ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରିଛି ଆରସିବି । ଏହାସହ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବାକୁ ଆର୍ସିବି ଘୋଷଣା କରିଛି । ଦଳାଚକଟା ଘଟଣାରେ ଆର୍ସିବି ପକ୍ଷରୁ ମୃତକଙ୍କ ଶୋକବ୍ୟକ୍ତ କରାଯିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଯାଇଛି । ସେହିପରି ଆହତ ବ୍ୟକ୍ତି ଚିକିତ୍ସା ଖର୍ଚ୍ଚ ଲାଗି ଆର୍ସିବି ପକ୍ଷରୁ ‘ଆରସିବି କେୟାର୍’ ନାମରେ ଏକ ପାଣ୍ଠି ଗଠନ କରାଯାଇଛି । ଏହି ପାଣ୍ଠିରୁ ଆହତଙ୍କ ପାଇଁ ଆବଶ୍ୟକ ଖର୍ଚ୍ଚ କରାଯିବ ବୋଲି ଏକ ପୋଷ୍ଟରେ ଆର୍ସିବି ପକ୍ଷରୁ କୁହାଯାଇଛି । ସେହିପରି ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ତେବେ ଗତକାଲି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ମୃତ ୧୧ ପରିବାରଙ୍କୁ ୧୦ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଥିବା ବେଳେ ଆହତଙ୍କୁ ମାଗଣା ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଘୋଷଣା କରିଥିଲେ ।
ସୂଚନାଯୋଗ୍ୟ ଦୀର୍ଘ ୧୮ ବର୍ଷରେ ଆର୍ସିବି ଆଇପିଏଲ୍ କପ୍ ହାସଲ କରିଥିବାରୁ ଏହାକୁ ନେଇ ବେଙ୍ଗାଲୁରୁରେ ବିଜୟ ଉତ୍ସବ ପାଳନ ହୋଇଥିଲା । ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ବିରାଟ କୋହଲିଙ୍କୁ ଦେଖିବା ପାଇଁ ଲକ୍ଷାଧିକ ସମର୍ଥକଙ୍କ ଭିଡ଼ ଜମିବାରୁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଷ୍ଟାଡିୟମ୍ର କ୍ଷମତା ୩୫ ହଜାର ଥିବା ବେଳେ ଅସ୍ୱାଭାବିକ ଭାବେ ଏଠାରେ ୨.୫ଲକ୍ଷ ଲୋକଙ୍କ ସମାଗମ ହୋଇଥିଲା । ତାସାଙ୍ଗକୁ ଷ୍ଟାଡିୟମ୍ରେ ଏକ ସ୍ଲାବ୍ ଖସିପଡ଼ିବାରୁ ଦଳଚକଟା ସ୍ଥିତି ସଙ୍ଗୀନ ହେବା ସହ ଏଥିରେ ୧୧ ଜଣଙ୍କ ମୃତୁ୍ୟ ହୋଇଥିଲା ଏବଂ ୫୦ରୁ ଊଦ୍ଧ୍ୱର୍ ଲୋକ ଆହତ ହୋଇଥିଲେ ।