ବଙ୍ଗୋପସାଗରରେ ଲଘୁଚାପ : ଓଡ଼ିଶା ଦେଇ ଗତି କରିବ


 ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟିହୋଇଛି  । ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାହା ଅଧିକ ସ୍ପଷ୍ଟ ହେବ  । ପରବର୍ତ୍ତୀ ୨୪ ଘଣ୍ଟାରେ ଓଡ଼ିଶା ଦେଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ  । ପାଣିପାଗ ବିଭାଗ ପକ୍ଷରୁ ଏଭଳି ଅନୁମାନ କରାଯାଉଥିବାବେଳେ ମୌସୁମୀ ଟ୍ରଫ୍ ଏବେ ପୁରୀ ଓ ଝାରସୁଗୁଡ଼ା ଦେଇ ଗତି କରୁଛି  । ଏହି ପରିପ୍ରେକ୍ଷୀରେ ଆସନ୍ତା ୯ ପର୍ଯ୍ୟନ୍ତ ବର୍ଷା ହେବାର ଥିବାବେଳେ ୭ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି  ।
ଆସନ୍ତାକାଲି ସକାଳ ସାଢ଼େ ୮ ପର୍ଯ୍ୟନ୍ତ ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରିହୋଇଛି  । ସେହିପରି ଆସନ୍ତାକାଲି ଦିନ ସାରା ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି  । ଯେତେବେଳେକି ପ୍ରବଳ ବର୍ଷା ପାଇଁ ବରଗଡ଼, ସୋନପୁର, ବୌଦ୍ଧ, କୋରାପୁଟ, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି  । ଅପରପକ୍ଷରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରିର ଗୋଟିଏ ଦୁଇଟି ସ୍ଥାନରେ ଝଟକା ପବନର ବେଗ ୩୦ରୁ ୪୦ କିମି ରହିବା ସହ ବଜ୍ରପାତର ସମ୍ଭାବନା ଅଛି  । ଆସନ୍ତା ୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି  । ତେବେ ୯ ସକାଳ ସାଢ଼େ ୮ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବବୋଲି ଏବେ ଆକଳନ କରାଯାଇଛି  ।